ବିଜେପୁର ଉପନିର୍ବାଚନ : ଭୋଟର୍‌ ମାଗୁଛନ୍ତି ବିକାଶର ହିସାବ

ବରଗଡ଼ : ସବୁ ବୁଦ୍ଧି ପ୍ରୟୋଗ କରି ରାଜନୈତିକ ଦଳ ବିଜେପୁର ଆସନ ହାତେଇ ନେବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି। ସିନେ ତାରକାଙ୍କୁ ନେଇ ରଂଗିନ ରୋଡ୍‌ ସୋ’ ଏବଂ ହେଭିେଓ୍ଵଟ୍‌କୁ ନେଇ ସଭା ଚଳାଇଛନ୍ତି। ରାଜନୈତିକ ଦଳଗୁଡ଼ିକ ନିଜର ସଫଳତା ତୁଳନାରେ ଅନ୍ୟ ଦଳର ବିଫଳତାକୁ ଭୋଟର୍‌ଙ୍କ ଆଗରେ ପରଷି ଦେଉଛନ୍ତି।

ହେଲେ ଭୋଟର୍‌ ଏହି ମାହୋଲକୁ ସହଜରେ ହଜମ କରୁନାହାନ୍ତି। ଭୋଟର୍‌ ନେତାଙ୍କୁ ବିକାଶର ହିସାବ ମାଗିବା ଆରମ୍ଭ କରିଦେଲେଣି। ପ୍ରଚାରକୁ ଆସୁଥିବା ନେତା ମନ୍ତ୍ରୀଙ୍କୁ ବେଳେ ବେଳେ ଏହି ହିସାବ ରଖିବାକୁ କହୁଥିବା ଦେଖାଯାଉଛି।

ଗତ ଦୁଇ ଦଶନ୍ଧି ହେଲା ବିଜେପୁର ନିର୍ବାଚନମଣ୍ଡଳୀର ସାମାଜିକ ଏବଂ ଅର୍ଥନୈତିକ ବିକାଶରେ ସେଭଳି କିଛି ବଡ଼ ଧରଣର ପରିବର୍ତ୍ତନ ହୋଇନାହିଁ। ତେଣୁ ଶିକ୍ଷିତ ଭୋଟର୍‌ କେବଳ ବିକାଶ ଆଧାରରେ ହିଁ ଭୋଟ୍‌ ଦେବାକୁ ସଜବାଜ ହେଉଛନ୍ତି। ୨୦୦୧ ଜନଗଣନାରେ ବରଗଡ଼ ଜିଲ୍ଲାର ସାକ୍ଷରତା ହାର ୬୩.୯୯% ଥିଲା। ଯାହା ୨୦୧୧ରେ ବଢ଼ି ୬୬.୪୨%ରେ ପହଂଚିଛି। ଗତ ୬ବର୍ଷରେ ସାକ୍ଷରତା ହାର ଆହୁରି ବଢ଼ିଥିବ। ତେଣୁ ପାରମ୍ପରିକ ଭାଷଣବାଜିରେ ଶିକ୍ଷିତ ଭୋଟର୍‌ଙ୍କୁ ଆକୃଷ୍ଟ କରିବା ଅବାସ୍ତବ ମନେ ହେଲାଣି। ଏହାକୁ ରାଜନୈତିକ ଦଳ ମଧ୍ୟ ହୃଦବୋଧ କରୁଥିବା ପରିଲକ୍ଷିତ ହେଉଛି। ତେଣୁ ପ୍ରଚାର ଅଭିଯାନ କିମ୍ବା ରାଜନୈତିକ ସଭାରେ ଊଣାଅଧିକେ ‘ବିକାଶ’ ପ୍ରସଂଗ ମଧ୍ୟ ଉଠୁଛି।

୧୯୬୧ ମସିହାରୁ ଏହି ମଣ୍ଡଳୀ ୧୪ଟି ନିର୍ବାଚନ (ଗୋଟିଏ ଉପନିର୍ବାଚନ ସମେତ) ଦେଖିଛି। କିନ୍ତୁ ବିକାଶ ଧାରା ନେଇ ଭୋଟର୍‌ ସନ୍ତୁଷ୍ଟ ନାହାନ୍ତି। ପରିସଂଖ୍ୟାନ ଅନୁସାରେ, ଗତ ୯ବର୍ଷରେ ବିଧାୟକ ପାଣ୍ଠିରୁ ମାତ୍ର ୪୬.୪୩ ପ୍ରତିଶତ ଅର୍ଥରାଶି ବିନିଯୋଗ ହୋଇପାରିଛି। ୨୦୧୭-୧୮ ଆର୍ଥିକ ବର୍ଷରେ ସୁବଳ ସାହୁ ଅସୁସ୍ଥତା ଯୋଗୁଁ ବାହାରକୁ ଚିକିତ୍ସା ପାଇଁ ଯାଇଥିବାରୁ ନିର୍ବାଚନମଣ୍ଡଳୀରୁ ଦୂରେଇ ରହିଥିଲେ। ତେଣୁ ଏହି ଅବଧିରେ ମିଳିଥିବା ୧କୋଟି ଟଙ୍କାର ପାଣ୍ଠିରୁ ମାତ୍ର ୨୮.୫୦ ଲକ୍ଷ ଟଙ୍କା ବିନିଯୋଗ ହୋଇପାରିଛି। ରାଜ୍ୟ ଶାସନରେ ବିରୋଧୀ ଦଳ ରହୁଥିବାରୁ ବିଜେପୁର ନିର୍ବାଚନମଣ୍ଡଳୀ ଅଣଦେଖାର ଶିକାର ହୋଇଥିବା କଂଗ୍ରେସ ଅଭିଯୋଗ କରି ଆସୁଛି।

ଗାଇସିଲାଟ୍‌ ଏବଂ ବରପାଲିର ୨ଟି ଲେଖାଏଁ ଏବଂ ବିଜେପୁରର ୩ଟି ଜିଲ୍ଲା ପରିଷଦ ଜୋନ୍‌କୁ ନେଇ ଗଠିତ ବିଜେପୁର ବିଧାନସଭା ମଣ୍ଡଳୀକୁ ବିଭିନ୍ନ ସ୍ତରରେ ଅଣଦେଖା କରାଯାଉଥିବା ମଧ୍ୟ ଅଭିଯୋଗ ହୁଏ। ପାଣ୍ଠି ଅଭାବରୁ ସବୁ ଜୋନ୍‌କୁ ସମାନ୍ତରାଳ ଭାବେ ବିକାଶ ଧାରାରେ ଆଗେଇ ନେବା କାଠିକର ପାଠ। ତେଣୁ ଗୁଡ଼ାଏ ପ୍ରକଳ୍ପ ପାଣ୍ଠି ଅଭାବରୁ ହିଁ ଅଟକି ପଡ଼ିଛି। ୨୦୦୦ରୁ ୨୦୦୪ ମସିହାରେ ଥରୁଟିଏ ଏଠାରେ ବିଜେଡି ଶାସନ ଡୋରି ଧରିଥିଲା। ଏଥର ପ୍ରଚାର ବେଳେ ବିଜେଡି ସେହି ଅବଧିର ବିଭିନ୍ନ କାର୍ଯ୍ୟ ସାଂଗକୁ ସରକାରଙ୍କ ୧୮ବର୍ଷର ଶାସନ କାଳର ହିସାବ ଭୋଟର୍‌ଙ୍କ ଆଗରେ ରଖୁଛି। ଗତ ପଞ୍ଚାୟତ ନିର୍ବାଚନରେ ମଧୁର ଫଳ ପାଇଥିବା ବିଜେପି ବିଜେପୁରରେ ପ୍ରଥମ ବିଜୟ ସ୍ୱାଦ ଚାଖିବାକୁ ଉତ୍ସାହିତ ରହିଛି। ତେଣୁ ମୋଦି ସରକାରଙ୍କ ବିଭିନ୍ନ ଯୋଜନାକୁ ପ୍ରଚାରକ ମାନେ ଜନତାଙ୍କ ଆଗରେ ଉପସ୍ଥାପନ କରୁଛନ୍ତି। କିନ୍ତୁ ସିଂହଭାଗ ଭୋଟର୍‌ ସବୁ ରାଜନୈତିକ ଦଳର ବିକାଶଧାରାକୁ ତଉଲିବା ପରେ ମତଦାନ କରିବେ ବୋଲି ମନସ୍ଥ କରୁଥିବା ଜଳଜଳ ଦିଶୁଛି।

ସିନେ ଷ୍ଟାରଙ୍କୁ ଖରା ଭୟ

ବରଗଡ଼ : ଅଦିନିଆ ଉପନିର୍ବାଚନ ରାଜ୍ୟର ବାତାବରଣକୁ ଗରମ କରି ଦେଇଥିଲା। ତହିଁରେ ସୂର୍ଯ୍ୟ ଦେବତାଙ୍କ ପ୍ରକୋପ ନିର୍ବାଚନ ପାଖେଇ ଆସିବା ଦିନରୁ ଆହୁରି ବଢ଼ିଛି। ପଶ୍ଚିମ ଓଡ଼ିଶାରେ ସର୍ବୋଚ୍ଚ ତାପମାତ୍ରା ପାଖାପାଖି ୩୫ ଡିଗ୍ରି ସେଲସିଅସ୍‌ ଛୁଇଁଲାଣି। ଏହି ତାତିରେ ସବୁଠୁ ବେଶି କଲବଲ ହେଉଛନ୍ତି ସିନେ ଷ୍ଟାରମାନେ। ଚେହେରା ଏବଂ ସ୍ୱାସ୍ଥ୍ୟକୁ ଜଗି ରହୁଥିବା ଏହି ଷ୍ଟାର ପ୍ରଚାରକ ଏବେ ମାରାଥନ ପ୍ରଚାର କରି ଝାଳନାଳ। ଖରାରେ ବୁଲିବୁଲି ମୁହଁ ମଳିଚିଆ ଦେଖା ଦେଲାଣି। ତେଣୁ ସିନେ ଷ୍ଟାରମାନେ ଟାଣ ଖରାରେ କ୍ୱଚିତ ବାହରକୁ ବାହାରୁଛନ୍ତି। ଅପରାହ୍ନରେ ସୂର୍ଯ୍ୟଙ୍କ ପ୍ରକୋପ କମିଲେ ପ୍ରଚାରକୁ ଗୋଡ଼ କାଢ଼ୁଛନ୍ତି। ବିଳମ୍ବିତ ସଂଧ୍ୟା ଯାଏଁ ସେମାନେ ରୋଡ୍‌ ସୋ’ ଚଳାଇଛନ୍ତି। ସୁଟିଂ ସାରି ଭୋଟିଂରେ ମାତିଥିବା ଏହି ଚଳଚ୍ଚିତ୍ର ତାରକାଙ୍କ ପାଇଁ ଏବେ ପ୍ରଯୋଜକମାନେ ମଧ୍ୟ ଚିନ୍ତାରେ। ରଜ ପାଇଁ ରିଲିଜ୍‌ ହେବାକୁ ଥିବା ମେଗା ବଜେଟ୍‌ର ସିନେମାର ସୁଟିଂ ଏବେ ବନ୍ଦ ରହିଛି। ୨୨ ତାରିଖ ପରେ ହିଁ ସିନେ ଷ୍ଟାରମାନେ ସୁଟିଂ ପାଇଁ ଉପଲବ୍ଧ ହେବେ। କାରଣ ସେହିଦିନରୁ ପ୍ରଚାର ଅଭିଯାନରେ କଟକଣା ଲାଗୁ ହେବ। ତେଣୁ ସୁଟିଂରେ ବିଳମ୍ବ ହେଉଥିବାରୁ ପ୍ରଯୋଜକମାନେ ଚିନ୍ତାରେ ପଡ଼ିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର