ଧର୍ମେନ୍ଦ୍ରଙ୍କ ମାରାଥନ ପ୍ରଚାର

‘କୁନ୍ଦୁଲି ଘଟଣା ବିଜେଡି ପତନର କାରଣ ହେବ’
‘ବିଜେପୁର ବିଜେଡିର ନୁହେଁ କି ହେବନି’
ସାଢ଼େ ୩ ବର୍ଷର ହିସାବ ରଖିଲେ

ବରଗଡ଼ : ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦ୍ୱିତୀୟ ପର୍ଯ୍ୟାୟ ମାରାଥନ ପ୍ରଚାର କରିଛନ୍ତି। ଗାଇସିଲାଟ୍‌ ବ୍ଲକ ରାଇସଲପଦରରୁ ଶ୍ରୀ ପ୍ରଧାନ ଅଭିଯାନ ଆରମ୍ଭ କରିଥିଲେ। ପରେ ସରଧାପାଲି, ଡାଂଗବାହାଲ, ଜଗଲପାଟ, ବଡ଼ ସାହାଜବାହାଲ, କଠଉମାଲ, ଫିରିଂଗିମାଲ, କନ୍ଦାଗାଡ଼, ଜାମୁଟପାଲି, ତାଲପାଲି ଗାଁ ଗସ୍ତ କରି ନିର୍ବାଚନୀ ସଭା ଏବଂ ରୋଡ୍‌ ସୋ’ କରିଥିଲେ। ନିର୍ବାଚନୀ ସଭାରେ ଶ୍ରୀ ପ୍ରଧାନ ବିଜେଡିକୁ ଖୋଲାଖୋଲି ଟାର୍ଗେଟ କରିଥିଲେ। ବିଜେଡି ସରକାରଙ୍କ ୧୮ବର୍ଷର ଶାସନ ଏବଂ ମୋଦି ସରକାରଙ୍କ ସାଢ଼େ ୩ବର୍ଷର ଶାସନ କାଳ ମଧ୍ୟରେ ପ୍ରଭେଦ ଦର୍ଶାଇଥିଲେ।

ମୋଦି ସରକାର ସଂକ୍ଷିପ୍ତ ଶାସନ କାଳ ଭିତରେ ଚାଷୀ ଏବଂ ଗରିବ ବର୍ଗର ଲୋକଙ୍କ ପାଇଁ ଐତିହାସିକ ଯୋଜନା କରିଛନ୍ତି। ଧାନର ସହାୟକ ମୂଲ୍ୟ ଦେଢ଼ ଗୁଣା ବୃଦ୍ଧି, ଉଜ୍ଜ୍ୱଳା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ସଦ୍ୟ ବଜେଟ୍‌ରେ ପରିବାର ପିଛା ୫ଲକ୍ଷ ଟଙ୍କା ଲେଖାଏଁ ସ୍ୱାସ୍ଥ୍ୟ ବୀମା ମୋଦି ସରକାରଙ୍କ ଉପଲବ୍ଧି ବୋଲି ଶ୍ରୀ ପ୍ରଧାନ ବିବେଚନା କରିଥିଲେ। ହେଲେ ୧୮ବର୍ଷ ଧରି ଶାସନ କରୁଥିବା ବିଜେଡି ସରକାର ଓଡ଼ିଶାକୁ କାଂଗାଳ କରି ଦେଇଛି। ମିଛ ପ୍ରତିଶ୍ରୁତି ବାଣ୍ଟି ଲୋକଙ୍କୁ ଭୂଆଁ ବୁଲାଉଛି। ସୋହେଲା ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କୁ ଶହେ ଟଙ୍କା ବୋନସ ଘୋଷଣା କରିଥିଲେ। କେବଳ ବିଜେପୁର ନିର୍ବାଚନ ପାଇଁ କିଛି ଯୋଜନା କିମ୍ବା ବଜେଟ୍‌ ନରଖି ୧୨୫୦ କୋଟି ଟଙ୍କାର ଜଳସେଚନ ପ୍ରକଳ୍ପ ଘୋଷଣା କରାଯାଇଛି। ଏହା ଭୋଟ୍‌ ହାତେଇବା ପାଇଁ ଫମ୍ପା ପ୍ରତିଶ୍ରୁତି ବ୍ୟତୀତ କିିଛି ନୁହେଁ ବୋଲି ଶ୍ରୀ ପ୍ରଧାନ କହିଥିଲେ।

ନବୀନ ସରକାରଙ୍କ ଶାସନ କାଳରେ ନାରୀ ନିର୍ଯାତନା ବଢ଼ିଛି। କୁନ୍ଦୁଲି ଦୁଷ୍କର୍ମ ପୀଡ଼ିତାଙ୍କ ସ୍ୱରକୁ ଚାପି ଦେଇ ବିଜେଡି ସରକାର ପାପ କରିଛି। ଅଂଜନା ମିଶ୍ର ଗଣଦୁଷ୍କର୍ମ ଘଟଣା କଂଗ୍ରେସର ପତନ ହେଲା। ଠିକ୍‌ ସେହିପରି କୁନ୍ଦୁଲି ଘଟଣା ନବୀନ ସରକାରଙ୍କ କାଳ ହେବ। ଏହାର ଝଲକ ବିଜେପୁର ନିର୍ବାଚନରୁ ଦେଖିବାକୁ ମିଳିବ। ସରକାର, ପୁଲିସ୍‌ ପ୍ରଶାସନ ମିଶି ପୀଡ଼ିତାଙ୍କ ଅଭିଯୋଗକୁ ମିଛ ବୋଲି ପ୍ରମାଣିତ କରିଦେଲେ। ରୋମ୍‌ ସହର ଜଳୁଥିବା ବେଳେ ସେଠାକାର ସମ୍ରାଟ ନେରୋ ବଂଶୀ ବାଦନ କରି ଖୁସି ମନାଉଥିଲେ। ଠିକ୍‌ ସମାନ ଆଚରଣ ଓଡ଼ିଶାରେ ବିଜେଡି ସରକାର କରୁଛି। ସ୍ୱାଭିମାନୀ ବିଜେପୁର ନିର୍ବାଚନମଣ୍ଡଳୀବାସୀ ଏଭଳି ସରକାରଙ୍କୁ ପ୍ରତ୍ୟାଖ୍ୟାନ କରିଦେବେ।

ବିଜେପୁରବାସୀ ୧୫ବର୍ଷ ହେଲା ବିଜେଡି ସହିତ ନଥିଲେ କି ଆଗକୁ ମଧ୍ୟ ରହିବେ ନାହିଁ। ଆସନ୍ତା ବର୍ଷ ମେ’ ସୁଦ୍ଧା ସାଧାରଣ ନିର୍ବାଚନ ହେବ। ଅର୍ଥାତ ବିଜେପୁର ଆସନରେ ନବନିର୍ବାଚିତ ବିଧାୟକ ୧୪ମାସ ଦାୟିତ୍ୱରେ ରହିବେ। ତେଣୁ ଏହି ଉପନିର୍ବାଚନ ବାର୍ଷିକ ପରୀକ୍ଷା ପୂର୍ବର ପ୍ରସ୍ତୁତି ପରୀକ୍ଷା ସଦୃଶ। ଏହି ପରୀକ୍ଷାରେ ବିଜେପିକୁ ପାସ୍‌ କରାଇବାକୁ ସେ ଭୋଟର୍‌ଙ୍କୁ ନିବେଦନ କରିଥିଲେ। ସଭାରେ ବିଧାୟକ ପ୍ରଦୀପ ପୁରୋହିତ, ପୀତାମ୍ବର ଆଚାର୍ଯ୍ୟ, ସୁବାସ ଚୌହାନ, ଗିରିଜେଶ ଖାଡ଼ଂଗା, ଗୋବର୍ଦ୍ଧନ ଭୁଏ ପ୍ରମୁଖ ମଂଚାସୀନ ଥିଲେ। ଜିଲ୍ଲା ସଭାପତି ଡା. ଅରୂପାନନ୍ଦ ସାହୁ ସଭା ପରିଚାଳନା କରିଥିଲେ।

ଆଜି ପ୍ରଚାର କରିବେ ଦୁଇ କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ୱର : ବିଜେପୁର ଉପନିର୍ବାଚନରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତାକାଲି ତୃତୀୟ ଦିନ ପାଇଁ ପ୍ରଚାରକୁ ଓହ୍ଲାଇବେ। ପୂର୍ବରୁ ଆଉ ଜଣେ କେନ୍ଦ୍ର ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ଵର୍‌ ପ୍ରଚାର କରିସାରିଛନ୍ତି। ତୃତୀୟ କେନ୍ଦ୍ର ମନ୍ତ୍ରୀ ଭାବେ ସ୍ୱାଧୀ ନିରଞ୍ଜନ ଜ୍ୟୋତି ଆସନ୍ତକାଲି ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଆସନ୍ତାକାଲି ୧୦ଟାରେ ବିଜେପୁରରେ ହେବାକୁ ଥିବା ଏକ ମିଶ୍ରଣ ପର୍ବରେ ଯୋଗ ଦେବେ। ଅପରାହ୍ନ ୧ଟାରେ ବରପାଲିରେ ହେବାକୁ ଥିବା ରୋଡ୍‌ ସୋ’ ଏବଂ ୨ଟାରେ ବରପାଲି ବ୍ଲକ୍‌ର ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେବେ। କେନ୍ଦ୍ର ମନ୍ତ୍ରୀ ସ୍ୱାଧୀ ନିରଞ୍ଜନ ଜ୍ୟୋତି ଅପରାହ୍ନ ୧୧ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଗାଇସିଲେଟ୍‌ ବ୍ଲକ୍‌ର ବିଭିନ୍ନ ସ୍ଥାନରେ ହେବାକୁ ଥିବା ନିର୍ବାଚନୀ ସଭାରେ ଯୋଗ ଦେବେ ବୋଲି ଆଜି ବିଜେପି କାର୍ଯ୍ୟାଳୟ ସୁତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର