ବିଧାୟକ ମଲେ ହିଁ ବିକାଶ ହୁଏ: ଧର୍ମେନ୍ଦ୍ର

ବରଗଡ଼ : ବିଜେପିର ଷ୍ଟାର୍‌ ପ୍ରଚାରକ ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ପ୍ରଚାର ଅଭିଯାନରେ ଓହ୍ଲାଇଛନ୍ତି। ଶ୍ରୀ ପ୍ରଧାନ ବିଜେପୁର ନିର୍ବାଚନମଣ୍ଡଳୀର ଗୁଦେରପାଲି, କାନପୁରୀ, ତାଲପଦର, ଏମ୍‌.ଶ୍ରୀଗିଡ଼ା, ବରମୁଣ୍ଡା, ଜାରିଂ, ମାନପୁରରେ ନିର୍ବାଚନୀ ସଭାରେ ଯୋଗ ଦେବା ସହ ଭଟିଆଁ, ବାଦିପାଲି ଏବଂ ବାନ୍ଧୁପାଲିରେ ରୋଡ୍‌ ସୋ’ କରିଥିଲେ। ନିର୍ବାଚନୀ ସଭାରେ ଶ୍ରୀ ପ୍ରଧାନ କେବଳ ବିଜେଡିକୁ ଟାର୍ଗେଟ କରିଥିଲେ। ସୁବଳ ସାହୁ ବିଧାୟକ ଥିବା ବେଳେ ବିଜେଡି ସରକାର ବିଜେପୁର ନିର୍ବାଚନମଣ୍ଡଳୀକୁ ସଂପୂର୍ଣ୍ଣ ଅଣଦେଖା କରିଥିଲେ। ସୁବଳ ସାହୁଙ୍କ ବିୟୋଗ ପରେ ଏବେ ବିଜେଡି ସରକାର ସହାନୁଭୂତି ଦେଖାଉଛି। କେବଳ ଭୋଟ୍‌ ହାତେଇବା ପାଇଁ ଲୋଭନୀୟ ଯୋଜନାର ଫମ୍ପା ଘୋଷଣା କରିଛି। ବିଜେଡି ଏଠାରେ ବିଜୟୀ ହେଲେ ବିକାଶ ହେବ ବୋଲି ଦାବି କରୁଛି। ଆଉ ପ୍ରାୟ ଦେଢ଼ ବର୍ଷ ପରେ ସାଧାରଣ ନିର୍ବାଚନ ହେବ। ଯେଉଁ ସରକାର ୧୮ବର୍ଷ କାଳ ବିଜେପୁରକୁ ଅଣଦେଖା କରିଛି, ମାତ୍ର ୧୮ମାସରେ କିଭଳି ବିକାଶ କରିବ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଥିଲେ। ସୁବଳ ସାହୁଙ୍କ ବିୟୋଗ ପରେ ବିଜେଡି ଘୃଣ୍ୟ ରାଜନୀତି କରୁଛି। ଜଣେ ବିଧାୟକ ମଲା ପରେ ହିଁ ବିକାଶ ହୁଏ, ଏଭଳି ଚିତ୍ର ବିଜେଡି ଦେଖାଉଛି ବୋଲି କହି ଶ୍ରୀ ପ୍ରଧାନ ତାଚ୍ଛଲ୍ୟ କରିଥିଲେ। ନିର୍ବାଚନୀ ସଭା ଓ ରୋଡ୍‌ ସୋ’ରେ ଦଳୀୟ ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, କନକ ବର୍ଦ୍ଧନ ସିଂଦେଓ, ପ୍ରଦୀପ ପୁରୋହିତ, ଜୟନାରାୟଣ ମିଶ୍ର, ଗୋଲକ ମହାପାତ୍ର, ଅଶ୍ୱିନୀ ଷଡ଼ଂଗୀ, ସୁବାସ ଚୌହାନ, ଜିଲ୍ଲା ସଭାପତି ଅରୂପା ସାହୁ ପ୍ରମୁଖ କର୍ମକର୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର