ଚୂଡ଼ାନ୍ତ ପ୍ରଚାରରେ ବଳ କଷାକଷି

ଶେଷ ସ୍ପର୍ଶ ଦେବାକୁ ଆସୁଛନ୍ତି ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ

ବିଜେପୁର : ନିର୍ବାଚନୀ ଚାକଚକ୍ୟରେ ବଦଳିଗଲାଣି ବିଜେପୁରର ରଙ୍ଗ। ସବୁ ଦଳର ବରିଷ୍ଠ ଓ ଅଭିଜ୍ଞ ନେତାଙ୍କଠାରୁ ଆରମ୍ଭ କରି ନୂଆ ପିଢ଼ିର ନେତା ଯାଏ ଏଠି ଏବେ ଡେରା ପକାଇଛନ୍ତି। ଚଳଚ୍ଚିତ୍ର ଅଭିନେତା, ଗଣମାଧ୍ୟମ ପ୍ରତିନିଧି, ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଭରପୂର ହୋଉଠିଛି ନିର୍ବାଚନମଣ୍ଡଳୀ। ଦୋକାନ, ବଜାର, ଢାବା ଆଦିରେ ଭିଡ଼ ସାଙ୍ଗକୁ ଦାମିକିଆ ଗାଡିର ରେସ୍‌ ଲାଗିଛି । ଉପକୂଳିଆ ନେତାଙ୍କ ଭିଡ଼ ଯୋଗୁଁ କର୍ମୀମାନେ ମଧ୍ୟ ଅଧିକଂଶ ସମୟରେ ଉପକୂଳିଆ ଭାଷାରେ କଥାବାର୍ତ୍ତା କରୁଛନ୍ତି । ତେଣୁ ଏଠାକାର ଚାଲିଚଳନ, କଥାବାର୍ତ୍ତାରେ ବି ଘଟିଛି ପରିବର୍ତ୍ତନ। ବିଜେପୁର ଯେମିତି ଦ୍ୱିତୀୟ ରାଜଧାନୀ ପାଲଟିଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପଧାନ, ଜୁଏଲ ଓରାମ କି ସ୍ମୃତି ଇରାନୀଙ୍କ ଭଳିଆ କେନ୍ଦ୍ର ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଏ ସମସ୍ତେ ସାମିଲ ହେଉଛନ୍ତି ନିର୍ବାଚନୀ ପ୍ରଚାରରେ।

ଉପନିର୍ବାଚନ ପାଇଁ ଆଚରଣ ବିଧି ଲଗାମ ଥିବାରୁ ଭୋଟର ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ଅପେକ୍ଷା କରି ନାହାନ୍ତିି ବରଂ ପରୋକ୍ଷ ଇଙ୍ଗିତକୁ ଅନାଇ ରହିଛନ୍ତି। ମୁଖ୍ୟମନ୍ତ୍ରୀ କେବଳ ଚିରାଚରିତ ଶୈଳୀରେ ନିଜ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ମାଗିବେ କି ପ୍ରଚାର ତାଙ୍କର ପ୍ରସଙ୍ଗ ଭିତ୍ତିକ ହେବ ସେ ନେଇ ଆଲୋଚନା ଜୋର୍‌ ଧରିଛି। ପ୍ରଚାରର ଶେଷ ପର୍ଯ୍ୟାୟରେ ଦଳର ସବୁଠୁ ହେଭିେଓ୍ଵଟ ନେତା ନବୀନ ପଟ୍ଟନାୟକ ଆସୁଥିବାରୁ ବିଜେଡି ଶିବିରରେ ନେତାଠୁ ନେଇ କର୍ମୀଙ୍କ ମଧ୍ୟରେ ମନୋବଳ ବୃଦ୍ଧି ପାଇଥିବା ଅନୁମାନ କରାଯାଉଛି।

ଦୁଇ ବର୍ଷ ପୂର୍ବରୁ ମୁଖ୍ୟମନ୍ତ୍ରୀ ୨୦୧୬ରେ ପଞ୍ଚାୟତ ନିର୍ବାଚନ ପ୍ରଚାର ପାଇଁ ଓ ତା’ ପୂର୍ବରୁ ୨୦୧୪ ଫେବ୍ରୁଆରିରେ ବିଧାନସଭା ନିର୍ବାଚନ ସମୟରେ ବିଜେପୁର ଗସ୍ତରେ ଆସିଥିଲେ। ହିତାଧିକାରୀଙ୍କୁ ଜମି ପଟ୍ଟା ବଣ୍ଟନ, ମଧୁବାବୁ ପେନସନ ବଣ୍ଟନ, ନିର୍ମାଣ ଶ୍ରମିଙ୍କୁ ସାଇକଲ ବଣ୍ଟନ, ଏସ୍‌ଏଚ୍‌ଜିଗୁଡ଼ିକୁ ସହାୟତା, ବିଜୁ ସଶକ୍ତୀକରଣ ଯୋଜନାରେ ଯୁବକ ସଂଘକୁ ସହାୟତା ଆଦି ପ୍ରଦାନ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ବିଜେପୁରକୁ ଏନ୍‌ଏସି ଘୋଷଣା, ମେଗା ଜଳସେଚନ ପ୍ରକଳ୍ପ ବ୍ୟବସ୍ଥା ଆଦି ତାଙ୍କ ଦପ୍ତରରୁ ହୋଇଥିଲା।

ତେଣେ ବିଜେପି ବି ପଛରେ ପଡ଼ି ନାହିଁ। ଏଭଳି ସ୍ଥିତିକୁ ଟକ୍କର ଦେବାକୁ ଯାଇ ଦଳ କେନ୍ଦ୍ର ମନ୍ତ୍ରୀଙ୍କ ଗହଣରେ ପୂରା ଦମ୍‌ ରେ ମଇଦାନକୁ ଓହ୍ଲାଇବ ବୋଲି ସ୍ପଷ୍ଟ ହୋଇ ସାରିଲାଣି। ଦେଶରେ ଚାଲିଥିବା ମୋଦି ଲହରକୁ ଭୋଟର୍‌ଙ୍କ ମନରେ ଭରିବାରେ ସଫଳ ହେବ ବୋଲି ବିଜେପି ଦଳ ଯଥେଷ୍ଟ ଆଶାବାଦୀ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି ବନାମ ମୋଦି ଲହର କିଏ ଭୋଟର୍‌ଙ୍କୁ ଅଧିକ ଆକୃଷ୍ଟ କରିବ ତାହା ଏବେ ଉଭୟ ଦଳର କର୍ମକର୍ତ୍ତାଙ୍କ ପାଇଁ ଉତ୍କଣ୍ଠା ଓ ମୁଣ୍ଡ ବ୍ୟଥା ଭଳି ପରସ୍ପର ବିରୋଧୀ ପ୍ରତିକ୍ରିୟା ସୃଷ୍ଟି କରୁଛି। ଅନ୍ୟପଟେ ବିଜେପି ଓ ବିଜେଡିର ପ୍ରତିପତ୍ତିଶାଳୀ ପ୍ରଚାରକୁ ନାକ ଟେକୁଥିବା କଂଗ୍ରେସ ଦଳ ଭିନ୍ନ ଶୈଳୀରେ ଶେଷ ପ୍ରଚାର କରିବ ଓ ଭୋଟର ଏହାକୁ ଗ୍ରହଣ କରିବେ ବୋଲି ଦଳ ପକ୍ଷରୁ ଆଶା କରାଯାଉଛି।

ଆସନ୍ତା ଗୁରୁବାର ପ୍ରଚାର ବନ୍ଦ ହେବା ପୂର୍ବରୁ ଶେଷ ମନ୍ତ୍ର ଫୁଙ୍କି ନେତାମାନେ ନିଜ ନିଜ ସ୍ଥାନକୁ ପ୍ରତ୍ୟାବର୍ତନ କରିବେ । ତେଣୁ ନିର୍ବାଚନୀ କାଉଣ୍ଟଡାଉନ ଆରମ୍ଭ ହୋଇଥିବା ବେଳେ ଦଳଗୁଡିକ ଚୁଡାନ୍ତ ବ୍ଲୁ-ପ୍ରିଣ୍ଟ ତିଆରିରେ ବ୍ୟସ୍ତ। ପୁଣି ଏଭଳି ସ୍ଥିତିରେ ନେତା ଓ କର୍ମୀଙ୍କ ଦଳ ବଦଳ ବିଭିନ୍ନ ଦଳକୁ ଯେତିକି ସୁହାଉଛି, ସେତିକି ବାଧା ମଧ୍ୟ ସୃଷ୍ଟି କରୁଥିବା ଅନୁମାନ କରାଯାଉଛି। କୌଣସି ଦଳରେ ଗୋଟିଏ ନେତା ସାମିଲ ହେଉଥିବା ବେଳେ ସମାନ୍ତରାଳ ଭାବେ ଅନ୍ୟ ଜଣେ ନେତା ଦଳ ଛାଡ଼ି ଅନ୍ୟ ଦଳକୁ ଚାଲି ଯାଉଛନ୍ତି। ବିଜେପି ଓ ବିଜେଡିରେ ଆରମ୍ଭରୁ ଏହି ଦଳବଦଳ ଖେଳ ଚାଲିଛି। ତେବେ ଅତ୍ୟଧିକ ମିଶ୍ରଣ ଯଦି ଅପମିଶ୍ରଣ ସ୍ତରକୁ ପହଞ୍ଚି ଯାଏ ତେବେ ଦଳଗୁଡ଼ିକ ପାଇଁ ସାଂଘାତିକ ପରିସ୍ଥିତି ସୃଷ୍ଟି ଆଶଙ୍କାକୁ ବି ଏଡ଼ାଇ ଦିଆଯାଇ ନ ପାରେ। ଏଭଳି ସ୍ଥିତିରେ ଦଳର ମୁଖିଆମାନେ ନିରବ ଭୋଟରଙ୍କୁ ପଢ଼ିବେ କି ପରିବର୍ତ୍ତନଶୀଳ କର୍ମୀଙ୍କୁ ସମ୍ଭାଳିବେ ନା ଦଳରେ ଦେଖା ଦେଇଥିବା ଅସନ୍ତୋଷ ସମାଧାନ କରିବେ ତାକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି।

ସମ୍ବନ୍ଧିତ ଖବର