ବିଜେପୁର ଉପନିର୍ବାଚନ : ୧୪ ନାମାଙ୍କନ ବୈଧ, ୩ ଖାରଜ

ବରଗଡ଼/ପଦ୍ମପୁର : ବିଜେପୁର ଉପନିର୍ବାଚନ ପାଇଁ ବୁଧବାର ପ୍ରାର୍ଥୀପତ୍ର ଯାଂଚ ପରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି। ୧୭ଟି ନାମାଙ୍କନରୁ ୩ଟି ଖାରଜ ହୋଇଛି। ଏହି ତାଲିକାରେ ଅଛନ୍ତି ଉତ୍କଳ ଭାରତ ପ୍ରାର୍ଥୀ ଜଗତରାମ ପୁଟେଲ, ଦୁଇ ସ୍ୱାଧୀନ ପ୍ରାର୍ଥୀ କମଳ ଦାସ ଏବଂ ଦିଗାମ୍ବର ସାହୁ ଅଛନ୍ତି। ଶ୍ରୀ ପୁଟେଲଙ୍କ ପ୍ରସ୍ତାବକମାନଙ୍କ ମଧ୍ୟରୁ ଜଣେ ବିଜେପୁର ନିର୍ବାଚନ ମଣ୍ଡଳୀର ବାହାର ଲୋକ ହୋଇଥିବାରୁ ତାଙ୍କ ପ୍ରାର୍ଥୀପତ୍ର ଖାରଜ ହୋଇଥିବା ଜଣାପଡ଼ିଛି। ସେହିପରି ଶ୍ରୀ ଦାସ ଅତିରିକ୍ତ ଶପଥ ପାଠ ଦାଖଲ କରିନଥିବା ଏବଂ ଶ୍ରୀ ସାହୁ ଶପଥ ପତ୍ର କିମ୍ବା ଅତିରିକ୍ତ ଶପଥ ପତ୍ର ଦାଖଲ କରିନଥିବା ଯୋଗୁଁ ପ୍ରାର୍ଥୀପତ୍ର ଖାରଜ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ବିଜେପିର ଅଶୋକ ପାଣିଗ୍ରାହୀ, କଂଗ୍ରେସର ପ୍ରଣୟ ସାହୁ, ବିଜେଡିର ରୀତା ସାହୁ, ଏପିଆଇର ପୂର୍ଣ୍ଣଚନ୍ଦ୍ର ପାଇକ, ପିବିଆଇର ଯୁଗଳ କିଶୋର ସାହୁ, ଆର୍‌ପିଆଇ (ଏ) ଦେବହରି ହରପାଲ ଏବଂ ସଦାଶିବ ନାଗ, ସ୍ୱାଧୀନ ପ୍ରାର୍ଥୀ କୁବେର ଜାଲ ଯାଦବ, ପ୍ରମୋଦ ଛତର, ରାଜେନ୍ଦ୍ର ପୁରୋହିତ, ଚୂଡ଼ାମଣି କେଶହରୀ, ରଥ ଖାଲ୍‌କୋ, ଜେହେରୁ ବାଗ, ଦେବାର୍ଚ୍ଚନ ନାୟକଙ୍କ ପ୍ରାର୍ଥୀପତ୍ର କାଏମ ରହିଛି। ସୂଚନାଯୋଗ୍ୟ, ନିର୍ବାଚନ ଲଢ଼ିବା ପାଇଁ ୨୩ ଜଣ ଫର୍ମ ନେଇଥିବାବେଳେ ୧୭ଜଣ ଦାଖଲ କରିଥିଲେ।

ସମ୍ବନ୍ଧିତ ଖବର