ଡାଇରିଆରେ ଜଣେ ମୃତ, ୬ ଆକ୍ରାନ୍ତ:ନଦୀର ଦୂଷିତ ପାଣି ଯୋଗୁଁ ବ୍ୟାପୁଥିବା ଆଶଙ୍କା

ଅତାବିରା: ଅତାବିରା ବ୍ଳକ ପାଲି ବୁଗବୁଗାରେ ଡାଇରିଆ ବ୍ୟାପିଥିବା ବେଳେ ଗୁରୁବାର ଗାଁର ବିପିନ ରଣା (୪୭)ଙ୍କ ମୃତ୍ୟୁ ହୋଇଯାଇଛି। ବର୍ତ୍ତମାନ ୬ ଜଣ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଲକ୍ଷ୍ମୀ ସା ଓ ଦେଢ଼ ବର୍ଷର ଶିଶୁ କ୍ରିଷ୍ଣା ବର୍ଗେଙ୍କ ଅବସ୍ଥା ଗୁରୁତର ଥିବାରୁ ବୁର୍ଲା ନିଆଯାଇଥିବା ବେଳେ ରଜନୀ ଦୁଆନ, ଲୁଭା ରଣା, ଉଦ୍ଧବ ଭୁଏ, ବିଜଲି ରଣାଙ୍କ ଅବସ୍ଥାରେ ଉନ୍ନତି ଘଟିଛି। ଖବର ପାଇ ସ୍ୱାସ୍ଥ୍ୟ ବିଭାଗ ଓ ପ୍ରଶାସନର ଅଧିକାରୀମାନେ ଗାଁରେ ପହଞ୍ଚି ସ୍ୱାସ୍ଥ୍ୟ ସେବା ଯୋଗାଇବା ସହ ଡାଇରିଆ ବ୍ୟାପିବାର କାରଣ ସଂପର୍କରେ ତଦନ୍ତ ଆରମ୍ଭ କରିଛନ୍ତି। ଆକ୍ରାନ୍ତଙ୍କ ପରିବାର ଲୋକଙ୍କ ସହିତ ପଡ଼ୋଶୀଙ୍କୁ ପ୍ରତିଷେଧକ ଔଷଧ ଦିଆଯାଇଛି। ଗ୍ରାମର କୂଅ, ନଳକୂଅରେ ବ୍ଲିଚିଂ ପାଉଡର୍‌ ପକାଯାଇଛି।

ତେବେ ଗାଁକୁ ଝାଇଁଯୋର ନଦୀରୁ ପାଣି ଯୋଗାଇ ଦିଆଯାଉଥିବା ବେଳେ ବିଶୋଧନ ୟୁନିଟ୍‌ ଖରାପ ହୋଇଯାଇଥିବାରୁ ଲୋକଙ୍କୁ ଅଶୋଧିତ ପାଣି ସିଧାସଳଖ ଯୋଗାଇ ଦିଆଯାଉଛି। ତେଣୁ ଏଥିରୁ ଡାଇରିଆ ବ୍ୟାପିଥିବା ତଦନ୍ତକାରୀ ଦଳ ଅନୁମାନ କରିଛନ୍ତି। ପ୍ରତି ବର୍ଷ ଏଭଳି ଗାଁରେ ଡାଇରିଆ ବ୍ୟାପୁଛି। ଝାଇଁଯୋର ପ୍ରକଳ୍ପର ନିୟମିତ ରକ୍ଷଣାବେକ୍ଷଣ ଓ ମରାମତି କରାଯାଉ ନଥିବାରୁ ଅଧିକାଂଶ ସମୟରେ ଦୂଷିତ ପାଣି ପିଉଥିବା ଲୋକେ ଅଭିଯୋଗ କରଛନ୍ତି। ଘଟଣା ଜଣାପଡ଼ିବା ପରେ ଦୁଇ ଦିନ ଧରି ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାୟକ, ତହସିଲ୍‌ଦାର ଦୌଲତ ଚନ୍ଦ୍ରକାର, ଏଡିଏମ୍‌ଓ ଡା. ସୁଲବତୀ ସହାୁ, ଅତାବିରା ମେଡିକାଲ୍‌ ଅଫିସର ଡା. ସୁବାସ ଅଗ୍ରଓ୍ଵାଲ, ଆର୍‌ଡବ୍ଲୁଏସ୍‌ଏସ୍‌ ଯନ୍ତ୍ରୀ ସାଇମନ ଟପୋ ପ୍ରମୁଖ ସ୍ଥିତି ଅନୁଧ୍ୟାନ କରୁଛନ୍ତି।

ସମ୍ବନ୍ଧିତ ଖବର