ସ୍ବାମୀ ସମ୍ମୁଖରେ ସ୍ତ୍ରୀଙ୍କୁ ହାଣିଲେ ଦୁର୍ବୃତ୍ତ : ବାପ-୨ ପୁଅ ଆହତ, ଅଳ୍ପକେ ବର୍ତ୍ତିଲେ ବୋହୂ

ବିଜେପୁର : ରାତି ପାହିଲେ ଗୁରୁବାର। ମାଣବସା ଲକ୍ଷ୍ମୀପୂଜା କରିଥାନ୍ତେ ଜୟଶ୍ରୀ ମେହେର (୪୦)। ପୂର୍ବ ପ୍ରସ୍ତୁତି ସାରି ହସଖୁସିରେ ଶୋଇଥିଲେ ପରିବାର। କିନ୍ତୁ, ବିଧିର ବିଧାନ ଥିଲା ଅଲଗା। ରାତ୍ରି ପାୟ ଗୋଟାଏ ବେଳେ ଦୁର୍ବୃତ୍ତଙ୍କ କବଳରୁୁ ସ୍ବାମୀଙ୍କୁ ରକ୍ଷା କରିବାକ ଯାଇ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇ‌ଛନ୍ତି ଜୟଶ୍ରୀ। ବୁୁଧବାର ରାତିରେ ବରଗଡ଼ ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ବୈରଖପାଲି ଗ୍ରାମରେ ଘଟିଥିବା ଏହି ଲୋମହର୍ଷଣ ଆକ୍ରମଣ ଓ ହତ୍ୟା ଘଟଣା ସମଗ୍ର ଅଂଚଳରେ ଚାଂଚଲ୍ୟ ଖେଳାଇ ଦେଇଛି।

ବୁଧବାର ରାତ୍ରିରେ ମୁଖାପିନ୍ଧା ଚାରି ଦୁର୍ବୁତ୍ତ ୨ଟି ବାଇକରେ ଆସି ବାଡିପଟରୁ ଘରକୁ ପ୍ରବେଶ କରି ଜୟଶ୍ରୀଙ୍କ ସ୍ବାମୀ କ୍ଷୀରୋଦ୍ର ମେହେର(୫୦)ଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ସ୍ବାମୀଙ୍କୁ ଆକ୍ରମଣ କରୁଥିବା ଦେଖି ଜୟଶ୍ରୀ ପାଟି କରି ପ୍ରତିରୋଧ କରିବାକୁ ଚେଷ୍ଟା କରୁଥଲେ। ଦୁର୍ବୃତ୍ତମାନେ ଜୟଶ୍ରୀଙ୍କୁ ଭୁଜାଲିରେ ନିର୍ମମ ଭା‌େବ ହାଣି ପକାଇଥିଲେ। ମାଆଙ୍କ ଚିତ୍କାର ଶୁଣି ୨ ପୁଅ ବଳରାମ (୨୫) ଓ ଦେବାନନ୍ଦ(୨୦) ଶୋଇଥିବା ଘରୁ ବାହାରି ଦୁର୍ବୃତ୍ତଙ୍କୁ ପାଲଟା ଆକ୍ରମଣ କରିଥିଲେ। ଏହାପରେ ଦୁର୍ବୁତ୍ତମାନେ ତାଙ୍କୁ ମଧୢ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ଘରେ ଥିବା ବଳରାମଙ୍କ ପତ୍ନୀ ଆକ୍ରମଣରୁ ବର୍ତ୍ତିଯାଇଥିଲେ। ଆହତଙ୍କୁ ବିଜେପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଉଥିବାବେଳେ ବାଟରେ ଜୟଶ୍ରୀଙ୍କ ମୃତ୍ୟୁ ହୋଇଥିଲା।

ଦୁର୍ବୃତ୍ତମାନେ ଆଣିଥିବା ନମ୍ବର ବିହୀନ ନୂଆ ଟିଭିଏସ୍‌ ଷ୍ଟାର ସିଟି ବାଇକ ଛାଡ଼ି ଫେରାର ହୋଇଯାଇଛନ୍ତି। ବାଇକ ସମେତ ଛାଡ଼ିଥିବା ହେଲମେଟ, ଶୀତବସ୍ତ୍ର ପ୍ରଭୃତି ପୁଲିସ ଜବତ କରିଛି। ଏ ନେଇ ବିଜେପୁର ଥାନା କେସ୍ ନଂ ୨୦୧/ ୨୦୧୮ ଅନୁସାରେ ମାମଲା ରୁଜୁ ହୋଇଛି। ପୁଲିସ ଶବ ଜବତ କରି ବ୍ୟବେଚ୍ଛଦ ପାଇଁ ବରଗଡ଼ ପଠାଇଛି। ଆକ୍ରମଣର କାରଣ ଜଣାପଡ଼ି ନଥିବାବେଳେ ତଦନ୍ତ ପରେ କାରଣ ସ୍ପଷ୍ଟ ହେବ ବୋଲି ପଦ୍ମପୁର ଏସ୍‌ଡିପିଓ ଲକ୍ଷ୍ମୀନାରାୟଣ ପଣ୍ତା ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ମଧୢ ତଦନ୍ତ କରିଛନ୍ତି। କ୍ଷୀରୋଦ୍ର ଓ ତାଙ୍କ ପରିବାର ଲୁଗା ବୁଣି ବିକ୍ରିବଟା କରନ୍ତି। ସେମାନଙ୍କ କାହା ସହିତ କୌଣସି ଶତ୍ରୁତା ଥିଲା କି ନାହିଁ ତାହା ଜଣାପଡ଼ିନାହିଁ।

ସମ୍ବନ୍ଧିତ ଖବର