ଶେଷ ସଭାରେ ନବୀନଙ୍କ ମହାନଦୀ କାର୍ଡ

ବରଗଡ଼/ଗାଇସିଲାଟ୍‌/ବିଜେପୁର ): ମଙ୍ଗଳବାର ବରପାଲି ବ୍ଳକ କୁମ୍ଭାରୀରେ ଚପଲ ଫିଙ୍ଗା ଘଟଣା ପରେ ମୁଖ୍ୟମନ୍ତ୍ରୀଙ୍କ ଦୁଇଦିନିଆ ପ୍ରଚାର କାର୍ଯ୍ୟକ୍ରମ ଅଧାରେ ବନ୍ଦ ହୋଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚୂଡ଼ାନ୍ତ ହୋଇଥିବା ଗସ୍ତ ସୂଚୀ ଅନୁସାରେ ବୁଧବାର ସକାଳୁ ଗାଇସିଲାଟ୍‌ ଓ ଅପରାହ୍ନରେ ବିଜେପୁରରେ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ। ଯଥେଷ୍ଟ ଆଗରୁ ଉଭୟ ସଭାରେ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀଙ୍କ ହାବଭାବ କିମ୍ବା ଭାଷଣରୁ ଚପଲ ମାଡ଼ ଘଟଣା କିଛି ବି ଫରକ୍‌ ପକାଇନଥିବା ବାରି ହେଉଥିଲା।

ଅନ୍ୟ ସମସ୍ତ ମଂଚାସୀନ ନେତାଙ୍କ ଭାଷଣ ବଦଳିଥିଲା। ପ୍ରମୁଖତା ପାଇଥିଲା ‘କୁମ୍ଭାରୀ’ର ଚପଲ ମାଡ଼ ଘଟଣା। ନେତାମାନେ ବିଜେପିକୁ କଡ଼ା ସମାଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ କାଳେ ଏହି ପ୍ରସଂଗ ଉଠାଇବେ ବୋଲି ଜନତା ଉତ୍ସାହର ସହ ଅପେକ୍ଷା କରିଥିଲେ। ହେଲେ ଏହି ପ୍ରସଂଗକୁ ମୁଖ୍ୟମନ୍ତ୍ରୀ ନିଜ ଭାଷଣରୁ ଦୂରେଇ ରଖିଥିଲେ। ବିଜେପୁର ନିର୍ବାଚନ ମଣ୍ଡଳୀର ବିକାଶ କଥା ତାଙ୍କ ବକ୍ତବ୍ୟର ମୂଳ ଆଧାର ଥିଲା।

ଆଜି ମୁଖ୍ୟମନ୍ତ୍ରୀ ଉଭୟ ସଭାରେ ପ୍ରଥମେ ପୂର୍ବତନ ବିଧାୟକ ସୁବଳ ସାହୁଙ୍କ ବିୟୋଗ ନେଇ ଦୁଃଖ ପ୍ରକାଶ କରିଥିଲେ। କହିଥିଲେ, ତାଙ୍କୁ ସୁବଳ ସାହୁ ଯେତେବେଳେ ଭେଟୁଥିଲେ କେବଳ ବିଜେପୁର ନିର୍ବାଚନ ମଣ୍ଡଳୀର ବିକାଶ କଥା କହୁଥିଲେ। ତାଙ୍କ ମୃତ୍ୟୁ ପରେ ରୀତା ସାହୁ ସ୍ୱାମୀଙ୍କ ଅଧୁରା ସ୍ୱପ୍ନ ପୂରଣ କରିବାକୁ ଇଚ୍ଛା ପ୍ରକଟ କରିଥିଲେ। ରୀତା ବିଜେପୁର ପାଇଁ ଭଲ କାମ କରିବେ ବୋଲି ବିଶ୍ୱାସ ହେବାରୁ ତାଙ୍କୁ ଦଳୀୟ ପ୍ରାର୍ଥିନୀ କରାଗଲା। ସେ ବ୍ୟକ୍ତିଗତ ଭାବେ ବିଜେପୁର ନିର୍ବାଚନ ମଣ୍ଡଳୀର ସୁଖଦୁଃଖ କଥା ବୁଝିବି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ଆଉଥରେ ପ୍ରତିଶ୍ରୁତି ଦେଇଥିଲେ।

ଗାଇସିଲାଟ୍‌ରେ ନିଜ ବକ୍ତବ୍ୟରେ ସେ ଜଳସେଚନ ପ୍ରସଂଗକୁ ପ୍ରାଧାନ୍ୟ ଦେଇଥିଲେ। କହିଥିଲେ, ପାର୍ବତୀ ଗିରି ଜଳସେଚନ ପ୍ରକଳ୍ପ ଦ୍ୱାରା ଗାଇସିଲାଟ୍‌ ବ୍ଲକ ମରୁଡ଼ିରୁ ମୁକ୍ତ ହେବ। ସମ୍ବଲପୁରୀ-କୋଶଲି ଭାଷାକୁ ସାମ୍ବିଧାନିକ ମାନ୍ୟତା ଦେବା ପାଇଁ ବିଜେଡି ସରକାର ପ୍ରୟାସ ଜାରି ରଖିଛି। ରୀତା ସାହୁ ବିଜୟୀ ହେଲେ ଏହି ନିର୍ବାଚନ ମଣ୍ଡଳୀରେ ବିକାଶର ଦ୍ୱାର ଫିଟିବ। ଦଳୀୟ ପ୍ରାର୍ଥିନୀ ରୀତା ସାହୁ ବର୍ଷକ ପାଇଁ ବିଜେପୁର ନିର୍ବାଚନ ମଣ୍ଡଳୀର ସେବା କରିବା ପାଇଁ ସୁଯୋଗ ଦେବାକୁ ଭୋଟର୍‌ଙ୍କୁ ନିବେଦନ କରି କାନ୍ଦି ପକାଇଥିଲେ। ସଭାରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଅନଂଗ ଉଦୟ ସିଂହଦେଓ, ପ୍ରଭାସ ସିଂ, କଳିକେଶ ନାରାୟଣ ସିଂହଦେଓ ମନ୍ତ୍ରୀ ନିରଂଜନ ପୂଜାରୀ, ବିଧାୟକ ଯୋଗେନ୍ଦ୍ର ବେହେରା, ଦେବୀ ପ୍ରସାଦ ମିଶ୍ର, ପ୍ରଶାନ୍ତ ନନ୍ଦ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଡା. ରାସେଶ୍ୱରୀ ପାଣିଗ୍ରାହୀ, ରମେଶ ପଟୁଆ, ଟୁକୁନି ସାହୁ, ଦଳର ନେତା ଭୁପିନ୍ଦର ସିଂ, ଲଲିତ ନାଏକ, ନାରାୟଣ ସାହୁ, ଶ୍ରୀମୟୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ସଭାପତି ବିଜୟ ରଂଜନ ସିଂ ବରିହା ସଭା ସଂଯୋଜନା କରିଥିଲେ।

ବିଜେପୁରଠାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମହାନଦୀ ପ୍ରସଂଗ ଉଠାଇଥିଲେ। କହିଥିଲେ, ମହାନଦୀ ଓଡ଼ିଶାର ଜୀବନ ଧାରା। ମହାନଦୀ ଆମ ମା’ ପରି । ମାତ୍ର କେନ୍ଦ୍ର ସରକାର ଓ ଛତିଶଗଡ଼ର ମିଳିତ ଚକ୍ରାନ୍ତ ଯୋଗୁଁ ଓଡ଼ିଶାକୁ ମହାନଦୀରୁ ପର୍ଯ୍ୟାପ୍ତ ପାଣି ମିଳୁନାହିଁ। ଏନେଇ ଆମେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛୁ। ଟ୍ରିବ୍ୟୁନାଲ ଗଠନ ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ମହାନଦୀ ପାଇଁ ଲଢ଼େଇ ଜାରି ରହିବ ବୋଲି ସେ କହିଥିଲେ।

ସାଂସଦ ପ୍ରସନ୍ନ ଆଚାଯ୍ୟର୍ ରୀତା ସାହୁଙ୍କ ସପକ୍ଷରେ ଭୋଟଭିକ୍ଷା କରିବା ସହ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ପ୍ରସଂଗରେ ସମାଲୋଚନା କରିଥିଲେ । ମନ୍ତ୍ରୀ ସୁଶାନ୍ତ ସିଂ, ସାଂସଦ ଡ. ପ୍ରଭାସ ସିଂ, ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ, ପ୍ରଣବ ପ୍ରକାଶ ଦାସ, ବିଜୟ ରଂଜନ ସିଂ ବରିହା, ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ, ଟୁକୁନି ସାହୁ, ଅଭିନେତା ଅରିନ୍ଦମ, ମାନିନୀ ଭୋଇ, ଦେବାନନ୍ଦ ଗଡ଼ତିଆ, ଗୌରହରି ମିଶ୍ର, ସଂଜୟ ଭୋଇ, ଭୀଷ୍ମଦେବ ସରାଫ, ମନୋଜ ମହାପାତ୍ର, ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବିଜେପିରୁ ଇସ୍ତଫା ଦେଇଥିବା ଦିଲିପ ପଣ୍ଡା, ମନୋଜ ମେହେର, ଶଙ୍କର ଅଗ୍ରଓ୍ଵାଲ, ପଂଚାନନ ମହାପାତ୍ର ପ୍ରମୁଖ ବିଜେଡିରେ ଯୋଗ ଦେଇଥିଲେ। ଅଭିନେତା କୁନା ତ୍ରିପାଠୀ ମଂଚ ପରିଚାଳନା କରିଥିଲେ ଏବଂ ଜନାର୍ଦ୍ଦନ ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର