କେନାଲ ନା ଆବର୍ଜନା କୁଣ୍ଡ?

ବରଗଡ଼: ବରଗଡ଼ ସହରରେ ଅବାଧ ପଲିଥିନ ବ୍ୟବହାର କ୍ୟାନସର୍‌ର ପ୍ରମୁଖ କାରଣ। ପଲିଥିନ ଉପରେ ରୋକ୍‌ ପାଇଁ ପ୍ରଶାସନିକ ସ୍ତରରେ ଚିନ୍ତା କରାଯାଉଥିଲେ ହେଁ ଏହାକୁ କାର୍ଯ୍ୟକାରୀ କରିବା ସହଜ ହେଉନାହିଁ। ଏଣେ ସହରର ଜଳାଶୟ ଗୁଡ଼ିକ ପଲିଥିନ ଏବଂ ଆବର୍ଜନାରେ ଭର୍ତି ହୋଇଗଲାଣି। ବିଶେଷକରି କେନାଲ ବ୍ୟବସାୟୀଙ୍କ ପାଇଁ ଆବର୍ଜନାର କୁଣ୍ଡ ପାଲଟିଛି। ସହର ଭିତର ଦେଇ ଲମ୍ବି ଯାଇଥିବା କେନାଲରେ ଦୈନିକ ଶହଶହ କ୍ୱିଣ୍ଟାଲ ଆବର୍ଜନା ପଡ଼ୁଛି। ଏଥିରେ ସିଂହଭାଗ ପଲିଥିନ ରହିଛି। ପୌର ପ୍ରଶାସନ ପକ୍ଷରୁ ଡଷ୍ଟବିନ୍‌ ବ୍ୟବସ୍ଥା ହୋଇଥିଲେ ହେଁ ବ୍ୟବସାୟୀ ଏବଂ ସହରବାସୀ ଆବର୍ଜନା ସବୁ କେନାଲରେ ପକାଉଛନ୍ତି। ଘରୋଇ ବସ୍‌ଷ୍ଟାଣ୍ଡ ଠାରୁ ଗୋବିନ୍ଦପାଲି ଯାଏଁ କେନାଲର ସ୍ଥିତି ଅତ୍ୟନ୍ତ ଶୋଚନୀୟ। ବସ୍‌ଷ୍ଟାଣ୍ଡ ପାଖରେ ହୋଟେଲ, ଉଠାଦୋକାନୀମାନେ ପଚାଶଢ଼ା ଖାଦ୍ୟ ଓ ପନିପରିବା ପକାଉଛନ୍ତି। ବସ୍‌ଷ୍ଟାଣ୍ଡକୁ ଆସୁଥିବା ଯାତ୍ରୀମାନେ କେନାଲ ଭିତରେ ପରିସ୍ରା କରୁଛନ୍ତି। ଯଦ୍ୱାରା ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। କେନାଲ ତଳମୁଣ୍ଡରେ ଲୋକେ ପାଣିରେ ଗାଧୋଇ ବିଭିନ୍ନ ରୋଗର ଶିକାର ହେଉଛନ୍ତି।
ଓସାରିଆ କେନାଲ ସହର ପରିସୀମା ଡେଇଁଲେ କ୍ରମଶଃ ସଂକୀର୍ଣ୍ଣ ହୋଇଯାଇଛି। କେନାଲ ପାର୍ଶ୍ୱରେ ଥିବା ଚାଷଜମି ଗୁଡ଼ିକରେ ଦିନକୁ ହଜାର ହଜାର କିଲୋର ବର୍ଜ୍ୟବସ୍ତୁ ପହଂଚୁଛି। ପ୍ଲାଷ୍ଟିକ ବୋତଲ, ସୋଲ, ପଲିଥିନ ଏବଂ ଅନ୍ୟ କଠିନ ବର୍ଜ୍ୟବସ୍ତୁ କେନାଲ ଉପରେ ଥିବା କଲଭର୍ଟ ଗୁଡ଼ିକରେ ଲାଖି ରହୁଛି। ପାଣି ନିଷ୍କାସନ ପାଇଁ ଚାଷୀମାନେ ଏସବୁ ବର୍ଜ୍ୟବସ୍ତୁକୁ ଚାଷ ଜମି ହିଡ଼ରେ ପକାଇ ଦେଉଛନ୍ତି। ପରେ ସେସବୁ ଶୁଖିଲା ପରେ ସେଠାରେ ହିଁ ପୋଡ଼ି ଦେଉଛନ୍ତି। ଏଥିରୁ ବାହାରୁ ଥିବା ବିଷାକ୍ତ ବର୍ଜ୍ୟ ପୁଣି ଯାଇ କେନାଲ ପାଣି କିମ୍ବା ଚାଷଜମିରେ ମିଶୁଛି। ଯଦ୍ଵାରା କେନାଲ କ୍ରମଶଃ ବିଷାକ୍ତ ହୋଇପଡ଼ୁଛି।

ସମ୍ବନ୍ଧିତ ଖବର