ବିଜେପୁର ଉପନିର୍ବାଚନ : ମିଶ୍ରଣ ପର୍ବରେ ବିଜେପିର ଶକ୍ତି ପ୍ରଦର୍ଶନ

ଆମକୁ ରୋକିବାକୁ ଦୁଃସାହସ କରନି: ଧର୍ମେନ୍ଦ୍ର

ବିଜେଡି ଛାଡ଼ି ବିଜେପିରେ ଯୋଗଦେଲେ ବିଜେପୁର ଜମିଦାର

ବରଗଡ଼/ବିଜେପୁର : ଉପନିର୍ବାଚନ ପୂର୍ବରୁ ଆଜି ବିଜେଡି ଦୁର୍ଗ ଭାଙ୍ଗି ବିଜେପୁର ଜମିଦାର ସନତ ଗଡତିଆ ବିଜେପିରେ ଯୋଗଦେଇଛନ୍ତି। ବିଜେପୁରଠାରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ଆଳରେ ବିଜେପି ନିଜ ଶକ୍ତି ଦେଖାଇବାକୁ ଉଦ୍ୟମ କରିଛି। ବିଜେପୁରରେ ଦଳର ଶକ୍ତି ବଢୁଛି ଓ ପ୍ରତିପକ୍ଷ ବିଜେଡି ଛିଡୁଛି ବୋଲି ଦଳୀୟ ନେତାମାନେ ଦମ୍ଭୋକ୍ତି ପ୍ରକାଶ କରିଥଇଲେ। କେବଳ ସେତିକି ନୁହେଁ, ଦଳର ଛାମୁଆ କର୍ମୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପର୍ଯ୍ୟନ୍ତ ସମସ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି ମନଇଚ୍ଛା ବର୍ଷିଥିଲେ। ସ୍ଥାନୀୟ ପିଇବା ପାଣି ସମସ୍ୟା ଠାରୁ ଆରମ୍ଭ କରି କୁନ୍ଦୁଲି ଯାଏ, ଜଳସେଚନ ପ୍ରକଳ୍ପରୁ ଚାଷୀ ପ୍ରସଙ୍ଗ ଯାଏ ପ୍ରସଙ୍ଗ ଉଠାଇ ବିଜେଡି ଓ ରାଜ୍ୟ ସରକାରଙ୍କ ଉପରେ ଅଭିଯୋଗର ପାହାଡ଼ ଲଦିଦେଇଥିଲେ। ଅପରାହ୍ନରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବିଜେପି କର୍ମୀଙ୍କ ମନବଳ ବଢାଇବା ଲାଗି ଏକାଧିକ କାର୍ଯ୍ୟକ୍ରମ କରିଛନ୍ତି। ଏଥିସହିତ ବିଜେପୁର ଉପନିର୍ବାଚନ ରାଜନୀତି ଧୀରେ ଧୀରେ ତେଜିବାରେ ଲାଗିଛି। ପ୍ରଚାରରେ ବିଜେଡିକୁ ପଛରେ ପକାଇବା ଲାଗି ବିଜେପି ନେତାମାନେ ଜୋରଦାର ଉଦ୍ୟମ ଚଳାଇଛନ୍ତି।

ଉଲ୍ଲେଖଯୋଗ୍ୟ, ଶୁକ୍ରବାର ବିଜେପୁରଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେଠାକାର ଜମିଦାର ସନତ ଗଡ଼ତିଆ ଏବଂ ତାଙ୍କ ସମର୍ଥକମାନେ ବିଜେଡି ଛାଡ଼ି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ସଭାରେ ଆଶାନୁରୂପକ ଭିଡ଼ ଦେଖି ବିଜେପୁରରେ ପ୍ରବଳ ଜନ ସମର୍ଥନ ମିଳିବ ବୋଲି ବିଜେପି ଆକଳନ କରୁଛି। ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡି ସରକାର ବିରୋଧୀ ମନ୍ତବ୍ୟକୁ ଆହୁରି ଶାଣିତ କରିଥିଲେ। କହିଥିଲେ, ଦୀର୍ଘ ୧୮ ବର୍ଷ ହେଲା ବିଜେଡି ସରକାର ବିଜେପୁରକୁ ପାଣି ବୁନ୍ଦାଏରୁ ବଂଚିତ ରଖିଛି। ନିର୍ବାଚନ ପାଇଁ ଏବେ ବିନା କିଛି ଯୋଜନାରେ ୧୨୫୦ କୋଟି ଟଙ୍କାର ଜଳସେଚନ ପ୍ରକଳ୍ପ ଘୋଷଣା କରି ଲୋକଙ୍କୁ ଦିନ ବେଳା ତାରା ଦେଖାଇଛି। ଲୋକଙ୍କୁ ପାଣି, ବିଜୁଳି ଏବଂ ରାସ୍ତାରୁ ବଞ୍ଚିତ ରଖିଥିବା ବିଜେଡି ଏବେ ବିଜେପି ସହ ପ୍ରତିଦ୍ୱନ୍ଦ୍ୱିତା ସ୍ତରକୁ ପହଞ୍ଚିନାହିଁ। ଏଣୁ ବିଜେଡି ନେତାମାନେ ପଡ଼ା ଗାଁ ଠାରେ ଗୁଳିକାଣ୍ଡ ଘଟାଇ ଲୋକଙ୍କୁ ଆତଙ୍କିତ କରିବାକୁ ଚେଷ୍ଟା କରୁଛନ୍ତି। ସେମାନଙ୍କ  କୌଣସି ଚାଲ୍‌ କାମ ଦେବ ନାହିଁ। ବିଜେପିକୁ ରୋକିବାକୁ ଆଉ ଦୁଃସାହସ କରନି ବୋଲି ଶ୍ରୀ ପ୍ରଧାନ ଏହି ଅବସରରେ ଚେତାବନୀ ଦେଇଥିଲେ।

କୁଲତା ବର୍ଗକୁ ଆକର୍ଷିତ କରିବା ଲାଗି ନିଜକୁ ଚାଷୀ ବୋଲି ପରିଚୟ ଦେବା ସହିତ ଶ୍ରୀ ପ୍ରଧାନ କହିଥିଲେ, ଓଡ଼ିଶାରେ ବିଜେଡି ଚାଷୀ ଏବଂ ଗରିବ ଲୋକଙ୍କ ପକେଟ୍‌ ଖାଲି କରି ଦେଉଛି। ଅନ୍ୟପକ୍ଷରେ ବିଜେପି ସରକାର ପକେଟ୍‌ ଭରି ଦେଉଛନ୍ତି। ନରେନ୍ଦ୍ର ମୋଦିଙ୍କ ସାଢ଼େ ୩ବର୍ଷ ଶାସନ କାଳରେ ଲୋକେ ସ୍ୱାବଲମ୍ବୀ ହୋଇ ସାରିଲେଣି।  ନରେନ୍ଦ୍ର ମୋଦିଙ୍କ ଭଳି ବିଜେପୁର ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ଜଣେ ସେବକ ଭଳି ଜନତାଙ୍କ କାମ କରିବେ। ଅଶୋକଙ୍କୁ ୧୪ ମାସ ସେବା କରିବାର ସୁଯୋଗ ମିଳିଲେ ବିଜେପି ଶାସନର ଫରକ୍‌ ଲୋକେ ଠଉରାଇ ପାରିବେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମତ ଦେଇଥିଲେ।

ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା, କନକ ବର୍ଦ୍ଧନ ସିଂହଦେଓ, ଜୟନାରାୟଣ ମିଶ୍ର, ମନମୋହନ ସାମଲ, ସମୀର ଦେ, ସୁବାସ ଚୌହାନ, ମିହିର ଦାସ, ମହାଶ୍ୱେତା ରାୟ, ସୁନୀଲ ସିଂହଦେଓ, ଲେଖାଶ୍ରୀ ସାମନ୍ତ ସିଂହାର, ନାଉରୀ ନାୟକ, ଦେବବ୍ରତ ମିଶ୍ର, ରବିନାରାୟଣ ଦାଶ, ଡୋଳାମଣି ଭୋଇ, ହଳପାଣି ମାଝୀ, ଗୋବର୍ଦ୍ଧନ ଭୁଏ, ରାଧେଶ୍ୟାମ ମିଶ୍ର ପ୍ରମୁଖ ମଂଚାସୀନ ଥିଲେ।   ଜିଲ୍ଲା ସଭାପତି ଡା. ଅରୂପା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସୁରେଶ୍ୱର ଶତପଥୀ ସଭା ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର