ଅତାବିରା: ବରଗଡ଼ ଜିଲ୍ଲା ଭଟଲି ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା କୁମର ବେହେରାଙ୍କ ୮୦ ବର୍ଷ ବୟସରେ ପରଲୋକ ଘଟିଛି। ଫୁସଫୁସ୍ ସଂକ୍ରମଣ ଯୋଗୁଁ କିଛି ମାସ ହେଲା ଚିକିତ୍ସାଧୀନ ଥିଲେ। ଗତ ୨ ତାରିଖରୁ ବୁର୍ଲାସ୍ଥିତ ଏକ ନର୍ସିଂହୋମରେ ଭର୍ତ୍ତି ଥିଲେ। ଗୁରୁବାର ରାତି ୧୨ଟାରେ ତାଙ୍କ ପରଲୋକ ଘଟିଛି। ସେ ତାଙ୍କ ପଛରେ ଝିଅ ତପସ୍ବିନୀ, ଜ୍ବାଇଁ ମୋତିଲାଲ, ପୁଅ ସନ୍ତୋଷ, ଅରବିନ୍ଦ, ଲିଂଗରାଜଙ୍କୁ ଛାଡ଼ି ଯାଇଛନ୍ତି। ତାଙ୍କ ମରଶରୀରକୁ ଅତାବିରା ଶାନ୍ତିପଡ଼ାସ୍ଥିତ ବାସଭବନକୁ ଅଣାଯାଇଥିଲା। ଶୁକ୍ରବାର ଦିନ ସାଢ଼େ ୧୧ଟାରେ ପୈତୃକ ଗ୍ରାମ ହିର୍ଲିପାଲିଠାରେ ଅନ୍ତିମ ସଂସ୍କାର କରାଯାଇଥିଲା। ବଡ଼ପୁଅ ସନ୍ତୋଷ ମୁଖାଗ୍ନି ଦେଇଥିଲେ।
ସ୍ବର୍ଗତ ବେହେରା ୧୯୬୪ ମସିହାରୁ ଅତାବିରା ହାଇସ୍କୁଲରେ କଳା ଶିକ୍ଷକ ଭାବେ ଚାକିରିରେ ଯୋଗ ଦେଇ ୧୯୯୦ରେ ଇସ୍ତଫା ଦେଇଥିଲେ। ଚାକିରି ଛାଡ଼ି ଭଟଲି ନିର୍ବାଚନମଣ୍ଡଳୀରୁ ଜନତା ଦଳରୁ ପ୍ରାର୍ଥୀ ହୋଇଥିଲେ। ବିଜୁ ପଟ୍ଟନାୟକଙ୍କ ସରକାରରେ ୧୯୯୦-୯୫ ପର୍ଯ୍ୟନ୍ତ ବିଧାୟକ ଥିଲେ। ପରେ ଅତାବିରା ବ୍ଳକ ଜୋନ୍-୪ରୁ କଂଗ୍ରେସ ଦଳର ଜିଲ୍ଲା ପରିଷଦ ସଭ୍ୟ ଭାବେ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ। ପରେ ସେ ତୃଣମୂଳ କଂଗ୍ରେସ, ଏନ୍ସିପି, ଓଡ଼ିଶା ଗଣପରିଷଦ ଦଳରେ ଯୋଗ ଦେଇଥିଲେ। ଶେଷରେ ବିଜେପି ଦଳର ସଭ୍ୟ ଭାବେ ଦୀର୍ଘ ବର୍ଷ ହେଲା ସକ୍ରିୟ ଥିଲେ। କିଛି ବର୍ଷ ହେଲା ସକ୍ରିୟ ରାଜନୀତିରୁ ଦୂରେଇ ରହିଥିଲେ। ତାଙ୍କ ବିୟୋଗରେ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ପୂର୍ବତନ ବିଧାୟକ ନିହାର ମହାନନ୍ଦ, ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ସତ୍ୟନାରାୟଣ ତାଣ୍ଡି, ଓକିଲ ସଂଘର ଉନ୍ନି ନାୟାର, ବିଜେଡି ଟାଉନ ସଭାପତି ସିଦ୍ଧାର୍ଥଶଂକର ପଣ୍ଡା, ରାଜେଶ ଅଗ୍ରୱାଲ ପ୍ରମୁଖ ଶେଷ ଦର୍ଶନ କରିଥିଲେ। ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ଦେବେଶ ଆଚାର୍ଯ୍ୟ, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ସାଧୁଚରଣ ନେପାକ ପ୍ରମୁଖ ଗଭୀର ଶୋକପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/eb7b801d-b8e6-4e91-baf8-2db2feaf2f8e.jpg)