ବିଜେପୁର ଲାଗି ବିଜେଡି, ବିଜେପି ଓ କଂଗ୍ରେସ ଜାରି କଲେ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା: ନିଜ ଦଳର ମଙ୍ଗ ଧରିବେ ନବୀନ, ଧର୍ମେନ୍ଦ୍ର ଓ ନିରଞ୍ଜନ

ଭୁବନେଶ୍ବର : ଆସନ୍ତା ୨୧ରେ ବିଜେପୁର ଉପନିର୍ବାଚନ ଅନୁଷ୍ଠିତ ହେବ ।  ରାଜ୍ୟର ପ୍ରମୁଖ ରାଜନୈତିକ ଦଳଗୁଡିକ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି । ଏହି କ୍ରମରେ ବିଜେଡି, ବିଜେପି ଏବଂ କଂଗ୍ରେସ ନିଜ ନିଜ ରଣନୀତି ପ୍ରସ୍ତୁତ କରିସାରିଛନ୍ତି ।  ବିଜେଡିର ରୀତା ସାହୁ, ବିଜେପିର ସନତ ଗଡ଼ତିଆ ଏବଂ କଂଗ୍ରେସର ଦିଲ୍ଲୀପ ପଣ୍ଡା ନିର୍ବାଚନ ଲଢ଼ୁଥିବା ବେଳେ ବିଜେପୁର ଉପନିର୍ବାଚନ ପାଇଁ ତିନି ରାଜନୈତିକ ଦଳର ଷ୍ଟାର ପ୍ରଚାରକଙ୍କ ତାଲିକା ଜାରି ହୋଇଛି ।

ବିଜେଡି ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଜାରି କରିଥିବା ବେଳେ  ବିଜେପି ଓ କଂଗ୍ରେସ ମଧ୍ୟ ସମାନ ସଂଖ୍ୟକ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛନ୍ତି  । ଶାସକ ବିଜୁ ଜନତା ଦଳର ପ୍ରଚାର ମଙ୍ଗ ଧରିବେ ସ୍ବୟଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କୁ ବିଜେପୁର ଉପନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକାରେ ଏକ ନମ୍ବର ପ୍ରଚାରକ ଭାବେ ସ୍ଥାନ ଦେଇଛି ଦଳ । ଆସନ୍ତା ୧୭ ଓ ୧୮ ତାରିଖରେ ନବୀନ ବିଜେପୁରରେ ପ୍ରଚାର କରିବେ । ନବୀନଙ୍କ ସହିତ ଅନଙ୍ଗ ଉଦୟ ସିଂଦେଓ, ପ୍ରସନ୍ନ ଆଚାର୍ଯ୍ୟ, ପ୍ରଫୁଲ୍ଲ ମଲ୍ଲିକ, ପଦ୍ମନାଭ ବେହେରା, ଦେବୀ ମିଶ୍ର, ନବଦାସ , ବିକ୍ରମ ଆରୁଖ, ନିରଂଜନ ପୂଜାରୀ ପ୍ରମୁଖ ରହିଛନ୍ତି ।

ସେହିପରି ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ରହିଛନ୍ତି ଅନେକ ଜାତୀୟସ୍ତରର ନେତା । ବିଜେପିର ଜାତୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ମୃତି ଇରାନୀ, ପ୍ରତାପ ଷଡଙ୍ଗୀ, ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂ, ସମ୍ବିତ ପାତ୍ର, ଅପରାଜିତା ଷଡଙ୍ଗୀ ଓ ବସନ୍ତ ପଣ୍ଡା ପ୍ରମୁଖ ଏହି ତାଲିକାରେ ରହିଛନ୍ତି ।

ଅନ୍ୟପଟେ କଂଗ୍ରେସର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, ମନମୋହନ ସିଂ, ରାଜ୍ୟ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ, ନିରଂଜନ ପଟ୍ଟନାୟକ, ନରସିଂହ ମିଶ୍ର , ପ୍ରଦୀପ ମାଝି, ରଞ୍ଜୀବ ବିଶ୍ୱାଳ, ଚିରଂଜୀବ ବିଶ୍ୱାଳ ପ୍ରମୁଖ ରହିଛନ୍ତି ।

ସମ୍ବନ୍ଧିତ ଖବର