ବିଜେପୁର: ବିଜେପୁର ବ୍ଳକ ବରମୁଣ୍ଡା ପଞ୍ଚାୟତ ମୈସେନାବାହାଲ ଗ୍ରାମରେ ମରଣାନ୍ତକ ଆକ୍ରମଣରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ଶୁକ୍ରବାର ଅପରାହ୍ଣ ୨ଟା ବେଳେ ଘଟିଥିବା ଏହି ଘଟଣାରେ ମୃତ ବ୍ୟକ୍ତି ଜଣକ କର୍ଲେ ଗ୍ରାମର ବିଦ୍ୟାଧର ମହାନନ୍ଦ (୩୨ ଓ ଆହତ ହେଲେ ମୈସେନାବାହାଲ ଗ୍ରାମର ଈଶ୍ୱର ଦୀପ (୭୨)। ସୂଚନାନୁସାରେ ଈଶ୍ୱର ଦୀପଙ୍କ ପୁଅ ଏବଂ ପୁତୁରାମାନଙ୍କ ମଧ୍ୟରେ ଆଜି ଅପରାହ୍ଣ ପ୍ରାୟ ୨ଟା ବେଳେ କୌଣସି ପାରିବାରିକ ପ୍ରସଂଗକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ବୃଦ୍ଧ ଇଶ୍ୱର ଏବଂ ଜ୍ୱାଇଁ ବିଦ୍ୟାଧର ସେମାନଙ୍କୁ ଝଗଡ଼ା ନ କରିବା ପାଇଁ ବୁଝାଇବାକୁ ଚେଷ୍ଟା କରୁଥିଲେ।
ହଠାତ ଉତ୍କ୍ଷିପ୍ତ ହୋଇ ରଘୁମଣି ଦୀପ (୫୦) ସେମାନଙ୍କ ଉପରକୁ ଇଟା ମାଡ଼ କରିଥିଲେ। ବିଦ୍ୟାଧରଙ୍କ ମୁଣ୍ଡରେ ଇଟା ବାଜିବାରୁ ଘଟଣା ସ୍ଥଳରେ ହିଁ ସେ ଟଳି ପଡ଼ିଥିଲେ। ବିଦ୍ୟାଧର ଶାଶୂ ଘର ମୈସାନାବାହାଲ ଗାଁକୁ ନାମଯଜ୍ଞ ଦେଖିବାକୁ ଆସିଥିବା ବେଳେ ଏହି ଅଘଟଣ ଘଟିଛି । ଅନ୍ୟପକ୍ଷରେ ଈଶ୍ୱର ଦୀପଙ୍କୁ ଇଟା ବାଜିବାରୁ ମୁଣ୍ଡ ଓ ହାତରେ ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ସେ ଚିକିତ୍ସିତ ହେଉଥିବା ଜଣାଯାଇଛି । ଖବର ପାଇ ବିଜେପୁର ପୁଲିସ ଗାଁରେ ପହଞ୍ଚି ଶବ ଜବତ କରି ବ୍ୟବେଚ୍ଛଦ ପାଇଁ ବରଗଡ଼ ପଠାଇଥିଲା। ଅଭିଯୁକ୍ତ ରଘୁମଣିକୁ ପୁଲିସ ଗିରଫ କରିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ କର୍ଲେ ଗ୍ରାମରେ ଘଟଣାକୁ ନେଇ ଉତ୍ତେଜନା ଦେଖା ଦେବା ସହ ଗ୍ରାମବାସୀ ଥାନା ଘେରାଉ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/04/police-cartoon-1.jpg)