ଭଟଲି ଗୁଳିକାଣ୍ଡର ପର୍ଦ୍ଦାଫାସ: ଆତ୍ମହତ୍ୟା ନୁହେଁ, ହତ୍ୟା

ବରଗଡ଼ : ଭଟଲି ବିଜେପି କାର୍ଯ୍ୟାଳୟରେ ଗୁଳିକାଣ୍ଡ ଓ ବୁଲୁ ସତନାମୀ ଓରଫ ନାରାୟଣଙ୍କ ମୃତ୍ୟୁ ଘଟଣାର ପର୍ଦାଫାସ କରିଛି ପୁଲିସ। ଏଥିସହ ବୁଲୁଙ୍କୁ ଗୁଳି କରି ହତ୍ୟା କରିବା ଅପରାଧରେ ସୋହେଲା ଥାନା ଅଂଚଳର ବବଲୁ ନାଗ ଏବଂ ପ୍ରମୋଦ ପୋଢ଼ଙ୍କୁ ଗିରଫ କରିଛି। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ପରସ୍ପର ମଧ୍ୟରେ ଝଗଡ଼ା ହିଁ ହତ୍ୟାକାଣ୍ଡର କାରଣ ବୋଲି ପୁଲିସ କହିଛି।ଗତ ୧ ତାରିଖ ରାତିରେ ଭଟଲିର ଏକ ଭଡ଼ା ଘରେ ଚାଲିଥିବା ବିଜେପି କାର୍ଯ୍ୟାଳୟରେ ଗୁଳି ଫୁଟିଥିଲା । ସେଦିନ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ କାର୍ଯ୍ୟାଳୟର ଗୋଟିଏ କୋଠରୀରେ ରାତ୍ରୀଯାପନ କରୁଥିଲେ ବୁଲୁ ଓ ଦୁଇ ଅଭିଯୁକ୍ତ। ଗୁଳିକାଣ୍ଡ ପରେ ସେଠାରୁ ଏକ ଦେଶୀ ପିସ୍ତଲ ମିଳିଥିଲା। କିନ୍ତୁ ବୁଲୁ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କିଏ ହତ୍ୟା କରିଛି- ଦୀର୍ଘ ଦଶ ଦିନ ହେଲା ଏନେଇ ଚର୍ଚ୍ଚା ଜାରି ରହିଥିଲା। ଅବଶ୍ୟ ଘଟଣା ପରେ ପୁଲିସ୍‌ ବବଲୁ, ପ୍ରମୋଦଙ୍କ ସମେତ ଆଉ ଦୁଇ ଜଣଙ୍କୁ ଅଟକ ରଖି ଜେରା ଚଳାଇଥିଲା। ଦୀର୍ଘ ଦିନ ଧରି ଖୋଳତାଡ଼ କରିବା ପରେ ବବଲୁ ଏବଂ ପ୍ରମୋଦ ଏହି କାଣ୍ଡ ଘଟାଇଥିବା ପୁଲିସ୍‌ କହିଛି। ବ୍ୟକ୍ତିଗତ ଶତ୍ରୁତାକୁ କେନ୍ଦ୍ର କରି ଘଟଣା ଦିନ ଯୁକ୍ତିତର୍କ ଘଟିଥିଲା। ଏହାପରେ ଗୁଳିମାଡ଼ ହୋଇଥିବା ପୁଲିସ୍‌ କହିଛି।

ସମ୍ବନ୍ଧିତ ଖବର