ସାଇବର୍‌ କ୍ରାଇମ୍‌: ୧୨ ଲକ୍ଷ ଗ‌ାଏବ୍‌ ମାମଲା, ୨ ଅଭିଯୁକ୍ତ ଦିଲ୍ଲୀରୁ ଗିରଫ

ବରଗଡ଼ : ଗତ ଡିସେମ୍ବର ୫ ତାରିଖ ବରଗଡ଼ ଜିଲ୍ଲା ଅତାବିରା ବାସିନ୍ଦା ଆଲୋକ ଅଗ୍ରୱାଲ ଅଭିନବ ଢଙ୍ଗରେ ସାଇବର୍ ଅପରାଧର ଶିକାର ହୋଇଥିଲେ। ବ୍ୟବସାୟୀ ଆଲୋ‌କ ବିଦେଶ ଭ୍ରମଣରେ ଥିବାବେଳେ ତାଙ୍କ ଆକାଉଣ୍ଟରୁ ନେଟ୍ ବ୍ୟାଙ୍କିଂଗ ଜରିଆରେ ୧୨ଲକ୍ଷ ଟଙ୍କା ଗାଏବ୍‌ ହୋଇଥିଲା। ଏହି ଘଟଣାରେ ବରଗଡ଼ ପୁଲିସ୍‌କୁ ବଡ଼ ଧରଣର ସଫଳତା ମିଳିଛି। ଏଭଳି କାଣ୍ଡ ଭିଆଇଥିବା ୨ଜଣ ଅଭିଯୁକ୍ତଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ ପଶ୍ଚିମବଂଗ ମାଲ୍‌ଦା ଜିଲ୍ଲା ଗ‌େଜାଲ ଗାଁର ସୁରେନ୍ଦର ସିଂହ (୨୮) ଏବଂ ହାୱଡ଼ା କାଲିବାଡ଼ି ଥାନା କାଲିଘାଟର ଅନୁଜ କୁମାର (୨୨)। ଏମାନଙ୍କ ପାଖରୁ ନଗଦ ୭୦ହଜାର ଟଙ୍କା, ୪ଟି ମୋବାଇଲ, ୮ଟି ଏଟିଏମ୍ କାର୍ଡ, ଭୋଟର୍‌ ପରିଚୟ ପତ୍ର, ଆଧାର କାର୍ଡ ଆଦି ଜବତ ହୋଇଛି। ଦୁହେଁ ପୂର୍ବଦିଲ୍ଲୀ ଗାଜିପୁର ଥାନା ଘରୋଲି ଅଂଚଳରେ ଭଡ଼ା ଘରେ ଆତ୍ମଗୋପନ କରିଥିବାବେଳେ ପୁଲିସ୍ ଗିରଫ କରିଛି। ଅଭିଯୁକ୍ତମାନେ ଆଲୋକଙ୍କ ସିମ୍‌କାର୍ଡ ହ୍ୟାକିଂ କରି ୫ ତାରିଖ ୨ଲକ୍ଷ ଏବଂ ୬ ତାରିଖ ୧୦ଲକ୍ଷ ଟଙ୍କା ଆକାଉଣ୍ଟରୁ କାଢ଼ି ନେଇଥିଲେ। ଟଙ୍କାତକ ନୂଆଦିଲ୍ଲୀସ୍ଥିତ ଏଡିଏଫ୍‌ସି ବ୍ୟାଙ୍କରେ ଅଭିଯୁକ୍ତ ସୁରେନ୍ଦ୍ରର ସିଂର ଆକାଉଣ୍ଟରେ ଜମା ହୋଇଥିଲା। ଆଲୋକ ବିଦେଶରେ ଥିବାବେଳେ ଅଭିଯୁକ୍ତମାନେ ପ୍ରଥମେ ତାଙ୍କ ସିମ୍ କାର୍ଡ ବ୍ଲକ କରି ଦେଇଥିଲେ। ଆଲୋକଙ୍କ ସିମ୍ କାର୍ଡ ଅଚାନକ ଅଚଳ ହୋଇଯାଇଥିଲା। ଏହାପରେ ଅଭିଯୁକ୍ତମାନେ ତାଙ୍କ ଇମେଲ୍ ହ୍ୟାକିଂ କରିଥିଲେ। ଆଲୋକଙ୍କ ପୁରୁଣା ନମ୍ବରରେ ଆଉ ଗୋଟିଏ ସିମ୍ କିଣିଥିଲେ। ଏହାପରେ ଉକ୍ତ ନମ୍ବର ଏବଂ ଇମେଲ୍‌କୁ ଆସୁଥିବା ଓଟିପି (ୱାନ୍ ଟାଇମ୍ ପାସୱାର୍ଡ) ବ୍ୟବହାର କରି ନେଟ୍ ବ୍ୟାଙ୍କିଂଗ୍ ଜରିଆରେ ଟଙ୍କା ଉଠାଇ ନେଇଥିଲେ ବୋଲି ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡିପିଓ ସ‌ୁରେଶ ନାଏକ ଏବଂ ଅତାବିରା ଥାନା ଅଧିକାରୀ ଗୌରାଂଗ ଚରଣ ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର