ବରଗଡ଼: ପାଣିପାଗରେ ଅସ୍ୱାଭବିକ ପରିବର୍ତ୍ତନ, ରୋଗପୋକ ଯୋଗୁଁ ଓଡ଼ିଶାର ଭାତହାଣ୍ଡି ବରଗଡ଼ ଜିଲ୍ଲା ଆଉ ଚାଷୀ ପାଇଁ ଅନୁକୂଳ ସାବ୍ୟସ୍ତ ହେଉ ନାହିଁ। ବିଶ୍ୱବ୍ୟାପୀ ଦେଖାଯାଉଥିବା ଜଳବାୟୁ ପରିବର୍ତ୍ତନ ପ୍ରଭାବରୁ ବରଗଡ଼ ବାଦ୍ ପଡ଼ି ନାହିଁ। ଗୋଟିଏ ବର୍ଷରେ ଋତୁ-ଋତୁ ମଧ୍ୟରେ ତାଳମେଳ ରହୁନଥିବା ଚାଷୀକୁଳର ମେରୁଦଣ୍ଡ ଭାଂଗି ଦେଇଛି। ପାଣିପାଗରେ ସ୍ୱାଭାବିକ ସ୍ଥିରତା ରହୁନଥିବାରୁ ଚାଷ ଜମିରେ ଜୈବିକ ପରିବର୍ତନରେ ବିଭ୍ରାଟ ଲାଗି ରହିଛି। ଫଳରେ ଚାଷଜମି ଉର୍ବରତା ହରାଉଛି। ବିହନର କିସମ ଲୋପ ପାଇବା ଏବଂ ପର୍ଯ୍ୟାପ୍ତ ଫସଲ ଅମଳ ନହେବା ଚାଷୀ ପାଇଁ ନକରାତ୍ମକ ପରିସ୍ଥିତି ସୃଷ୍ଟି କରିସାରିଛି। କ୍ରମାଗତ ଭାବେ ଏହି ପ୍ରକ୍ରିୟା ଲାଗି ରହିବା ଯୋଗୁଁ ଚାଷୀ ସଂଖ୍ୟା ଅହେତୁକ ଭାବେ କମୁଛି। କୌଳିକ ବୃତ୍ତି ଛାଡ଼ି ଚାଷୀ ଶ୍ରମିକ ସାଜିବାକୁ ବାଧ୍ୟ ହେଉଛି। ଏଣେ ଋତୁକାଳୀନ ଶ୍ରମସଂସ୍ଥାନର ବାଟ ମଧ୍ୟ କ୍ରମଶଃ ସଂକୁଚିତ ହେବାକୁ ଲାଗିଛି। ଯଦ୍ୱାରା ସୀମାନ୍ତ ଶ୍ରମିକ ସଂଖ୍ୟା ବଢ଼ି ଚାଲିଛି। ବରଗଡ଼ ଜିଲ୍ଲାର ୨୦୦୧ ଏବଂ ୨୦୧୧ର ଜନଗଣନା ରିପୋର୍ଟରୁ ଏସବୁ ଉଦ୍ବେଗଜନକ ତଥ୍ୟ ମିଳୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ଜିଲ୍ଲାରେ ଗୋଟିଏ ଦଶନ୍ଧି ମଧ୍ୟରେ ସୀମାନ୍ତ ଶ୍ରମିକ ସଂଖ୍ୟା ଅଚାନକ ବୃଦ୍ଧି ପାଇଛି। ୨୦୦୧ ମସିହାରେ ଜିଲ୍ଲାରେ ସୀମାନ୍ତ ଶ୍ରମିକ ସଂଖ୍ୟା ୨,୦୮,୮୨୦ ରହିଥିଲା। ଯାହା ୨୦୧୧ ମସିହାରେ ବୃଦ୍ଧି ପାଇ ୨,୮୭,୭୦୨ରେ ପହଞ୍ଚି ଥିଲା। ଗତ ୮ବର୍ଷ ମଧ୍ୟରେ ବରଗଡ଼ ଜିଲ୍ଲା ତିନୋଟି କ୍ରମାଗତ ମରୁଡ଼ି ବର୍ଷର ସମ୍ମୁଖୀନ ହୋଇଛି। ଜଳସେଚନ ସୁବିଧା ଥିବା ଅଂଚଳରେ ଅର୍ଧାଧିକ ଫସଲ ଚକଡ଼ା ପୋକ ଯୋଗୁଁ ଉଜୁଡ଼ି ଯାଉଛି। ଯଦ୍ୱାରା ଚାଷୀମାନେ ଚାଷ କାର୍ଯ୍ୟରୁ ଦୂରେଇ ଯାଉଛନ୍ତି। ଅନ୍ୟପକ୍ଷରେ ଜିଲ୍ଲାରେ ଋତୁକାଳୀନ ଶ୍ରମସଂସ୍ଥାନ ସୁଯୋଗ କମୁ ଥିବାରୁ ଦାଦନ ଚାଲାଣ ହାର ବଢ଼ି ଚାଲିଛି। ଏପରିକି ଚାଷୀ ମଧ୍ୟ ଦାଦନ ଖଟିବାକୁ ବାହାର ରାଜ୍ୟ ଚାଲି ଯାଉଛି। ଚାଷୀର ଏହି ଦୁର୍ଦ୍ଦଶା ପାଇଁ ଦୁଇଟି କାରଣକୁ ଦାୟୀ କରାଯାଉଛି। ପ୍ରଥମଟି ହେଲା, ଶିଳ୍ପ ଏବଂ ସହରୀକରଣର ବିସ୍ତାର ଯୋଗୁଁ ଚାଷୀର ଜମି ବଳି ପଡ଼ୁଛି। ଅନ୍ୟଟି ହେଲା, ଜଳବାୟୁ ପରିବର୍ତନର ଗୁରୁତର ପ୍ରଭାବ। କୃଷି ନୀତିରେ ଏହି ସମସ୍ୟାର ବାଟ ଖୋଜା ନଗଲେ ବଳକା ଚାଷୀ ମଧ୍ୟ ଆଗାମୀ କିଛି ଦଶନ୍ଧି ଭିତରେ ଲୋପ ପାଇଯିବା ଆଶଙ୍କା ରହିଛି।