ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାର ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଗତ ବର୍ଷ ଠାରୁ ଚର୍ଚ୍ଚାରେ ରହିଛି। ୨୦୧୮ରେ ଅନୁଷ୍ଠିତ ଉପନିର୍ବାଚନରେ କଂଗ୍ରେସ ଗଡ଼ କୁହାଯାଉଥିବା ବିଜେପୁରକୁ ନିଜ ଦଖଲକୁ ନେଇଥିଲା ବିଜୁ ଜନତା ଦଳ। ପୂର୍ବରୁ ୧୪ ବର୍ଷ ଧରି କଂଗ୍ରେସର ବିଧାୟକ ଥିବା ସୁବଳ ସାହୁଙ୍କ ଦେହାନ୍ତ ପରେ ଉପନିର୍ବାଚନରେ ତାଙ୍କ ପତ୍ନୀ ରୀତା ସାହୁ ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ନିର୍ବଚନ ଲଢ଼ି ୪୨,୦୦୦ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ।

Advertisment

ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରକୁ ନିଜର ଦ୍ୱିତୀୟ ନିର୍ବାଚନ ମଣ୍ଡଳୀ ଭାବେ ଘୋଷଣା କରି ଏଠାରେ ବହୁ ଉନ୍ନୟନମୂଳକ ପ୍ରକଳ୍ପ ଅନୁମୋଦନ କରିଥିଲେ । ମହାନ କବି ଗଙ୍ଗାଧର ମେହେରଙ୍କ ନାମରେ ଗଙ୍ଗାଧର ମେହେର ଉଠା ଜଳସେଚନ ଯୋଜନା, ଗଙ୍ଗାଧର ମେହେର ଅଡିଟୋରିୟମ୍‌ ଆଦିର ନିର୍ମାଣ କାର୍ଯ୍ୟ ଘୋଷଣା ହୋଇଥିଲା । କିନ୍ତୁ ଗଙ୍ଗାଧର ମେହେର ଉଠା ଜଳସେଚନ ଯୋଜନା କିମ୍ବା ଗଙ୍ଗାଧର ଅଡିଟୋରିଅମ୍‌ର କାମ ଆରମ୍ଭ ହୋଇ ପାରି ନ ଥିବା ଜଣାପଡ଼ିଛି ।publive-image

ଏହାଛଡ଼ା ସଂପ୍ରତି ଆରମ୍ଭ ହୋଇଥିବା କାଳିଆ ଯୋଜନାରୁ ଗଙ୍ଗାଧରଙ୍କ ଜନ୍ମସ୍ଥାନ ‘ବରପାଲି’, କର୍ମକ୍ଷେତ୍ର ‘ବିଜେପୁର’ ଓ ଅନ୍ୟତମ କର୍ମକ୍ଷେତ୍ର ‘ପଦ୍ମପୁର’ ବାଦ ପଡ଼ିଥିବା ଅଭିଯୋଗ ହୋଇଛି । ଏ ନେଇ ବରପାଲି କୃଷି ସଂଗଠନ ପକ୍ଷରୁ ଜନପ୍ରତିନିଧିଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି । ଏଥିସହ  ଚାଷୀ ନେତା ନୀଳମଣି ସାହୁ ମଧ୍ୟ ଅଭିଯାନ ଆରମ୍ଭ କରିଥିଲେ।  ବରପାଲିର ମେହେର ସମାଜ ଅଭିଯୋଗ କରିଛି, ଏହି ଯୋଜନା ସହିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ରାସନ୍‌ କାର୍ଡ଼ ଆଦିରୁ ମଧ୍ୟ ବହୁ ହିତାଧିକାରୀ ବଞ୍ଚିତ ହୋଇଛନ୍ତି । ଏହି ସବୁ ସମସ୍ୟା ଆଗାମୀ ନିର୍ବାଚନରେ ପ୍ରସଙ୍ଗ ହୋଇପାରେ।

ଅନ୍ୟ ପକ୍ଷରେ ବିଧାୟିକା ରୀତା ସାହୁଙ୍କ ବ୍ୟତୀତ ବିଜେଡି ଟିକେଟ ପାଇବା ଲାଗି ଏକାଧିକ ସ୍ଥାନୀୟ ନେତା ନବୀନ ନିବାସକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବଙ୍କ ନିକଟରେ ଆବେଦନ କରିଛନ୍ତି । ଏ ମଧ୍ୟରେ ଅଛନ୍ତି ବିଜୁ ଜନତା ଦଳର ଜିଲ୍ଲା ସାଧାରଣ ସଂପାଦକ ମହେନ୍ଦ୍ର କୁମାର ମେହେର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଭ୍ୟ ବିକ୍ରମ ସିଂହଦେଓ ଓ ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ପ୍ରଭାତ ଆଦିତ୍ୟ ମିଶ୍ର। ପ୍ରକାଶ ଥାଉ କି ଶ୍ରୀ ମିଶ୍ର ପୂର୍ବରୁ ୨୦୦୯ ମସିହାରେ ବିଜେଡି ପ୍ରାର୍ଥୀ ହୋଇ ସୁବଳ ସାହୁଙ୍କ ଠାରୁ ଅଳ୍ପ ଭୋଟରେ ପରାଜିତ ହୋଇଥିଲେ। ତେବେ ଟିକେଟ ଦୌଡ଼ରେ ବିଧାୟିକା ରୀତା ସାହୁ ଆଗରେ ରହିଥିବା ଆଲୋଚନା ହେଉଛି। ମାତ୍ର ଦଳର ସଭାପତି ଆଶାୟୀଙ୍କ ମଧ୍ୟରୁ କାହାକୁ ଟିକେଟ ଦେଉଛନ୍ତି ତାହା ଦେଖିବାକୁ ବିଜେପୁରବାସୀ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।