ନିମ୍ନମାନର ଅଭିଯୋଗ : ରାସ୍ତା କାମ ବନ୍ଦ କଲେ ଗ୍ରାମବାସୀ

ଥୁଆପାଲି: ଭେଡ଼େନ ବ୍ଲକ ଅନ୍ତର୍ଗତ ଗୋଡଭଗା-ସୋନପୁର ୫୪ ନଂ ଜାତୀୟ ରାଜପଥର ଗର୍ଭଣା ଛକରୁ କମଗାଁ ପର୍ଯ୍ୟନ୍ତ ନିର୍ମାଣ ହେଉଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା କାମ ଅତି ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି। ଏନେଇ ଅଂଚଳବାସୀ ବାରମ୍ବାର ଠିକାଦାରଙ୍କଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କୁ ଜଣାଉଥିଲେ ସୁଦ୍ଧା ସମସ୍ୟାର ସମାଧାନ ହୋଇପାରିଲା ନାହିଁ। ବାଧ୍ୟ ହୋଇ ରବିବାର ଗର୍ଭଣା, ଅଏଁଲାପାଲି, ସାଲମାପାଲି ଓ କମଗାଁର ଶତାଧିକ ଲୋକ ପହଂଚି ରାସ୍ତାକାମକୁ ବନ୍ଦ କରିଥିଲେ।
ପ୍ରକାଶ ଯୋଗ୍ୟ ଗର୍ଭଣା ଛକରୁ କମଗାଁ ପର୍ଯ୍ୟନ୍ତ ୧.୪ କିମି ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଦ୍ୱାରା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ କଂକ୍ରିଟ୍‌କରଣ ପାଇଁ ୫୯.୦୪ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଥିଲା। ଏହାର କାର୍ଯ୍ୟ ଗତ ବର୍ଷ ଏପ୍ରିଲରେ ଆରମ୍ଭ ହୋଇ ନଭେମ୍ବର ମାସରେ ଶେଷ ହେବା କଥା। ମାତ୍ର ଏ ପର୍ଯ୍ୟନ୍ତ ଏହା ଅଧପନ୍ତରିଆ ଭାବେ ରହିଛି। ଏହି ରାସ୍ତା ନିର୍ମାଣର ଦାୟିତ୍ୱ ଅଜିତ୍‌ କୁମାର ଦାଶଙ୍କ ଉପରେ ଦିଆଯାଇଛି। ସୂଚନାଫଳକରେ ଆବଶ୍ୟକ ସାମଗ୍ରୀ ପରିମାଣ ସଠିକ୍‌ ଭାବେ ଦର୍ଶାଯାଇ ନଥିବା ବେଳେ ୭ଟି କଲଭର୍ଟ ସ୍ଥାନରେ ମାତ୍ର ୩ଟି ନିର୍ମାଣ କରାଯାଇଛି। ଅପରପକ୍ଷେ ରାସ୍ତାର ଓସାର ୬ ମିଟର ଏବଂ କଂକ୍ରିଟ୍‌ ରାସ୍ତା ୩ ମିଟର ସ୍ଥାନରେ ବ୍ୟତିକ୍ରମ କରାଯାଉଥିବା ଅଭିଯୋଗ ହେଉଛି। ଏ ସଂପର୍କରେ ଗ୍ରାମବାସୀଙ୍କ ପକ୍ଷରୁ ଆର୍‌ଡି ବିଭାଗ କନିଷ୍ଠ ଯନ୍ତ୍ରୀ ସୁଶିଲ କୁମାର ଚୌଧୁରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ଯେଉଁ ସ୍ଥାନରେ କାମ ନିମ୍ନମାନର ହୋଇଛି ତାକୁ ଖୋଳି ପୁନର୍ବାର ନିର୍ମାଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧିତ ଖବର