ନିର୍ବାଚନ ପ୍ରଭାବ!:ଉଦ୍‌ଘାଟନ ହେଲାନି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

ବରଗଡ଼: ସାଧାରଣ ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ପ୍ରକଳ୍ପ ଗୁଡ଼ିକୁ ତରବରିଆ ଲୋକାର୍ପଣ କିମ୍ବା ଶିଳାନ୍ୟାସ କରାଯାଏ। ବରଗଡ଼ ଜିଲ୍ଲାରେ ମଧ୍ୟ ସମାନ ପ୍ରକ୍ରିୟା ହୋଇଥିଲା। କିନ୍ତୁ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା ୫୬କୋଟି ଟଙ୍କାରେ ନିର୍ମିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉଦ୍‌ଘାଟନ ହୋଇପାରିଲା ନାହିଁ। ଆଚରଣ ବିଧି ଲାଗୁ ହେବା ଆଗରୁ ମାର୍ଚ୍ଚ ମାସ ପହିଲା ସପ୍ତାହରେ ଜିଲ୍ଲ‌ାରେ ବହୁ କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ହୋଇଥିଲା। ଏଥିରେ ବେହେରା ଠାରେ ୯.୮୦ କୋଟି ଟଙ୍କାରେ ପ୍ରସ୍ତାବିତ ବୁଣାକାର ହବ୍‌, ସମ୍ବଲପୁରୀ ବସ୍ତ୍ରାଳୟର ଦେଢ଼ କୋଟି ଟଙ୍କାରେ ମେଗା ବିକ୍ରୟ କେନ୍ଦ୍ର, ସହକାରୀ ବୟନ ଶିଳ୍ପ ନିର୍ଦ୍ଦେଶକ କାର୍ଯ୍ୟାଳୟ ପରିସରରେ ବୁଣାକାର ସୁବିଧା କେନ୍ଦ୍ର, ୫.୭୨କୋଟି ଟଙ୍କାରେ ବୟନିକାର ଅତ୍ୟାଧୁନିକ ବିକ୍ରୟ କେନ୍ଦ୍ର ଆଦି ସାମିଲ ଥିଲା। କିଛି ଦିନ ପରେ ବରଗାଁର ବୃହତ୍‌ ପାନୀୟ ଜଳ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉଦ୍‌ଘାଟନ କରିଥିଲେ। ଆଚରଣ ବିଧି ଲାଗୁ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ସୋହେଲା ଗସ୍ତରେ ଆସିଥିଲେ। ସେହି ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଉଦ୍‌ଘାଟନ ହେବା ପାଖାପାଖି ଚୂଡ଼ାନ୍ତ ହୋଇଥିଲା। ପରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉଦ୍‌ଘାଟନ ହେବ ବୋଲି କୁହାଯାଉଥିଲା। କିନ୍ତୁ ଏହି ପ୍ରକଳ୍ପ ଏବେ ଉଦ୍‌ଘାଟନକୁ ‌ଅପେକ୍ଷା କରିଛି। ପୂର୍ବରୁ ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ନେଇ ବାଦବିବାଦ ଲାଗି ରହିଥିଲା। ପୁରୁଣା ଚିକିତ୍ସାଳୟରେ ଜରୁରୀ ଚିକିତ୍ସା ସେବା ଏବଂ ପର୍ଯ୍ୟାପ୍ତ ଡାକ୍ତର ଉପଲବ୍ଧ ହେବା ପରେ ହିଁ ଏହାର ସ୍ଥାନାନ୍ତର କରାଯାଉ ବୋଲି ଦାବି ଉଠିଥିଲା। ଆନ୍ଦୋଳନ, ସଭାସମିତି ବି ଚାଲିଥିଲା। କିନ୍ତୁ ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଉଦ୍‌ଘାଟନ ଅଟକି ରହିଛି। ଆଚରଣ ବିଧି ହଟିଲା ପରେ ହିଁ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ହେବ।

ସମ୍ବନ୍ଧିତ ଖବର