ବରଗଡ଼ ଜିଲ୍ଲା ପରିଷଦ ନିର୍ବାଚନ: ଅଗ୍ନି ପରୀକ୍ଷାରେ ବିଜେପି, ସାଂସଦଙ୍କ ସମ୍ମାନ ବାଜିରେ

ବରଗଡ଼, (ଅଂଜନ ପ୍ରଧାନ): ତାରିଖ ‌ଘୋଷଣା ସହ ବରଗଡ଼ ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ରାଜନୈତିକ ଦଳ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି। ନାମାଙ୍କନ ଦାଖଲ ପୂର୍ବରୁ ଦଳ ଡିଆଁ ପର୍ବ ଆରମ୍ଭ ହୋଇଛି। ନାମାଙ୍କନ ସରିଲେ ଅସନ୍ତୁଷ୍ଟମାନେ ଏହି ପର୍ବକୁ ଆହୁରି ତ୍ବରାନ୍ବିତ କରିବା ସ୍ବାଭାବିକ। ୨୦୧୯ ମସିହା ଏବଂ ଆଗାମୀ ସାଧାରଣ ନିର୍ବାଚନ ଅବଧିର ପାଖାପାଖି ମଧ୍ୟ ଭାଗରେ ଜିଲ୍ଲା ପରିଷଦ ଭୋଟ୍‌ ହେଉଛି। ତେଣୁ କେଉଁ ଦଳ କେଉଁ ସ୍ଥିତିରେ ଅଛନ୍ତି, ତାହା ଫଳାଫଳରୁ ବାରି ହେବ। ଗତ ପୌର ନିର୍ବାଚନରେ ୩୪ଟି ଜୋନ୍‌ରୁ ବିଜେପି ୨୫ଟି ଆସନ ଅକ୍ତିଆର୍‌ କରିଥିଲା। ବିଜେଡି ସଂଘର୍ଷ କରି ୯ଟି ଆସନ ଜିଣିଥିବାବେଳେ କଂଗ୍ରେସ ଖାତା ଖୋଲି ନଥିଲା। ତେଣୁ ବିଜେପି ପାଇଁ ପୂର୍ବ ସଫଳତା ବଜାୟ ରଖିବା ଏକ ଅଗ୍ନି ପରୀକ୍ଷା ସଦୃଶ ହେବ।

ଗତ ସାଧାରଣ ନିର୍ବାଚନରେ ଜିଲ୍ଲାର ସମସ୍ତ ୫ଟି ବିଧାନସଭା ମଣ୍ଡଳୀରେ ବିଜେଡି ବାଜିମାତ୍‌ କରିଥିଲା। ତେବେ ସାଂସଦ ଭାବେ ବିଜେପିର ସୁରେଶ ପୂଜାରୀ ବିଜୟୀ ହୋଇଥିଲେ। କେବଳ ବିଜେପୁର ନିର୍ବାଚନ ମଣ୍ଡଳୀରେ ଶ୍ରୀ ପୂଜାରୀ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେଡିର ପ୍ରସନ୍ନ ଆଚାର୍ଯ୍ୟଙ୍କ ଠାରୁ ପଛୁଆ ରହିଥିଲେ। ବଳକା ୪ଟି ନିର୍ବାଚନ ମଣ୍ଡଳୀରେ ଶ୍ରୀ ପୂଜାରୀ ସହଜ ଅଗ୍ରଣୀ ପାଇଥିଲେ। ତେଣୁ ତାଙ୍କ ଦବ୍‌ଦବା ଏବଂ ଜନସମର୍ଥନ ଏସବୁ ନିର୍ବାଚନ ମଣ୍ଡଳୀଗୁଡ଼ିକରେ ପୂର୍ବ ଭଳି ବଳବତ୍ତର ରହିଛି ନା ନାହିଁ, ତାହା ଜିଲ୍ଲା ପରିଷଦ ନିର୍ବାଚନର ଫଳାଫଳ କହିବ। ସାଂସଦ ହେବା ପରେ ଶ୍ରୀ ପୂଜାରୀ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ସକ୍ରିୟ ନେତା ଏବଂ କର୍ମୀଙ୍କ ସହ ତ୍ରୁଣମୂଳ ସ୍ତରରେ ପହଂଚିବାକୁ ଚେଷ୍ଟା କରିଛନ୍ତି। ତେଣୁ ତାଙ୍କ ଲୋକପ୍ରିୟତାର ପ୍ରତିଫଳନ ଏହି ନିର୍ବାଚନରେ ହେବ ବୋଲି ସମୀକ୍ଷକମାନେ କହୁଛନ୍ତି।

ବିଜେପୁରରୁ ଶ୍ରୀ ଆଚାର୍ଯ୍ୟ ୯୫୪୯୧ ଭୋଟ୍‌ ଏବଂ ଶ୍ରୀ ପୂଜାରୀ ୭୦୭୫୫ ଭୋଟ୍‌ ପାଇଥିଲେ। ଭଟଲିରେ ୯୦୦୨୮, ଅତାବିରାରେ ୭୮୯୧୦, ପଦ୍ମପୁରରେ ୮୨୧୮୬ ଏବଂ ବରଗଡ଼ ନିର୍ବାଚନ ମଣ୍ଡଳୀରେ ସେ ୮୩୫୯୯ ଭୋଟ୍‌ ପାଇ ଅଗ୍ରଣୀ ରହିଥିଲେ। ତେଣୁ ତାଙ୍କର ଏହି ଅଗ୍ରଣୀ ନିର୍ବାଚନ ମଣ୍ଡଳୀଗୁଡ଼ିକରେ ବିଜେପି କିଭଳି ପ୍ରଦର୍ଶନ କରିବ, ତାହା ସାଂସଦ ଶ୍ରୀ ପୂଜାରୀଙ୍କ ପାଇଁ ସମ୍ମାନର ପ୍ରଶ୍ନ ହେବ। କାରଣ ତାଙ୍କ ବଳ‌ ଏବଂ ହାତଗଣତି ଲୋକପ୍ରିୟ ନେତାଙ୍କୁ ନେଇ ହିଁ ଦଳ ନିର୍ବାଚନ ମଇଦାନକୁ ଓହ୍ଲାଇବ।

ସମ୍ବନ୍ଧିତ ଖବର