ନେତାଙ୍କ ଛାତି ଧଡ଼ ଧଡ଼

ପ୍ରଚାର ସରିଲା, ୨୪ରେ ଭୋଟ୍‌

ସ୍ଥାନୀୟ ନେତାଙ୍କ ଅନ୍ଧାରି ବିଜେ

(ବିଜେପୁରରୁ ଭବାନୀ ଶଙ୍କର ତ୍ରିପାଠୀ) : ଦୀର୍ଘ ଦୁଇ ସପ୍ତାହ ଧରି ବିଜେପୁର ନିର୍ବାଚନମଣ୍ଡଳୀରେ ଚାଲିଥିବା ପ୍ରଚାରରେ ଆଜି ପୂର୍ଣ୍ଣଚ୍ଛେଦ ପଡ଼ିଛି। ନିର୍ବାଚନ କମିସନଙ୍କ ନିୟମ ମାନି ପ୍ରମୁଖ ରାଜନୈତିକ ଦଳର କାର୍ପଟଦାରମାନଙ୍କ ମଧ୍ୟରୁ କେତେଜଣ ଜିଲ୍ଲା ଛାଡ଼ିଛନ୍ତି। ଆଉ କିଛି ସନ୍ଧ୍ୟା ପୂର୍ବରୁ ବିଭିନ୍ନ ପଡ଼ା ଓ ଗାଁର ନିରାପଦ ସ୍ଥାନରେ ଛପିଯାଇଛନ୍ତି। ପଡ଼ୋଶୀ ନିର୍ବାଚନମଣ୍ଡଳୀ ସୀମାରେ ରହି ପରିସ୍ଥିତି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବା ଲାଗି କେତେ ଜଣ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି। ଆଜି ରାତିରୁ ଅନ୍ଧାରି ବିଜେ ଆରମ୍ଭ ହେବ ଓ ପ୍ରଚାରରେ ଗୁରୁତ୍ୱହୀନ ହୋଇପଡ଼ିଥିବା ନେତାଙ୍କ ପ୍ରଭାବ ବଢ଼ିବ। ସେମାନଙ୍କୁ ଏ କ୍ଷେତ୍ରରେ ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ବିଜେପି ଗୁରୁତ୍ୱ ଦେଇଛନ୍ତି।

ଏପଟେ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀଙ୍କ ବ୍ୟକ୍ତିତ୍ୱ, ପାରଦର୍ଶିତା, ଅନୁକମ୍ପା, ପ୍ରଚାର ତରିକା, ନିର୍ବାଚନୀ ପ୍ରସଙ୍ଗ ଓ ଏହି କିଛି ଦିନ ମଧ୍ୟରେ ସୃଷ୍ଟି ହୋଇଥିବା ଏକାଧିକ ବିବାଦକୁ ସାମ୍ନାରେ ରଖି କାହା ସପକ୍ଷରେ ମତ ଦେବେ ସେ ନେଇ ଭୋଟର ତର୍ଜମା ଆରମ୍ଭ କରିଦେଲେଣି। ଆଜି ରାତି ଯାଏ ମଧ୍ୟ ଏହି ନିର୍ବାଚନ ମଣ୍ଡଳୀର ଏକ ବଡ଼ ସଂଖ୍ୟାର ଭୋଟର ନିର୍ଦିଷ୍ଟ କେଉଁ ଦଳ ସପକ୍ଷରେ ରାୟ ଦେବେ ତାହା ନିର୍ଣ୍ଣୟ କରିନାହାନ୍ତି ବୋଲି ଆମକୁ ନାମ ଗୋପନ ସର୍ତ୍ତରେ ସୂଚନା ଦେଇଥିଲେ। କିନ୍ତୁ ଅଧିକାଂଶ ମତ ସୂଚାଇ ଦେଉଛି ଯେ ଚିରାଚରିତ ପ୍ରକ୍ରିୟାରୁ ଓହରିଯାଇ ଏକ ବଡ଼ ପରିବର୍ତନ ଲାଗି ସେମାନେ ମନ ବଳାଇଛନ୍ତି। ତାଙ୍କ ମପାଚୁପା ପ୍ରତିକ୍ରିୟା ଏହି ସଙ୍କେତ ଦେଉଛି।

ଉଲ୍ଲେଖଯୋଗ୍ୟ, ନିର୍ବାଚନ ପ୍ରଚାର ସମୟରେ ମୁଖ୍ୟତଃ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କ ବିରୋଧରେ ଅଭିଯୋଗର ପାହାଡ଼ ଛିଡ଼ା କରାଇଥିଲେ। ଦୁର୍ନୀତି, ଭ୍ରଷ୍ଟାଚାରଠାରୁ ଆରମ୍ଭ କରି ନିର୍ବାଚନ ମଣ୍ଡଳୀକୁ ସରକାର କିଭଳି ଅବହେଳା କରିଛନ୍ତି ସବୁ କାର୍ଡ ଏମାନେ ଖେଳିଛନ୍ତି। ହେଲେ ଏସବୁ ଭୋଟରଙ୍କ ମନରେ ବିଜେଡି ବିରୋଧରେ କ୍ରୋଧ ସୃଷ୍ଟି କରିବାରେ ସକ୍ଷମ ହୋଇଛି କି? ନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡିର ତୁଙ୍ଗନେତାମାନେ ସେମାନଙ୍କ ସାମ୍ନାରେ ରଖିଥିବା ପ୍ରତିଶ୍ରୁତିକୁ ବିଶ୍ୱାସ ବା ଭରସା କରିବେ? ଏମିତି ଦ୍ୱନ୍ଦ୍ୱ ଭିତରେ ଭୋଟରେ ଏବେ ବି ଗତି କରୁଛନ୍ତି।

ଅନ୍ୟପକ୍ଷରେ ଯଦିଓ ଜଣେ ପ୍ରାର୍ଥୀ ସର୍ବାଧିକ ୨୮ ଲକ୍ଷ ଟଙ୍କା ଯାଏ ଖର୍ଚ୍ଚ କରିପାରିବେ ବୋଲି ନିର୍ବାଚନ କମିସନ ସ୍ପଷ୍ଟ କରିଛନ୍ତି ଏହା କେବଳ ଧର୍ମକୁ ଆଖିଠାର ଭଳି ସ୍ଲୋଗାନରେ ପରିଣତ ହୋଇଛି। ସଦ୍ୟ ସମାପ୍ତ ଗୁଜୁରାଟ ବିଧାନସଭା ନିର୍ବାଚନର ହାଇପ୍ରୋଫାଇଲ୍‌ ପ୍ରଚାରରେ ଏହି ନିୟମକୁ ଯେ କଡ଼ାକଡ଼ି ଭାବେ ପାଳନ କରାଯାଇଥିଲା ଏକଥାକୁ କେହି ବିଶ୍ୱାସ କରିବାକୁ ନାରାଜ। ବିଜେପୁର ଉପନିର୍ବାଚନରେ ସ୍ଥିତି ମଧ୍ୟ ସେୟା। ଏହି ଉପନିର୍ବାଚନ ଲାଗି ଭାରତ ନିର୍ବାଚନ କମିସନ ସାଧାରଣ ଓ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତି ଦେଇଛନ୍ତି। ହେଲେ ଦୁଇ ସପ୍ତାହ ଧରି ଚାଲିଥିବା ହାଇଭୋଲଟେଜ୍‌ ପ୍ରଚାରରେ ଏମାନଙ୍କ ଭୂମିକା କେତେ ପ୍ରଭାବୀ ଥିଲା ଏକଥା ଭୋଟର ଅନୁଭବ କରିପାରିଲେ ନାହିଁ। କାରଣ ହାଇଟେକ୍‌ ପ୍ରଚାର, ସଭା, ସାମିଆନା ହିସାବ କଥା ଦୂରେ ଥାଉ; ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ରାଜନୈତିକ ଦଳ ଯେଉଁ ଭଳି ଗାଡ଼ି ଘୋଡ଼ା ବୁଲାଇ ଗାଁ ଦାଣ୍ଡ ଧୂଳିମୟ କରିଦେଇଥିଲେ ତାହାକୁ ହିସାବକୁ ନେଲେ ଏ କ୍ଷେତ୍ରରେ ପ୍ରାର୍ଥୀଙ୍କ ବ୍ୟୟ ହୁଏତ ଖର୍ଚ୍ଚର୍ ସୀମା ଡେଇଁବା ବିଚିତ୍ର ନୁହେଁ। ନିର୍ବାଚନ ପ୍ରଚାର ବେଳେ ଜବତ ହୋଇଥିବା ଟଙ୍କା କାହାର, କେଉଁ ଦଳ ପାଇଁ ବ୍ୟୟ ହୋଇଥାନ୍ତା ତାହା ଆଜି ବି ବିତର୍କ ବଳୟରେ ରହିଛି। ହେଲେ ଏସବୁ କିନ୍ତୁ ସ୍ପଷ୍ଟ ସୂଚାଇ ଦେଉଛି ଯେ ନିର୍ବାଚନ ଫଳାଫଳ ହାସଲ ଲାଗି ବିଭିନ୍ନ ରାଜନୈତିକ ଦଳ, ନେତାଙ୍କ ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ଚାଲିଥିଲା। ଏସବୁକୁ ଭୋଟର ନିଜ ଆଖିରେ ଦେଖିଛନ୍ତି। ସ୍ୱାଭାବିକ ଭାବେ ମତଦାନ ଉପରେ ଏହାର ପ୍ରଭାବକୁ ଅଣଦେଖା କରାଯାଇ ପାରିବ ନାହିଁ।

ନିର୍ବାଚନ ପ୍ରଚାର ବେଳେ ବିଭିନ୍ନ ରାଜନୈତିକ ଦଳ ନେତାଙ୍କ ଆଚରଣ, ଉଚ୍ଚାରଣ, ସଂଯମ, ଉତ୍ସୃଙ୍ଖଳତାକୁ ମଧ୍ୟ ଭୋଟରମାନେ ମାପିବା ଆରମ୍ଭ କରିଛନ୍ତି। ବିନମ୍ରତା ବରଂ ଅହଂକାର ମଧ୍ୟରୁ କାହା ସପକ୍ଷରେ ଭୋଟର ରହିବେ ସମ୍ଭବତଃ ବିଜେପୁର ଉପନିର୍ବାଚନରୁ ଏହାର ପରୀକ୍ଷା ନିରୀକ୍ଷା ହେଇପାରେ।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲର କହିବା କଥା ହେଉଛି, ବିଜେପୁର ଉପନିର୍ବାଚନକୁ ନେଇ କେବଳ ଯେ ବିଭିନ୍ନ ଦଳର ନେତା ଓ ନେତୃତ୍ୱ ଚାପରେ ଅଛନ୍ତି ତାହା ନୁହେଁ; ଭୋଟର ମଧ୍ୟ ତତୋଧିକ ଚାପଗସ୍ତ। ସମଗ୍ର ଓଡ଼ିଶା ଏହି ନିର୍ବାଚନ ଫଳାଫଳ ଉପରେ ନଜର ରଖିଛି। ଉଭୟ ବିଜେପି ଏବଂ କଂଗ୍ରେସ ଦଳର ଶୀର୍ଷ ନେତୃତ୍ୱ ଏହି ଉପନିର୍ବାଚନର ଫଳାଫଳକୁ ବିଚାରକୁ ନେଇ ରଖି ସ୍ଥାନୀୟ ନେତୃତ୍ୱର ଦକ୍ଷତା ମାପିପାରନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ସମ୍ଭବତଃ ଏହା ଶେଷ ଉପନିର୍ବାଚନ ହୋଇପାରେ। ତେଣୁ ସ୍ୱାଭାବିକ ଭାବେ ଏହି ଉପନିର୍ବାଚନର ଫଳାଫଳ ପ୍ରତ୍ୟେକ ଦଳର ନେତୃତ୍ୱ ପାଇଁ ଆହ୍ଵାନ ରଖୁଛି। ଆସନ୍ତା ସାଧାରଣ ନିର୍ବାଚନରେ ଜନମତ କାହା ସପକ୍ଷରେ ରହିବ, ଏଥିଲାଗି ଏକ ବାତାବରଣ ସୃଷ୍ଟି ପାଇଁ ମଧ୍ୟ ଏହି ଉପନିର୍ବାଚନକୁ ମାନକ ଭାବେ କେହି କେହି ବିଚାର କରୁଛନ୍ତି। ଏସବୁଦୃଷ୍ଟିରୁ ବିଜେପୁର ଭୋଟର ଏବେ ଓଡ଼ିଶା ରାଜନୀତିର ଦିଶା ନିର୍ଣ୍ଣୟ କରିବାର କିଛି କ୍ଷମତା ରଖୁଛନ୍ତି। ଏମାନଙ୍କ ରାୟ କେବଳ ଏହି ଗୋଟିଏ ନିର୍ବାଚନମଣ୍ଡଳୀ ପାଇଁ ନୁହେଁ, ବରଂ ରାଜ୍ୟର ସବୁ ନିର୍ବାଚନ ମଣ୍ଡଳୀର ରାଜନୈତିକ ବାତାବରଣକୁ ଯେ ପ୍ରଭାବିତ ନ କରିବ, ଏକଥାକୁ ଏଡାଇ ହେବ ନାହିଁ।

ତେବେ ଏସବୁର ମୂଲ୍ୟ କିଏ ବୁଝୁ କି ନବୁଝୁ ବିଜେପୁର ଆସନର ଭୋଟରଙ୍କ ଆଚରଣ କିନ୍ତୁ ସ୍ପଷ୍ଟ ସଂଙ୍କେତ ଦେଉଛି ଯେ ସେମାନେ ଏହି ଉପନିର୍ବାଚନ ଗୁରୁତ୍ୱକୁ ମର୍ମେ ମର୍ମେ ଅନୁଭବ କରିଛନ୍ତି। ସେ କୁଲ୍‌ତା ହୁଅନ୍ତୁ କି ବୁଣାକାର ଅଥବା ଅନ୍ୟ କୌଣସି ବର୍ଗର ଭୋଟର, ସେମାନଙ୍କୁ ପ୍ରଭାବିତ କରିବା ଲାଗି ରାଜନୈତିକ ଦଳର ନେତାମାନେ ଯେଉଁ କୌଶଳ ପ୍ରୟୋଗ କରିଥିଲେ, ତାହା ବିଶେଷ କାଟୁ କରିନାହିଁ। ପ୍ରଚାରର ଶେଷ ମୁହୂର୍ତ ଯାଏ କୌଣସି ନିର୍ଦିଷ୍ଟ ରାଜନୈତିକ ଦଳ ପ୍ରତି ସେମାନେ ସମ୍ପୂର୍ଣ୍ଣ ଖୋଲା ସମର୍ଥନ ଜଣାଇନାହାନ୍ତି। ଏହାହିଁ ସବୁ ରାଜନୈତିକ ଦଳକୁ ଅକଳରେ ପକାଇ ଦେଇଛନ୍ତି।

ପରିମାଣ ହେଲା, ଆଜି ପ୍ରଚାର ଶେଷ ପରେ ବି ବିଜେଡି, ବିଜେପି, କଂଗ୍ରେସ ନେତା ଉପରକୁ ଯେତେ ମୁହଁ ଫୁଟାଣି ମାରୁଥିଲେ ବି ଫଳାଫଳ ନେଇ କେହି ସ୍ପଷ୍ଟ ମତ ରଖିପାରୁନାହାନ୍ତି। ବରଂ ସେମାନଙ୍କ ଛାତି ଧଡ଼୍‌ଧଡ଼୍‌ ହେଉଛି। ଜନମତ କୁଆଡ଼େ ଯିବ, କିଏ କେତେ ଭୋଟ ପାଇବେ ସେ ନେଇ ପ୍ରତି ନେତା ଅଲଗା ଅଲଗା ପରିସଂଖ୍ୟାନ କରୁଛନ୍ତି। ଏଣୁ ତିନି ପ୍ରମୁଖ ଦଳର ନେତୃତ୍ୱର ଚିନ୍ତା ବଢିବା ସ୍ୱାଭାବିକ।

୨୮୧ ବୁଥ୍‌, ୭୯ ସମ୍ବେଦନଶୀଳ

ବରଗଡ଼: ବିଜେପୁର ଉପନିର୍ବାଚନରେ ୨୭୦ଟି ନିୟମିତ ବୁଥ ବ୍ୟତୀତ ୧୧ଟି ଅତିରିକ୍ତ ବୁଥରେ ମତଦାନ ହେବ। କୌଣସି ବୁଥରେ ଭୋଟର୍‌ ସଂଖ୍ୟା ୧୪ ଶହ ଟପିଲେ ଅତିିରିକ୍ତ ବୁଥରେ ମତଦାନ ହେବ। ରାଜ୍ୟରେ ପ୍ରଥମ ଥର ଭିଭିପାଟ୍‌ ମେସିନ୍‌ ବ୍ୟବହାର ହେଉଥିବାରୁ ପ୍ରତି ବୁଥ୍‌ରେ ଜଣେ ପ୍ରିଜାଇଡିଂ ଅଫିସର୍‌ଙ୍କ ବ୍ୟତୀତ ୪ଜଣ ପୁଲିଂ ଅଧିକାରୀ ରହିବେ। ଜଣେ ଲେଖାଏଁ କନେଷ୍ଟବଳ ମଧ୍ୟ ନିୟୋଜିତ ହେବେ। ୭୯ଟି ବୁଥକୁ ସମ୍ବେଦନଶୀଳ ଚିହ୍ନଟ କରାଯାଇଛି। ଯାହା ୫୦ଟି ସ୍ଥାନରେ ରହିଛି। ଏଥିରୁ ୧୮ଟି ସ୍ଥାନରେ ସିଆର୍‌ପିଏଫ୍‌ ଏବଂ ୩୨ଟିରେ ଓଡ଼ିଶା ପୁଲିସ୍‌ର ସଶସ୍ତ୍ର ଫୋର୍ସ ମୁତୟନ ରହିବେ।

ସମ୍ବନ୍ଧିତ ଖବର