ଖୁଚୁରା କରୁଛି ବିଚରା

ବରଗଡ଼: ବରଗଡ଼ ଜିଲ୍ଲା‌େର ଖୁଚୁରାର ଭାରି ସଂକଟ ଦେଖା ଦେଲାଣି। ଦୋକାନୀମାନେ ଖୁଚୁରା ଦେଲେ ଗ୍ରାହକ ନେଉ ନାହାନ୍ତି। କିମ୍ବା ଗ୍ରାହକ ଦେଲେ ବେପାରୀ ଖୁଚୁରା ରଖୁନାହାନ୍ତି। ତେଣୁ ଉଭୟ ଦୋକାନୀ ଏବଂ ଗ୍ରାହକଙ୍କ ପାଖରେ ଖୁଚୁରା ଗଚ୍ଛିତ ହୋଇ ରହୁଛି। ଅନ୍ୟପକ୍ଷରେ ଲୋକେ ବ୍ୟାଙ୍କକୁ ଖୁଚୁରା ଜମା କରିବାକୁ ଗଲେ କର୍ତୃପକ୍ଷ ବିରକ୍ତି ପ୍ରକାଶ କରୁଛନ୍ତି। ସ୍ଥିତି ଏଭଳି ଯେ କିଛି ବ୍ୟାଙ୍କରେ ଖୁଚୁରା ରଖିବା ପାଇଁ ରୋକଠୋକ୍‌ ମନା କରି ଦେଉଛନ୍ତି। ତେଣୁ ଖୁଚୁରା ଉଭୟ ବେପାରୀ ଏବଂ ଗ୍ରାହକଙ୍କୁ ବିଚରା କରି ଦେଇଛି। ବଜାରରେ ନାହିଁ ନଥିବା ଅସୁବିଧା ସୃଷ୍ଟି ହେଉଛି। ୧୦ଟଙ୍କା ତଳକୁ କୁଚିଆ ବେପାରୀମାନେ ପନିପରିବା ଦେବାକୁ ମନା କରି ଦେଉଛନ୍ତି। ଅତିକମ୍‌ରେ ୧୦ଟଙ୍କାର ସାମଗ୍ରୀ ନେବାକୁ ଗ୍ରାହକଙ୍କୁ ରୋକଠୋକ୍‌ ଶୁଣାଉଛନ୍ତି। ବରଗଡ଼ ଧନୁଯାତ୍ରାରେ ମୀନାବଜାର ଗୁଡ଼ିକରେ ମଧ୍ୟ ଖୁଚୁରାକୁ ନେଇ ଟଣାଓଟରା ଲାଗି ରହିଥିଲା। କୌଣସି ସାମଗ୍ରୀ ଖରିଦ୍‌ କଲେ ବେପାରୀମାନେ କେବଳ ନୋଟ୍‌ ଦେବାକୁ ଜିଦ୍‌ କରୁଛନ୍ତି। କେବଳ ବରଗଡ଼ ସହର ନୁହେଁ, ଗ୍ରାମାଞ୍ଚଳରେ ମଧ୍ୟ ସମାନ ସମସ୍ୟା ସୃଷ୍ଟି ହୋଇଛି। ଗାଁଗୁଡ଼ିକରେ ଖୁଚୁରାର ପ୍ରଚଳନ ଆଉ ହେଉନାହିଁ ବୋଲି ଗୁଜବ ଖେଳି ଗଲାଣି। ଫଳରେ ବେପାରୀଙ୍କ ପାଖରେ ହଜାର ହଜାର ଟଙ୍କାର ଖୁଚୁରା ପଡ଼ି ରହିଛି। ତେବେ ଏଭଳି ଗୁଜବକୁ ପ୍ରଶମିତ କରିବା ପାଇଁ ବ୍ୟାଙ୍କ କର୍ତୃପକ୍ଷ କିମ୍ବା କୌଣସି ସ୍ବେଚ୍ଛ‌ାସେବୀ ସଂଗଠନ ପକ୍ଷରୁ ପଦକ୍ଷେପ ହୋଇନାହିଁ। ଯଦ୍ବାରା ଖୁଚୁରା ପ୍ରଚଳନ ଗୋଟିଏ ହିସାବରେ ଠପ୍‌ ପଡ଼ିଛି।

ସମ୍ବନ୍ଧିତ ଖବର