ବିଜେପି ଟାର୍ଗେଟ୍‌ରେ ସୁଶାନ୍ତ ସିଂ

‘ତୃତୀୟ ମହଲା ପଠାଇଛି ଶହେ ଅଫିସର’

ବରଗଡ଼ : କେନ୍ଦ୍ରମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଟାର୍ଗେଟରେ ରଖିଛି ବିଜେପି। ଗଣପତି ହୋଟେଲଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିଧାସଳଖ ଶ୍ରୀ ସିଂଙ୍କୁ ଆକ୍ଷେପ କରିଥିଲେ। ବିଭିନ୍ନ ବିବାଦୀୟ ଏବଂ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିବା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଅତି ଘନିଷ୍ଠ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ପ୍ରଥମେ ନିର୍ବାଚନ ମଣ୍ଡଳୀରୁ ତଡ଼ିପାର କରିବାକୁ ବିଜେପି ଦାବି କରିଛି। ସୁଶାନ୍ତଙ୍କ ଗତିବିଧି ଉପରେ କଡ଼ା ନଜର ରଖାଯାଉ। ସୁଶାନ୍ତଙ୍କ ଭାଇ ଆଗାମୀ ଦିନରେ ବିଜେପୁରରୁ ପ୍ରାର୍ଥୀ ହୋଇପାରନ୍ତି। ତେଣୁ ସେ ଏଠାରେ ରହି ପୃଷ୍ଠଭୂମି ତିଆରି କରୁଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ ରୀତାଙ୍କୁ ବର୍ଷକ ପାଇଁ ପ୍ରାର୍ଥୀ କରାଯାଇଛି ବୋଲି ଦୋହରାଇଛନ୍ତି। ପ୍ରଥମତଃ ସୁଶାନ୍ତଙ୍କୁ ନିର୍ବାଚନ ମଣ୍ଡଳୀ ବାହାରେ ରଖାଯାଉ। ନଚେତ ଭୋଟ୍‌ ପ୍ରକ୍ରିୟା ବେଳେ ବଡ଼ ଅଘଟଣ ଘଟିପାରେ ବୋଲି ବିଜେପି ଆଶଂକା କରିଛି। ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପୁଣିଥରେ ତୃତୀୟ ମହଲା ଉପରକୁ ଇଂଗିତ କରିଛନ୍ତି। ବିଜେପୁରକୁ ଶହେ ଜଣ ବଛାବଛା ଅଧିକାରୀଙ୍କୁ ଛୁଟି ଦେଇ ପଠାଇବା ପାଇଁ ଏଠାରେ ଯୋଜନା ହୋଇଛି। ଏନେଇ ତୃତୀୟ ମହଲାର ଅଧିକାରୀମାନେ ଏକ ଗୁପ୍ତ ବୈଠକ ଡାକିଥିଲେ। ତେଣୁ ଏଠାରେ କାର୍ଯ୍ୟରତ ପ୍ରମୁଖ ଅଧିକାରୀଙ୍କ ଗତିବିଧି ଉପରେ କଡ଼ା ନଜର ରଖାଯାଉ। ଅନ୍ୟପକ୍ଷରେ ଏଠାକାର ପୁଲିସ୍‌ ଅଧିକାରୀମାନେ ସୋସିଆଲ୍‌ ମିଡିଆରେ ଆପତ୍ତିଜନକ ଟିପ୍ପଣୀ ରଖୁଛନ୍ତି। ପୁଲିସ୍‌ ପ୍ରଶାସନ ଗୋଟିଏ ସରକାରୀ ଏଜେଣ୍ଟ ଭାବେ କାମ କରୁଥିବା ଏଥିରୁ ବାରି ହେଉଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅଭିଯୋଗ କରିଥିଲେ। ସେହିପରି କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ ଓରାମ ମଧ୍ୟ ପୁଲିସ୍‌ ପ୍ରଶାସନକୁ ନିନ୍ଦା କରିଥିଲେ। ଧର୍ମେନ୍ଦ୍ର କିମ୍ବା ତାଙ୍କ ପାଇଁ ପୁଲିସ୍‌ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିନଥିଲା। ପୁଲିସ୍‌ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ବାଚନ ଲଢ଼ୁଛି ବୋଲି ଶ୍ରୀ ଓରାମ କହିଛନ୍ତି। ପଡ଼ା ଗୁଳିକାଣ୍ଡ ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ସୁଶାନ୍ତ ଭୋଇ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ପାଖ ଲୋକ ବୋଲି ବିଜେପି ଅଭିଯୋଗ କରିଛି। ଏହି ଅବସରରେ ଅଭିଯୁକ୍ତ ସୁଶାନ୍ତ ଭୋଇ ବିଜେଡି ପତାକା ଧରିଥିବା ଫଟୋ ବିଜେପି ଦେଖାଇଛି। ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂଦେଓ, ବିଧାୟିକା ରାଧାରାଣୀ ପଣ୍ଡା, ସାଧାରଣ ସଂପାଦକ ଭ୍ରୁଗୁ ବକ୍ସିପାତ୍ର ଏବଂ ପ୍ରବକ୍ତା ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହାପୂର୍ବରୁ ବିଜେପିର ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ଯାମିନୀ ଷଡ଼ଂଗୀ, ଏସ୍‌ପି ଜୟନାରାୟଣ ପଙ୍କଜ ଏବଂ ପର୍ଯ୍ୟବେକ୍ଷକ ଅଭିଷେକ ଚନ୍ଦ୍ରାଙ୍କୁ ଭେଟି ଦାବି ଗୁଡ଼ିକ ରଖିଥିଲେ।

ସମ୍ବନ୍ଧିତ ଖବର