କ୍ୟାପ୍‌ଟେନ୍‌ ଉଡ୍‌ବ୍ରିଜ୍‌ଙ୍କ ହତ୍ୟାର ୧୬୦ ବର୍ଷ ପୂର୍ତ୍ତି:ଗଣ୍ଡ ଜନଜାତି ସହ ଗ୍ରାମବାସୀ ପାଳିଲେ ବୀରତା ଦିବସ

ଅତାବିରା୧୮୫୮ ମସିହା ଫେବ୍ରୁଆରି ୧୨ ତାରିଖ ଦିନ ସ୍ୱାଧୀନତା ସଂଗ୍ରାମ ଅବସରରେ ପଶ୍ଚିମ ଓଡ଼ିଶାର ବୀରଙ୍କୁ ମିଳିଥିଲା ପ୍ରମୁଖ ସଫଳତା। ସେମାନେ ହତ୍ୟା କରିଥିଲେ ଇଂରେଜ ସରକାରଙ୍କ କର୍ମଚାରୀ କ୍ୟାପ୍‌ଟେନ୍‌ ଉଡ୍‌ବ୍ରିଜ୍‌ଙ୍କୁ। ଉକ୍ତ ଘଟଣାକୁ ଇତି ମଧ୍ୟରେ ୧୬୦ ବର୍ଷ ପୂରି ଯାଇଥିବା ବେଳେ ଏହି ଐତିହାସିକ ଦିନକୁ ମନେ ପକାଇ ମଙ୍ଗଳବାର ବରଗଡ଼ ଜିଲ୍ଲା ପାହାଡ଼ଶ୍ରୀଗିଡ଼ା ଗଣ୍ଡ ଜମିଦାର ଜନାର୍ଦ୍ଦନ ସିଂହ ସ୍ମୃତି ସଂସଦ ପକ୍ଷରୁ ପାଳନ କରାଯାଇଛି ବୀରତା ଦିବସ। ଏହି ଅବସରରେ ଜମିଦାରଙ୍କ ଘର ପରିସର ଶକ୍ତି ପୀଠରୁ ଏକ ଶୋଭାଯାତ୍ରା ବାହାରି ଗାଁ ପରିକ୍ରମା କରିଥିଲା। ଏଥିରେ ଗଣ୍ଡ ଜନଜାତିର ପୁରୁଷ, ମହିଳାଙ୍କ ସହ ଗ୍ରାମବାସୀ ଯୁଦ୍ଧରେ ବ୍ୟବହୃତ ବିଭିନ୍ନ ଅସ୍ତ୍ରଶସ୍ତ୍ର ଓ ବୀରବାଦ୍ୟ ସହ ସାମିଲ ହୋଇଥିଲେ।

ପରେ ଜନାର୍ଦ୍ଦନ ସିଂହଙ୍କ ବଂଶଜ ଜମିଦାର ପ୍ରେମାନନ୍ଦ ସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜିତେନ୍ଦ୍ରୀୟ ମେହେର ମୁଖ୍ୟ ଅତିଥି, ପାହାଡ଼ଶ୍ରୀଗିଡ଼ା ଆୟ୍ଚଳିକ କଲେଜ ଅଧ୍ୟକ୍ଷ ରାମକୃଷ୍ଣ ସାହୁ ମୁଖ୍ୟବକ୍ତା ତଥା ଅଧ୍ୟାପକ ଆତ୍ରୁଷ ପ୍ରଧାନ, ଶିକ୍ଷାବିତ ଭୋଳାନାଥ ବାରିକ, ଜନାର୍ଦ୍ଦନ ସିଂ ସ୍ମୃତି ସଂସଦ ସଭାପତି ମୋହନ ସିଂହ, ସଂପାଦକ ଅରୁଣ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସ୍ୱାଧୀନତା ସଂଗ୍ରାମରେ ପାହାଡ଼ଶ୍ରୀଗିଡ଼ାର ଅବଦାନ ସଂପର୍କରେ ଆଲୋଚନା କରିଥିଲେ। ବୀର ସୁରେନ୍ଦ୍ର ସାଏଙ୍କ ଅନ୍ୟତମ ସହଯୋଗୀ ଗଣ୍ଡ ଜମିଦାର ଜନାର୍ଦ୍ଦନ ସିଂହ ସୈନ୍ୟ ସାମନ୍ତ ଧରି ଇଂରେଜ ସରକାର ବିରୋଧରେ ସଶସ୍ତ୍ର ସଂଗ୍ରାମ ଚଳାଇବା ସହ କ୍ୟାପ୍‌ଟେନ୍‌ ଉଡ୍‌ବ୍ରିଜ୍‌ଙ୍କୁ ହତ୍ୟା କରିଥିଲେ। ମୃତ୍ୟୁ ପରେ ତାଙ୍କ ଶିର ଚ୍ଛେଦ କରି ପାହାଡ଼ରେ ପୋତି ଥିବାରୁ ଉକ୍ତ ସ୍ଥାନକୁ ପାହାଡ଼ଶିରଗଡ଼ା ବୋଲି କୁହାଗଲା। ପରବର୍ତ୍ତୀ ସମୟରେ ଏହା ପାହାଡ଼ଶ୍ରୀଗିଡ଼ା ଭାବେ ନାମିତ ହେଲା ବୋଲି ଇତିହାସ ଗବେଷକ ମୁଖ୍ୟବକ୍ତା ଶ୍ରୀ ସାହୁ କହିଥିଲେ। ଉକ୍ତ ଦିବସକୁ ମନେ ପକାଇ ପ୍ରତି ବର୍ଷ ସ୍ମୃତି ସଂସଦ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଆସୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର