ରାତି ପାହିଲେ ବରଗଡ଼ରେ ଭାଗ୍ୟପରୀକ୍ଷା :ଲୋକସଭା ଆସନରେ ବ୍ୟାପକ ଅଦଳବଦଳ ପରେ ପରିମାଣ କେଉଁ ଦଳ ସପକ୍ଷରେ ଯିବ?

ଭୁବନେଶ୍ବର (ସୁବ୍ରତ ଦାସ) : ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀରେ ଏଥର ବହୁ ଓଲଟପାଲଟ ହୋଇଛି। ତେଣୁ ନିର୍ବାଚନ ଫଳାଫଳକୁ ସମସ୍ତେ ଉତ୍କଣ୍ଠା ସହିତ ଅପେକ୍ଷା କରି ରହିଛନ୍ତି।

ଏହି ଲୋକସଭା ନିର୍ବାଚନମଣ୍ଡଳୀ ବିଜୁ ଜନତା ଦଳ ଅକ୍ତିଆରରେ ଥିଲା। ଦଳର ପ୍ରାର୍ଥୀ ପ୍ରଭାସ କୁମାର ସିଂହ ୩.୮୩ ଲକ୍ଷ ଭୋଟ ପାଇ ସାଂସଦ ହୋଇଥିଲେ। ତଥାପି ତାଙ୍କୁ ଏଥର ପ୍ରାର୍ଥୀ କରା ନ ଯାଇ ପଶ୍ଚିମ ଓଡ଼ିଶାର ଜଣେ ପୋଖତ ନେତା ତଥା ରାଜ୍ୟସଭା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ତାଙ୍କ ସ୍ଥାନରେ ମନୋନୀତ କରାଯାଇଛି।

ଗତଥର ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ତଥା ସଂଘ ପରିବାରର ଲଢୁଆ ନେତା ସୁବାସ ଚୌହାନ, ଯିଏ କି ମାତ୍ର ୧୧ ହଜାର ୧୭୮ ଖଣ୍ଡ ଭୋଟରେ ହାରିଥିଲେ , ତାଙ୍କୁ ଏଥର ଦଳ ପ୍ରାର୍ଥୀ ନ କରି ଆଶ୍ଚର୍ଯ୍ୟଜନକ ଭାବେ ତାଙ୍କ ବଦଳରେ ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀଙ୍କୁ ଟିକେଟ ଦିଆଯାଇଛି।ସୁବାସ ତାର ପ୍ରତିବାଦରେ ଦଳରୁ ଇସ୍ତଫା ଦେଇ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି।

ସେହିପରି ଏହି ଲୋସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଜେପୁର ବିଧାନସଭା ଆସନରୁ ଏଥର ବିଜୁ ଜନତା ଦଳର ପ୍ରାର୍ଥୀ ହୋଇଛନ୍ତି ସ୍ୱୟଂ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ। ୨୦୧୪ ନିର୍ବାଚନରେ ଏଠାରୁ କଂଗ୍ରେସ ବିଧାୟକ ସୁବଳ ସାହୁ ନିର୍ବାଚିତ ହୋଇଥିଲେ। ତେବେ ଏଠାରୁ ତିନି ତିନି ଥର ଜିତିଥିବା ସୁବଳଙ୍କ ଅକାଳ ମୃତ୍ୟୁ ପରେ ଶାସକ ବିଜୁ ଜନତା ଦଳ ତାଙ୍କର ଧର୍ମପତ୍ନୀ ରୀତାରାଣୀ ସାହୁଙ୍କୁ ଗତବର୍ଷ ଉପ ନିର୍ବାଚନରେ ଦଳର ପ୍ରାର୍ଥୀ କରିଥିଲେ ଏବଂ ସେ ୪୫ ହଜାରରୁ ଉର୍ଦ୍ଧ୍ୱ ଭୋଟରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଆଶୋକ କୁମାର ପାଣିଗ୍ରାହୀଙ୍କୁ ହରାଇ ବିଜୟୀ ହୋଇଥିଲେ। କିନ୍ତୁ ଏଥର ରୀତାରାଣୀଙ୍କୁ ଟିକେଟ ନ ଦେଇ ତାଙ୍କ ବଦଳରେ ମୁଖ୍ୟମନ୍ତ୍ରୀ ନିଜେ ପ୍ରାର୍ଥୀ ହୋଇଛନ୍ତି। ପ୍ରଥମ ଥର ପାଇଁ ନବୀନ ପଶ୍ଚିମ ଓଡ଼ିଶାରୁ ପ୍ରାର୍ଥୀ ହୋଇ ଏକ ବାର୍ତ୍ତା ଦେଇଛନ୍ତି ଯେ ତାଙ୍କ ଦଳ ପଶ୍ଚିମ ଓଡ଼ିଶାର ଜନ ସାଧାରଣଙ୍କ ସାଥିରେ ରହିଛି।

ଆଉ ଏକ ବିଡ଼ମ୍ବନାର ବିଷୟ ଯେ ଧୂରୀଣ ଯୋଦ୍ଧା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଗତ ୨୦୧୪ ନିର୍ବାଚନରେ ବିଜେପୁର ବିଧାନସଭା ଆସନରୁ ଲଢ଼ି ମାତ୍ର ୪୫୮ ଭୋଟରେ ସୁବଳଙ୍କଠାରୁ ହାରି ଯାଇଥିଲେ। ଏଥର ସେ ସମଗ୍ର ବରଗଡ଼ ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ ଦଳୀୟ ପ୍ରାର୍ଥୀ ହୋଇଛନ୍ତି।

ଏଥର କଂଗ୍ରେସର ଝାରସୁଗୁଡା ବିଧାୟକ ତଥା ପୂର୍ବତନ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ନବ କିଶୋର ଦାସ ବାଡ଼ ଡେଇଁ ବିଜୁ ଜନତା ଦଳ ଶିବିରରେ। ନିର୍ବାଚନର ଅବ୍ୟବହିତ ପୂର୍ବରୁ ଦଳ ଛାଡ଼ି ବିଜୁ ଜନତା ଦଳରେ ସେ ଯୋଗ ଦେଇଥିଲେ ଏବଂ ଏଥର ବିଜେଡିର ପ୍ରାର୍ଥୀ ହୋଇଛନ୍ତି।

ଗତଥର ଶ୍ରୀ ଦାସଙ୍କ ବିପକ୍ଷରେ ଲଢ଼ୁଥିବା ବିଜୁ ଜନତା ଦଳ ପ୍ରାର୍ଥୀ ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କୁ ଏଥର ଝାରସୁଗୁଡ଼ାରୁ ଟିକେଟ ନ ଦେଇ ଶ୍ରୀ ଦାସଙ୍କୁ ଦିଆଯାଇଛି। ଶ୍ରୀ ମହାନ୍ତିଙ୍କୁ ସନ୍ତୁଷ୍ଟ କରିବାକୁ ପଡ଼ୋଶୀ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀକୁ ପଠାଯାଇଛି।

ତେବେ,ବିଜୁ ଜନତା ଦଳ ଅବଶିଷ୍ଟ ୪ଟି ବିଧାନସଭା ଆସନରେ ପ୍ରାର୍ଥୀ ନ ବଦଳାଇ ମନ୍ତ୍ରୀ ସୁଶାନ୍ତ ସିଂହ ଓ ସ୍ନେହାଙ୍ଗିନୀ ଛୁରିଆ,ପୂର୍ବତନ ମନ୍ତ୍ରୀ ବିଜୟ ରଂଜନ ସିଂହ ବରିହା ଏବଂ ବରଗଡ଼ ବିଧାୟକ ତଥା ପ୍ରସନ୍ନ ଆଚାର୍ଯ୍ୟଙ୍କ ପୁତୁରା ଦେବେଶ ଆଚାର୍ଯ୍ୟଙ୍କୁ ପୁନଃ ମନୋନୟନ କରିଛି।

ଅନ୍ୟପକ୍ଷରେ ଭାରତୀୟ ଜନତା ପାର୍ଟି ଏଥର ଦୁଇ ଜଣ ବିଧାୟକ ପ୍ରଦୀପ ପୁରୋହିତ ଏବଂ ରାଧାରାଣୀ ପଣ୍ଡାଙ୍କୁ ପଦ୍ମପୁର ଓ ବ୍ରଜରାଜନଗରରୁ ପୁଣି ପ୍ରାର୍ଥୀ କରିଛି। ଗତଥର ନିର୍ବାଚନ ଲଢ଼ିଥିବା ଅଶ୍ୱିନୀ ଷଡ଼ଙ୍ଗୀ ଓ ମିଲନ୍‌ ସେଠଙ୍କୁ ଦଳ ଯଥାକ୍ରମେ ବରଗଡ଼ ଓ ଅତାବିରାରୁ ପୁଣି ଭରସା କରିଛି । ଅନ୍ୟମାନେ ନୂଆ ମୁହଁ। କଂଗ୍ରେସ ଶିବିରରେ ମଧ୍ୟ କିଛି ବିସ୍ମୟଜନକ ଘଟଣା ଘଟିଛି। ଏଥର ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀରୁ ଦଳର ପ୍ରାର୍ଥୀ ହୋଇଥିବା ପ୍ରଦୀପ ଦେବତା ଜଣେ ନୂଆ ମୁହଁ।

ତେବେ ପଦ୍ମପୁର, ବିଜେପୁର ଏବଂ ଅତାବିରା ବିଧାନସଭା ଆସନରୁ କଂଗ୍ରେସ ପୁରୁଖା ନେତା ସତ୍ୟ ଭୂଷଣ ସାହୁ, ରିପୁନାଥ ସେଠ ଏବଂ ନୀହାର ରଂଜନ ମହାନଙ୍କୁ ପ୍ରାର୍ଥୀ କରିଛି। ପୂର୍ବରୁ ସିପିଆଇର ଦୁର୍ଗ ବିବେଚିତ ହେଉଥିବା ବ୍ରଜରାଜନଗର ଆସନଟିକୁ କଂଗ୍ରେସ ସିପିଆଇକୁ ଛାଡ଼ି ଦେଇଛି। ଏଠାରୁ ସିପିଆଇର ରମେଶ ତ୍ରିପାଠୀ ଲଢ଼ୁଛନ୍ତି।

ସମ୍ବନ୍ଧିତ ଖବର