ତାତି ଭିତରେ ମୂଲ୍ୟାଙ୍କନ

ବରଗଡ଼: ଶିକ୍ଷକ ଆନ୍ଦୋଳନ ଯୋଗୁଁ ତାତି ଭିତରେ ବରଗଡ଼ ସରକାରୀ ବାଳିକା ହାଇସ୍କୁଲରେ ପ୍ରଥମ ଦିନ ମାଟ୍ରିକ ଖାତା ମୂଲ୍ୟାଙ୍କନ ସରିଛି। ଛ’ ଦଫା ଦାବି ନେଇ ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଂଚ ମାଟ୍ରିକ୍‌ ଖାତା ମୂଲ୍ୟାଙ୍କନ ବର୍ଜନ କରିଛି। ମଂଗଳବାର ସକାଳୁ ମଂଚର କର୍ମକର୍ତାମାନେ ମୂଲ୍ୟାଙ୍କନ କେନ୍ଦ୍ର ସମ୍ମୁଖ ରାସ୍ତା ଅବରୋଧ କରିଥିଲେ। ସରକାରୀ ବ୍ୟବସ୍ଥା ଏବଂ ବ୍ଲକ ଗ୍ରାଣ୍ଟ ପ୍ରଥା ଉଚ୍ଛେଦ ନେଇ ନାରାବାଜି କରିଥିଲେ। ପରେ ପୁଲିସ୍‌ ପହଂଚିବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଆନ୍ଦୋଳନକାରୀଙ୍କୁ ବାଦ୍‌ ଦେଇ ଅନ୍ୟ ଶିକ୍ଷକମାନେ ମୂଲ୍ୟାଙ୍କନ ପ୍ରକ୍ରିୟାରେ ଭାଗ ନେଇଥିଲେ। ସୂଚନା ଅନୁସାରେ, ଏହି କେନ୍ଦ୍ରରେ ମୋଟ୍‌ ୬୭,୧୭୨ଟି ଖାତା ସଂଶୋଧନ ହେବ।

ଏଥିପାଇଁ ୨୪୦ଜଣ ଶିକ୍ଷକଙ୍କୁ ନିୟୋଜିତ କରିବାକୁ ନିର୍ଦ୍ଦେଶ ମିଳିଛି। ନିର୍ଦ୍ଧାରିତ ସମୟରେ ୨୦୭ ଜଣ ଯୋଗଦାନ କରିଥିଲେ। ୩୩ଜଣ ସ୍ପଟ୍‌ ଜଏନିଂ କରିଥିଲେ। ଏଭଳି ମୋଟ୍‌ ୨୦୫ ଜଣ ଶିକ୍ଷକ ମୂଲ୍ୟାଙ୍କନ ପାଇଁ ମହଜୁଦ ଅଛନ୍ତି। ସେହିପରି ପଦ୍ମପୁର ରାଜ ବୋରାସମ୍ବର ହାଇସ୍କୁଲରେ ୫୭୧୯୭ଟି ଖାତା ମୂଲ୍ୟାଙ୍କନ ପାଇଁ ୨୫୯ଜଣ ଶିକ୍ଷକଙ୍କୁ ନିର୍ଦ୍ଦେଶପତ୍ର ମିଳିଥିଲା। ଏଥିରୁ ୧୭୨ଜଣ ଆଗୁଆ ଯୋଗ ଦେଇଥିଲେ। ୮୭ଜଣ ମୂଲ୍ୟାଙ୍କନ ଦିନ ଯୋଗ ଦେଇଛନ୍ତି। ତେବେ ପଦ୍ମପୁରରେ ସୁରୁଖୁରୁରେ ମୂଲ୍ୟାଙ୍କନ ସରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର