ଭେଡ଼େନ: ବରଗଡ଼ ଜିଲ୍ଲା ଭେଡ଼େନ ଥାନା ଅଞ୍ଚଳରେ ରବିବାର ଏକ ଦନ୍ତାହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ବୟ ହେଲେ ଗାଈସିଲାଟ୍‌ ବ୍ଲକ୍‌ କଠଉମାଲ ଗାଁର ସେବଲାଲ ସୁନା (୫୦ବର୍ଷ) ଓ ଭେଡ଼େନ ବ୍ଲକ୍‌ ଦେଶଭଟଲି ପଞ୍ଚାୟତ ବିଶିପାଲି ଗାଁର ବଳରାମ ସାହୁ (୨୫ବର୍ଷ)।
ସୂଚନା ଅନୁସାରେ, ଅତାବିରା ବ୍ଲକ୍‌ ସ୍ବର୍ଣ୍ଣା ଛକରୁ ଭେଡ଼େନ ବ୍ଲକ୍‌ ସଂକ୍ରୀଡ଼ା ପଞ୍ଚାୟତ ଝର୍ନିଆଟିକ୍ରା ପର୍ଯ୍ୟନ୍ତ ମାଇନର କେନାଲ କାମ ଚାଲୁଛି। ଜଣେ ଠିକାଦାରଙ୍କ ଅଧୀନରେ ଗତ ୭ ତାରିଖ ଗାଈସିଲାଟ କଠଉମାଲର ୧୬ ଜଣ ଓ କନ୍ଧୁମୁଡ଼ାର ୫ ଜଣ ସମୁଦାୟ ୨୧ ଜଣ ଲୋକ ଆସି ଶ୍ରମିକ ଭାବେ ଝର୍ନିଆଟିକ୍ରା ଗ୍ରାମରେ ରହି କାମ କରୁଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣ ଲୋକ ଭୋର୍‌ରୁ ଶୌଚ କରିବାକୁ ଯାଇଥିଲେ। ସ୍ଥାନୀୟ ଡୁଙ୍ଗୁରିରେ ଏକ ଦନ୍ତାହାତୀ ବୁଲୁଥିବା ଦେଖି ୩ ଜଣ ଦୌଡ଼ି ପଳାଇ ଆସିଥିଲେ। ହେଲେ ସେବଲାଲ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀ ସେବଲାଲଙ୍କୁ କିଛି ମିଟର ପର୍ଯ୍ୟନ୍ତ ଘୋଷାଡ଼ି ଘୋଷାଡ଼ି ଟାଣି ନେଇ ଦଳିଚଟକି ମାରିଦେଇଥିଲା। ଏହା ଜାଣି ଅନ୍ୟ ଲୋକେ ଚିତ୍କାର କରିବାରୁ ହାତୀଟି ଝରାପାଲି, ଲୋଇସିରା, ସାଲନା, ପଥର୍ଲା, ଦେଶଭଟଲି, ବିଶିପାଲି ଆଦି ଗ୍ରାମ ଦେଇ ପଳାଇ ଯାଉଥିଲା। ଏହି ସମୟରେ ସକାଳ ୧୦ଟାରେ ବିଶିପାଲି ଗାଁର ବଳରାମ ସାହୁ ନିଜ କ୍ଷେତରେ ଧାନ କାଟୁଥିଲେ। ଉକ୍ତ ହାତୀଟି ବଳରାମଙ୍କୁ ଟେକି ନେଇ କିଛି ଦୂର ଗଲା ପରେ ତାଙ୍କୁ ମଧ୍ୟ କଚାଡ଼ି ଦଳି ଦେଇଥିଲା। ଖବର ପାଇ ଭେଡ଼େନ ଓ ଋଷୁଡ଼ା ପୁଲିସ ଏବଂ ବନ ବିଭାଗ କର୍ମଚାରୀମାନେ ଝର୍ନିଆଟିକ୍ରା ଓ ବିଶିପାଲିରେ ପହଂଚି ମାଜିଷ୍ଟ୍ରେଟ୍‌ ଭାବେ ତସିଲଦାର ନେପାଳଚନ୍ଦ୍ର ମୁଣ୍ଡାଙ୍କ ଉପସ୍ଥିତିରେ ଦୁଇ ଜଣଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବରଗଡ଼ ପଠାଇଥିଲେ।
ମୃତ ସେବଲାଲଙ୍କ ତିନି ପୁଅ ମଧ୍ୟ ଏଠାରେ ରହି କାମ କରୁଥିଲେ। ସେହିପରି ମୃତ ବଳରାମ ବାପା ମା’ଙ୍କ ଏକ ମାତ୍ର ପୁଅ ଥିଲେ। ବନ ବିଭାଗ ହାତୀକୁ ମହାନଦୀ ପାରି କରାଇ ଧମା ପଟକୁ ଘଉଡ଼ାଇ ଦେଇଛି। କିଛି ଲୋକ ଏକ ହାତୀ ପଲକୁ ଦେଖିଥିବା ମଧ୍ୟ ପ୍ରକାଶ କରିଛନ୍ତି। କିଛି ସ୍ଥାନରେ ବନ ବିଭାଗର ୫୦ରୁ ଅଧିକ କର୍ମଚାରୀ ସ୍ଥିତିକୁ ନିରୀକ୍ଷଣ କରୁଥିବା ଜଣାପଡ଼ିଛି। ବନବିଭାଗର ସମ୍ବଲପୁର ଆର୍‌ସିସିଏଫ୍‌, ବରଗଡ଼ ଡିଏଫ୍‌ଓ, ରେଞ୍ଜର ଆରତୀ ନେଗୀ, ଫରେଷ୍ଟର ଲୋକେଶ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ସରପଞ୍ଚ ତୋଷବନ୍ତ ସାହୁ, ସନତ ସେଟ, ଜିଲ୍ଲା ପରିଷଦ ସଭ୍ୟ ସତ୍ୟଜିତ ପୁରୋହିତ, ଚାଷୀଗିରି ନଇ, ସୁଶାନ୍ତ ସାହୁ ପ୍ରମୁଖ ହାତୀ ଘଉଡ଼ାଇବାରେ ସାହାଯ୍ୟ କରିଥିଲେ। ଖବରପାଇ ବରଗଡ଼ର ଜଣାଶୁଣା ସମାଜସେବୀ ଡା. ରାମକୃଷ୍ଣ ପୁରୋହିତ ଝର୍ନିଆଟିକ୍ରା ଓ ବିଶିପାଲିକୁ ଯାଇ ମୃତକଙ୍କ ପରିବାରକୁ କେମିତି ସରକାରୀ ସହାୟତା ମିଳିବ ସେ ବିଷୟରେ ଆଲୋଚନା କରିଥିଲେ। ସରକାରଙ୍କ ପକ୍ଷରୁ ବନ ବିଭାଗକୁ ଏକ ଡ୍ରୋନ୍‌ କ୍ୟାମେରା ଦିଆଯିବାକୁ ସେ ଦାବି କରିଛନ୍ତି।

Advertisment