ବରଗଡ଼/ବରପାଲି : ବିଜେପୁର ନିର୍ବାଚନମଣ୍ଡଳୀରେ ଆଜି ଲଗାତାର ତୃତୀୟ ଦିନ ପାଇଁ ମାରାଥନ୍ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ରାମକ୍ରିପାଳ ଯାଦବ ମଧ୍ୟ ପ୍ରଚାରରେ ସାମିଲ ହୋଇଥିଲେ। ତିନି ଜଣ କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟ ନେତା ରାଜ୍ୟ ସରକାରଙ୍କ ବିରୋଧରେ ଅଭିଯୋଗର ପାହାଡ ଠିଆ କରାଇବା ସହିତ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟର କଠୋର ସମାଲୋଚନା କରିଥିଲେ। ଆଜି ପ୍ରଚାରରେ ଚଳଚ୍ଚିତ୍ର ତାରକମାନେ ମଧ୍ୟ ସାମିଲ ହୋଇଥିଲେ। ଏଥିସହିତ ଶ୍ରୀ ପ୍ରଧାନଙ୍କ ପ୍ରଚାର ଶେଷ ହୋଇଛି।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର ସଭାରେ କହିଥିଲେ ଯେ ବିଜେପୁରବାସୀଙ୍କ ସହ ମୁଖ୍ୟମନ୍ତ୍ରୀ ଦୀର୍ଘ ଦିନ ଧରି ଛଳନା ଓ ଧୋକା କରିଛନ୍ତି। ଏବେ ସେ କ୍ଷେତ୍ରରେ ଆଉ ପାଦେ ଆଗେଇଛନ୍ତି। ମୁଖ୍ୟମନ୍ତ୍ରୀ ବିଜେଡି ପ୍ରାର୍ଥିନୀ ରୀତା ସାହୁଙ୍କ ପାଇଁ ଭୋଟ୍ ମାଗିବା ସମୟରେ ଏଣିକି ସେ ବିଜେପୁରର ବିକାଶର ଦାୟିତ୍ୱ ନିଜ ମୁଣ୍ଡକୁ ନେବେ ବୋଲି କହିବା ସବୁଠୁ ବଡ ଧୋକା। ୧୮ ବର୍ଷ ଶାସନରେ ରହିବା ପରେ ବିଜେପୁରର ବିକାଶର ଦାୟିତ୍ୱ କାହିଁକି ନିଜ ମୁଣ୍ଡକୁ ନେଇ ନଥିଲେ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ଧର୍ମେନ୍ଦ୍ର। ଅଭିଯୋଗ କରିଥିଲେ, ୧୮ ବର୍ଷର ବିକାଶର ଦାୟିତ୍ୱକୁ ଅଣଦେଖା କରିବା କାରଣରୁ ବିଜେପୁରର ଗାଁ ଗଣ୍ଡାରେ ଶୁଦ୍ଧ ପାନୀୟ ଜଳ ପହଞ୍ଚିିନାହିଁ। ଚଷା ଚାଷୀଙ୍କ ଅଂଚଳରେ କ୍ଷେତକୁ ପାଣି ନାହିଁ , ସ୍କୁଲରେ ଶିକ୍ଷକ ନାହାନ୍ତି। ଡାକ୍ତରଖାନା ଡାକ୍ତରଶୂନ୍ୟ। ୨୪ ଘଣ୍ଟିଆ ବିଜୁଳି ନାହିଁ ବୋଲି ବିଜେପୁରବାସୀ ଅନୁଭବ କରୁଛନ୍ତି ଓ ଏହାର ଜବାବ୍ ଦେବେ।
ଦିବଂଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁଙ୍କୁ ବର୍ଷକ ପାଇଁ ବିଧାୟିକା କରିବା ପାଇଁ ଭୋଟରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ସମାଲୋଚନା କରି ଶ୍ରୀ ପ୍ରଧାନ କହିଥିଲେ, ୨୦୧୯ ପରେ ରୀତା ସାହୁଙ୍କ ବଦଳରେ କାହାକୁ ବିଧାୟକ କରିବାକୁ ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀ ପ୍ରଥମେ ସ୍ପଷ୍ଟ କରନ୍ତୁ। ନିଜ ଆସନ୍ନ ପରାଜୟରେ ବିବ୍ରତ ହୋଇ ଗଣତାନ୍ତ୍ରିକ ପଦ୍ଧତିରେ ନୁହେଁ ପୋଲିସ୍କୁ ଗୁଣ୍ଡା ଭଳି ବ୍ୟବହାର କରି ନିର୍ବାଚନ ଜିତିବାକୁ ଚାହୁଁଛି ଶାସକ ଦଳ ବୋଲି ସେ ଅଭିଯୋଗ କରିଥିଲେ। ଶ୍ରୀ ପ୍ରଧାନ କହିଥିଲେ, ଭୁବନେଶ୍ୱରରେ ବସିଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ନିଜର ସାମ୍ବିଧାନିକ ଦାୟିତ୍ୱ ନୁହେଁ ମୁଖ୍ୟମନ୍ତ୍ରୀଙ୍କ ବଚସ୍କରଙ୍କ ନିର୍ଦ୍ଦେଶରେ କାମ କରୁଛନ୍ତି। ମନ୍ତ୍ରୀ ସୁଶାନ୍ତ ସିଂହ ବିଜେପି କର୍ମୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କଲେ ମଧ୍ୟ ପୋଲିସ୍ ନିରବଦ୍ରଷ୍ଟା ସାଜୁଛି। ମୁଖ୍ୟମନ୍ତ୍ରୀଙ୍କୁ ଚପଲ ପକାଇବା ଘଟଣାକୁ ନିନ୍ଦା କରି ଶ୍ରୀ ପ୍ରଧାନ କହିଥିଲେ, ଜଣେ ଉଦ୍ଭ୍ରାନ୍ତ ଯୁବକର ଅଭାବନୀୟ କାଣ୍ଡକୁ ବିଜେପି ସହିତ ଯୋଡିବା ଠିକ୍ ହୋଇନାହିଁ।
ସେହିଭଳି କେନ୍ଦ୍ରମନ୍ତ୍ରୀ ଶ୍ରୀ ଯାଦବ ନିଜ ଅଭିଭାଷଣରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। କେନ୍ଦ୍ର ପ୍ରଦତ୍ତ ଅନୁଦାନ ଓଡ଼ିଶା ସରକାର ଠିକ୍ ଭାବରେ ବିନିଯୋଗ କରୁନଥିବା ଅଭିଯୋଗ କରିଥିଲେ। ଛତିଶଗଡ଼ ତୁଳନାରେ ଓଡ଼ିଶାରେ ଚାଷୀମାନେ ସର୍ବାଧିକ ଅବହେଳିତ ଅବସ୍ଥାରେ। ସେଠାରେ ଚାଷୀଙ୍କୁ ୩ ଶହ ଟଙ୍କା ଅଧିକ ବୋନସ୍ ମିଳୁଛି। କିନ୍ତୁ ଓଡ଼ିଶାରେ ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେବା ରାଜ୍ୟ ସରକାରଙ୍କ ବିଫଳତା ବୋଲି ସେ କହିଥିଲେ। ଶ୍ରୀ ଯାଦବ ବଡ଼ସାହାଜବାହାଲ, କଠଉମାଲ, ଗୌରେନମୁଣ୍ଡା, କେନ୍ଦୁମୁଣ୍ଡା, ଲେବ୍ଡି ଏବଂ ସନ୍ଧିବାହାଲରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ଯୋଗ ଦେଇ ରାୟପୁର ଫେରିଯାଇଥିଲେ।
କେନ୍ଦ୍ରମନ୍ତ୍ରୀଙ୍କ ମଞ୍ଚ ଧସିଗଲା
ବରଗଡ଼/ଗାଇସିଲାଟ୍ : ବୁଧବାର ନିର୍ବାଚନ ପ୍ରଚାର ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ରାମକୃପାଳ ଯାଦବ ଦୁର୍ଘଟଣାର ଶିକାର ହୋଇଛନ୍ତି। ଶ୍ରୀ ଯାଦବ ପ୍ରଚାର ପାଇଁ ପ୍ରଥମେ ଗାଇସିଲାଟ୍ ବ୍ଲକ ଜଗଲପାଟ ପଡିଆଠାରେ ହେଲିକପ୍ଟରରୁ ଓହ୍ଲାଇଥିଲେ। ହେଲିପ୍ୟାଡ୍ରୁ ଅନତି ଦୂରରେ ଥିବା ସଭାସ୍ଥଳୀରେ ପହଂଚିଥିଲେ। ଶ୍ରୀ ଯାଦବଙ୍କ ସମେତ ମଂଚରେ ବିଜେପି ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀ, ଜିଲ୍ଲା ସଭାପତି ଡା ଅରୂପା ନନ୍ଦ ସାହୁ, ହାସ୍ୟ ଅଭିନେତା ହରିହର ମହାପାତ୍ରଙ୍କ ସମେତ ଅନ୍ୟ ନେତୃମଣ୍ଡଳୀ ଉପସ୍ଥିତ ଥିଲେ। କିଛି ଦଳୀୟ କର୍ମକର୍ତ୍ତା ମଞ୍ଚ ଉପରକୁ ଚଢି କେନ୍ଦ୍ରମନ୍ତ୍ରୀ ଶ୍ରୀ ଯାଦବଙ୍କୁ ସ୍ୱାଗତ ଜଣାଇ ଫୁଲମାଳ ପିନ୍ଧାଉଥିଲେ। ହେଲେ ଏତିକି ଲୋକଙ୍କ ଭାର ମଞ୍ଚ ସମ୍ଭାଳି ପାରିନଥିଲା। ହଠାତ୍ ମଞ୍ଚର ଗୋଟିଏ କାଠପଟା ଧସି ଯାଇଥିଲା। ଶ୍ରୀ ଯାଦବ ମଞ୍ଚ ତଳକୁ ଗଳିଯାଇଥିଲେ ହେଁ ଆହତ ହୋଇନଥିଲେ। ତାଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଥିଲା। ମଞ୍ଚର ମରାମତି ପରେ ସଭାକାର୍ଯ୍ୟ ସ୍ୱାଭାବିକ ଚାଲିଥିଲା।
କେନ୍ଦ୍ରମନ୍ତ୍ରୀ ଶ୍ରୀ ଯାଦବ ନିଜ ଅଭିଭାଷଣରେ ରାଜ୍ୟ ସରକାରଙ୍କ ଉପରେ ଜୋର ବର୍ଷିଥିଲେ। କେନ୍ଦ୍ର ପ୍ରଦତ୍ତ ଅନୁଦାନ ଓଡ଼ିଶା ସରକାର ଠିକ୍ ଭାବରେ ବିନିଯୋଗ କରୁନଥିବା ଅଭିଯୋଗ କରିଥିଲେ। କହିଥିଲେ, ଛତିଶଗଡ଼ ତୁଳନାରେ ଓଡ଼ିଶାରେ ଚାଷୀମାନେ ସର୍ବାଧିକ ଅବହେଳିତ ଅବସ୍ଥାରେ ଅଛନ୍ତି। ସେଠାରେ ଚାଷୀଙ୍କୁ ୩ ଶହ ଟଙ୍କା ଅଧିକ ବୋନସ୍ ମିଳୁଛି। କିନ୍ତୁ ଓଡ଼ିଶାରେ ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି। ରାଜ୍ୟ ସରକାରଙ୍କର ଏହା ବିଫଳତା ବୋଲି ମନ୍ତ୍ରୀ କହିଥିଲେ। ନିଜ ମାରାଥନ ପ୍ରଚାରରେ ଶ୍ରୀ ଯାଦବ ବଡ଼ସାହାଜବାହାଲ, କଠଉମାଲ, ଗୌରେନମୁଣ୍ଡା, କେନ୍ଦୁମୁଣ୍ଡା, ଲେବ୍ଡି ଏବଂ ସନ୍ଧିବାହାଲରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ଯୋଗ ଦେଇ ରାୟପୁର ଫେରିଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/Dharmendra-Campaign.jpg)