ତେଜୁଛି ଚାଷୀ ଅଶାନ୍ତି; ଟୋକନ୍‌ ସମସ୍ୟାର ସମାଧାନ ପାଇଁ ପ୍ରଶାସନକୁ ଚରମବାଣୀ

ଅତାବିରା : ମାର୍କେଟ୍‌ ୟାର୍ଡ‌ ଖୋଲିବା‌ର ୯ ଦିନ ବିତି ଗଲାଣି। ଚାଷୀର ଧାନ ଅମଳ ହେବାର ଜୋର ଧରିଲାଣି। ମଣ୍ଡିରେ ଧାନ ହଜାର ହଜାର ବସ୍ତା ଗଦା ହେଲାଣି। ହେଲେ ମଣ୍ଡିକୁ ଆସିଥିବା ବହୁ ଚାଷୀଙ୍କ ଟୋକନ ଏ ପର୍ଯ୍ୟନ୍ତ ଆସିନାହିଁ। କାହାର ଟୋକନ ଏ ମାସ ଶେଷକୁ ଆସିବ ତ ଆଉ କାହାର ଡିସେମ୍ବରରେ। ଏପରିସ୍ଥଳରେ ଚାଷୀ କିପରି ‌ଶ୍ରମିକ ମଜୁରୀ ଦେ‌େବ, କେଉଁଠି ଏତେ ଟଙ୍କା ପାଇ‌େବ। ଆଉ ସପ୍ତାହେ ମଧ୍ୟରେ ୟାର୍ଡରେ ପାହାଡ଼ ଭଳି ଗଦା ହେବ ଧାନ। ଧାନ ବିକ୍ରିରେ ସରକାରୀ ନିୟମ ସ୍ବାଭାବିକ ଧାନ ସଂଗ୍ରହରେ ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରିଛି।

ଏ ନେଇ ମଂଗଳବାର ସ୍ଥାନୀୟ ମୁଖ୍ୟ ବଜାର ପ୍ରାଙ୍ଗଣରେ ଅତାବିରା କୃଷକ ସଂଗଠନର ଆହ୍ବାନରେ ଚାଷୀ ଓ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ରଜନୀକାନ୍ତ ଦାସ, ଡିଆର୍‌ସିଏସ୍ ଭକ୍ତବନ୍ଧୁ ସାହୁ, ସିଏସ୍‌ଓ ସରୋଜ ମେହେର, ଯୋଗାଣ ନିରୀକ୍ଷକ ବିଶ୍ବରଂଜନ ସାହୁଙ୍କ ସହ ଆଲୋଚନା ହୋଇଥିଲା। ଟୋକନ ବ୍ୟବସ୍ଥାରେ ଦେଖା ଦେଇଥିବା ଅବ୍ୟବସ୍ଥା ନେଇ ଚାଷୀମାନେ ଗର୍ଜିଥିଲେ। ସରକାରଙ୍କ ନିୟମ ଅନୁଯାୟୀ ଟୋକନ ଜାରି ହୋଇଥିବା ଚାଷୀମାନେ ନିର୍ଦ୍ଧାରିତ ଦିନରେ ଧାନ ଆଣିବେ। ଏହି ବ୍ୟବସ୍ଥାରେ ଆଗୁଆ ଚାଷୀମାନେ ବହୁ ସମସ୍ୟାରେ ଗତି କରୁଛନ୍ତି। କିଛି ଆନ୍ଧ୍ର ଭାଷାଭାଷୀ ଚାଷୀ ଧାନ ଅମଳ ସାରିବାକୁ ବସିଲେଣି। ତେବେ ଟୋକନ ନଥିବାରୁ ବିକ୍ରି କରିପାରୁ ନାହାନ୍ତି। ଚାଷୀଙ୍କ ପାଖରେ ଅମଳ ଧାନ ବସ୍ତା ରଖିବା ପାଇଁ ଗୋଦାମ, ଭିତ୍ତିଭୂମି ନ ଥିବାରୁ ମଣ୍ଡି ହିଁ ଏକମାତ୍ର ଭରସା। ହୀରାକୁଦ ସେଚାଂଚଳ ମଧ୍ୟରୁ ଅତାବିରା ନିୟନ୍ତ୍ରିତ ବଜାର କମିଟିର ଅତାବିରା ଓ ଭେଡ଼େନ ବ୍ଲକରେ ଧାନ ଅମଳ ଶୀଘ୍ର ହେଉଥିବା ବେଳେ ଗତ ଦୁଇ ଫସଲରେ ଟୋକନକୁ ନେଇ ଚାଷୀଙ୍କ ସମସ୍ୟା ଦେଖା ଦେଉଥିବାରୁ ସ୍ଥାୟୀ ସମସ୍ୟାର ସମାଧାନ ଦାବି କରିଛନ୍ତି। ଚାଷୀମାନେ ଟୋକନ ବ୍ୟବସ୍ଥାକୁ ବିରୋଧ କରୁଥିଲେ ମଧ୍ୟ ସରକାର ଚାଷୀଙ୍କ ଉପରେ ନିୟମ ଲଦି ସେମାନଙ୍କୁ ଉପହାସ କରୁଛନ୍ତି ବୋଲି ଚା‌ଷୀମାନେ ପ୍ରତିବାଦ କରିଥିଲେ। ଧାନ ଆଣିଥିବା ଚାଷୀଙ୍କ ଟୋକନ ସୃଷ୍ଟି କରି ପ୍ରଶାସନ ଧାନ ବିକ୍ରି କରିବାର ବ୍ୟବସ୍ଥା କରନ୍ତୁ ବୋଲି ଚାଷୀମାନେ ଦାବି କରିଥିଲେ। ଟୋକନ ବ୍ୟବସ୍ଥାରେ ସଂସ୍କାର ଚାଷୀଙ୍କ ଅସନ୍ତୋଷ ପରବର୍ତ୍ତୀ ସମୟରେ ଉଗ୍ର ରୂପଧାରଣ କରିବ ବୋଲି ଚେତାଇ ଦେଇଥିଲେ। ବିଭିନ୍ନ କାରଣରୁ ଚାଷୀମାନେ ଧାନ ବିକ୍ରି କରିପାରି ନଥିବା ବେଳେ ସେମାନଙ୍କ ଟୋକନ୍‌ ଅବଧି ସରିବା ଉପରେ। ଯଦ୍ବାରା ଟୋକନ୍‌ ‌ଅବଧି ଶେଷ ହେଲେ ସଂପୃକ୍ତ ଚାଷୀମାନେ ଧାନ ବିକି ପାରିବେ କି ନାହିଁ ତାକୁ ନେଇ ଅଡୁଆ ପରିସ୍ଥିତି ଲାଗି ରହିଛି।

ବୁଧବାର ଚାଷୀମାନଙ୍କ ଏକ ପ୍ରତିନିଧି ଦଳ ‌ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଜରିଆରେ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି। ଦାବିଗୁଡ଼ିକ ମଧ୍ୟରେ ସମସ୍ତ ରେଜିଷ୍ଟ୍ରିଭୁକ୍ତ ଚାଷୀଙ୍କ ଧାନ ଡିସେମ୍ବର ସୁଦ୍ଧା ଶେଷ କରାଯାଉ, ମଣ୍ଡିରେ ଧାନ ଆଣିଥିବା ଚାଷୀଙ୍କ ପ୍ରି-ଟୋକନ୍‌ ସୃଷ୍ଟି କରାଯାଇ ଧାନ ବିକ୍ରିର ବ୍ୟବସ୍ଥା କରାଯିବା, ଟୋକନରେ କିଛି ତ୍ରୁଟି ଥିଲେ ଉକ୍ତ ଚାଷୀର ଧାନ ବିକ୍ରି କରି ନ ପାରିବା ପର୍ଯ୍ୟନ୍ତ ବୈଧ ରହୁ, ବର୍ତମାନ ଶୀତ ମାସ ଥିବ‌ାରୁ ମଣ୍ଡିରେ ଧାନ ଗ୍ରହଣ ସମୟ ମଧ୍ୟାହ୍ନ ୧୨ଟା ପରିବର୍ତେ ଅପରାହ୍ଣ ୨ଟା କରାଯାଉ, ୧୦ ଏକର ପର୍ଯ୍ୟନ୍ତ ଚାଷୀଙ୍କ ଟୋକନ ନିୟମିତ ସମୟରେ ପ୍ରଦାନ କରାଯାଉ ଆଦି ଅନ୍ତର୍ଭୁକ୍ତ। ମଙ୍ଗଳବାର ଅଧିକାରୀଙ୍କ ସହ ଆଲୋଚନା‌ ବେଳେ ଚାଷୀ ନେତା କସ୍ତୁଭ ପ୍ରଧାନ, ବିରେନ୍ଦ୍ର କର, ରବୀନ୍ଦ୍ର ବିଶି, ସୁରେନ୍ଦ୍ର ସ୍ବାଇଁ, ଡିପି ଜୟକୁମାର, ପାପା ରାଓ, ସୁବାସ ପ୍ରଧାନ, ସୁବାସ ବିଶ୍ବାଳ, ଅରୁଣ ପ୍ରଧାନ, ଭୀଷ୍ମ ପଣ୍ଡା, ଚୈତନ୍ୟ କର, ବିରେନ୍ଦ୍ର ପ୍ରଧାନ, ସୀତ‌ାରାମ ସାହୁ, ଦଶରଥ ଭୋଇ, ଅମୂଲ୍ୟ ସ୍ବାଇଁ, ଚୈତନ୍ୟ କର୍ଣ୍ଣ, ଅମୂଲ୍ୟ ଦାଶ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର