ବିଜେପି ରାଜ୍ୟ ଯୁବମୋର୍ଚ୍ଚ ସମ୍ପାଦକ ହୀରାଶିଷ ଆଚାର୍ଯ୍ୟଙ୍କୁ ମରଣାନ୍ତକ ଆକ୍ରମଣ

ବରଗଡ଼/ଭୁବନେଶ୍ୱର: ଢେଙ୍କାନାଳରେ ବିଜେପି ନେତାକୁ ଆକ୍ରମଣ କରିବାର ୪୮ ଘଣ୍ଟା ପୁରି ନଥିବା ବେଳେ ଦଳର ରାଜ୍ୟ ଯୁବମୋର୍ଚ୍ଚ ସମ୍ପାଦକ ହୀରାଶିଷ ଆଚାର୍ଯ୍ୟଙ୍କୁ ଶନିବାର ଅପରାହ୍ନରେ ମରଣାନ୍ତକ ଆକ୍ରମଣ ହୋଇଛି। ବରଗଡ଼ ଜିଲ୍ଲା ସୋହେଲାରେ ହୀରାଶିଷଙ୍କୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ହୀରାଶିଷ ଆଚାର୍ଯ୍ୟ ଓ ବରିଷ୍ଠ ବିଜେପି ନେତା ରଞ୍ଜନ ପଟେଲ ଦଳର ଅନ୍ୟ କର୍ମୀମାନଙ୍କ ସହିତ ଜେଲରେ ବନ୍ଦୀ ଥିବା ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କୁ ଭେଟିବା ପାଇଁ ସୋହେଲା ଯାଇଥିଲେ। ଫେରିବା ବାଟରେ ସେମାନେ ସୋହେଲାର ଏକ ଦୋକାନରେ ଚା’ ପିଉଥିଲେ। ଏହି ସମୟରେ ୧୦ରୁ ୧୫ ଜଣ ଅଚାନକ ପହଞ୍ଚି ଲୁହା ରଡ଼ ଓ କାଠ ଫାଳିଆରରେ ହୀରାଶିଷ ଆଚାର୍ଯ୍ୟଙ୍କୁ ଆକ୍ରମଣ କରିଥିଲେ। ଘଟଣା ପରେ ଦୁର୍ବୃତ୍ତମାନେ ଫେରାର ହୋଇ ଯାଇଥିଲେ।  ସୂଚନା ପାଇଁ ପୁଲିସ ଛାନଭିନ୍‌ ଜାରି ରଖିଛି। ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇ ଥାଇ ପାରେ ବୋଲି ପୁଲିସ ସନ୍ଦେହ କରୁଛି।

ସୂଚନାଯୋଗ୍ୟ ୨ ଦିନ ତଳେ ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ନିର୍ବାଚନୀ ପ୍ରଚାର ଚାଲିଥିବା ବେଳେ ଜଣେ ବିଜେପି ନେତାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା। ସବୁଠାରୁ ଦୁର୍ଭାଗ୍ୟର ବିଷୟରେ ପୁଲିସ ସମ୍ମୁଖରେ ଆକ୍ରମଣ ହୋଇଥିଲା। ଓ୍ଵାର୍ଡ ନମ୍ବର ୪ ଓ ୭ରେ ନିର୍ବାଚନ ପ୍ରଚାର ବେଳେ ଢେଙ୍କାନାଳ ଜିଲ୍ଲା ବିଜେପି ନେତା ଓ ପୂର୍ବତନ ସମିତିସଭ୍ୟ ପ୍ରଶାନ୍ତ ପଣ୍ଡା, ପୂର୍ବତନ ସରପଞ୍ଚ ମଞ୍ଜୁଲତା ସାହୁ ଏବଂ ମହିଳା ମୋର୍ଚ୍ଚା ନେତ୍ରୀ ପ୍ରତିମା ମଶ୍ରଙ୍କୁ ଅନ୍ୟ ଏକ ରାଜନୈତିକ ଦଳର ନେତା ଓ ସମର୍ଥକମାନେ ପୁଲିସ ସମ୍ମୁଖରେ ଆକ୍ରମଣ କରିଥିଲେ।

ସମ୍ବନ୍ଧିତ ଖବର