ବିଜେପୁରରେ ଗୁଳି ଫୁଟିଲା

ଉପନିର୍ବାଚନପୂର୍ବରୁ ହିଂସା!

ବରଗଡ଼ : ଉପନିର୍ବାଚନ ପୂର୍ବରୁ ଆଜି ବିଜେପୁରର ଜଣେ ବିଜେପି ନେତାଙ୍କ ଘର ଉପରେ ଗୁଳି ମାଡ଼ ହୋଇଛି। ରବିବାର ରାତି ପ୍ରାୟ ୮ଟା ବେଳେ ବିଜେପୁର ବ୍ଲକ ପଡ଼ା ଗାଁରେ ଯୁବମୋର୍ଚ୍ଚା ମଣ୍ଡଳ ସଭାପତି ମନୋରଂଜନ ମେହେରଙ୍କ ଘର ଉପରକୁ ୩ ରାଉଣ୍ଡ ଗୁଳି ଚାଳନା ହୋଇଛି। ଏଥିରେ କେହି ମୃତାହତ ହୋଇ ନାହାନ୍ତି। କିନ୍ତୁ ଗୁଳି ମନୋରଂଜନଙ୍କ ଘର କବାଟ ଏବଂ କାନ୍ଥରେ ବାଜିଛି। ଖବର ପାଇ ବିଜେପୁର ପୁଲିସ୍‌ ଘଟଣାସ୍ଥଳରେ ପହଂଚି ଥିଲା। ଘଟଣାସ୍ଥଳରୁ ୨ଟି ଖୋକା ଜବତ ହୋଇଥିବା ଥାନା ଅଧିକାରୀ ପ୍ରକାଶ କର୍ଣ୍ଣ ସୂଚନା ଦେଇଛନ୍ତି। ତେବେ ଦୁର୍ବୃତ୍ତମାନେ କୁଆଡ଼େ ଫେରାର ମାରିଛନ୍ତି। ପୁଲିସ୍‌ ସ୍ଥାନୀୟ ଲୋକଙ୍କ ଠାରୁ ତଥ୍ୟ ଯୋଗାଡ଼ କରୁଛି। ଏହାକୁ ନେଇ ବିଜେପି-ବିଜେଡି ନେତା ପରସ୍ପର ବିରୋଧରେ ବୟାନବାଜି ଆରମ୍ଭ କରିଦେଇଛନ୍ତି। ଉପନିର୍ବାଚନ ପୂର୍ବରୁ ଏଭଳି ଘଟଣାକୁ ରାଜନୈତିକ ମହଲ ଅତ୍ୟନ୍ତ ଗୁରୁତର ସହିତ ଗ୍ରହଣ କରିଛନ୍ତି।

ଆମ ବରଗଡ଼ ପ୍ରତିନିଧିଙ୍କ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, କିଛି ଦିନ ହେଲା ଏନେଇ ବିଜେପୁର ଅଂଚଳରେ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ତିିକ୍ତତା ଲାଗି ରହିଥିଲା। ଆଜି ରାତିରେ ଗୋଟିଏ ବଲେରୋ ମନୋରଂଜନଙ୍କ ଘର ସମ୍ମୁଖରେ ପହଞ୍ଚିଥିଲା। ଭିତରେ ୪-୫ଜଣ ଦୁର୍ବୃତ୍ତ ମୁହଁ ଘୋଡ଼ାଇ ବସିଥିଲେ। ସେମାନେ ଅଚାନକ ଗୁଳି ଚଳାଇ ପଳାଇଥିଲେ ବୋଲି କିଛି ପ୍ରତ୍ୟକ୍ଷଦର୍ଶୀ କହୁଛନ୍ତି।

ଏହି ଘଟଣା ନେଇ ଉଭୟ ବିଜେଡି ଏବଂ ବିଜେପି ମୁହାଁମୁହିଁ ପରିସ୍ଥିତିକୁ ଚାଲି ଆସିଛନ୍ତି। ଘଟଣା ପାଇଁ ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଂପାଦକ ଇରାସିସ ଆଚାର୍ଯ୍ୟ ବିଜେଡିକୁ ଦାୟୀ କରିଛନ୍ତି। ୫ ତାରିଖ ପଡ଼ାରେ ବିଜେପି ଗୋଟିଏ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଆୟୋଜନ କରିବା ଧାର୍ଯ୍ୟ ହୋଇଥିଲା। ହେଲେ ସେଠାରେ ବିଜେଡି କର୍ମୀ ଗୋଟିଏ କ୍ରିକେଟ ମ୍ୟାଚ୍‌ ଆୟୋଜନ କରିଥିଲେ। ସମ୍ମିଳନୀକୁ ବସ୍‌ଷ୍ଟାଣ୍ଡ ପାଖରେ ଆୟୋଜନ କରାଗଲା। ଏହାକୁ ନେଇ ମନୋରଂଜନଙ୍କୁ ବିଜେଡି କର୍ମୀ ହତ୍ୟା ଧମକ ଦେଇଥିଲେ ବୋଲି ଇରାସିସ୍‌ ଅଭିଯୋଗ କରିଛନ୍ତି।

ଏହାକୁ ଖଣ୍ଡନ କରିଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂହ। କହିଛନ୍ତି, କିଛି ଦିନ ତଳେ ବିଜେପିର ସମ୍ମିଳନୀରେ ମନୋରଂଜନ ବିଜେଡି ନେତାମାନଙ୍କୁ (ମତେ ମିଶାଇ) ଗୁଳି କରିବେ ବୋଲି ଖୋଲା ଧମକ ଦେଇଛନ୍ତି। ଏହାର ଭିଡିଓ ରେକର୍ଡିଂ ମଧ୍ୟ ରହିଛି। ଏହି ଗୁଳିକାଣ୍ଡ ଘଟଣାରେ ବିଜେଡିର କିଛି ହାତ ନଥିବା ମନ୍ତ୍ରୀ ଶ୍ରୀ ସିଂହ ପ୍ରତିକ୍ରିୟାରେ କହିଛନ୍ତି। ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଘଟଣାସ୍ଥଳରେ ପୁଲିସ ମୁତୟନ କରାଯାଇଛି। ତେବେ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ଏସ୍‌ପି ବି. ଯୁଗଳ କିଶୋର ପଡ଼ା ଗାଁ ପହଂଚିବା ପରେ ସୂଚନା ଦେଇଛନ୍ତି।

ନିଆଳିରେ ପୁଣି ବୋମାମାଡ଼

ନିଆଳି : ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଆଜି ରାତି ପ୍ରାୟ ୯ଟାରେ ସ୍ଥାନୀୟ ପୋଲସରା ଗ୍ରାମର ଅଲେଖ ଖଟେଇଙ୍କ ବୋଲେରୋ ଗାଡ଼ି ଉପରକୁ ବୋମାମାଡ଼ ହୋଇଛି। ଏକ ବାଇକ୍‌ରେ ଆସି ଦୁଇଜଣ ଦୁର୍ବୃତ୍ତ ଏହି ବୋମାମାଡ କରି ଖସି ପଳାଇଛନ୍ତି। ଡିିସେମ୍ବର ୩୧ ରାତିରେ ନିକଟସ୍ଥ ପୋଖରୀଗାଁରେ ଘଟିଥିବା ବୋମାମାଡ଼ ଓ ଫାଙ୍କା ଗୁଳିଚାଳନା ଘଟଣା ନେଇ ଆଜି ରାତିରେ ପୋଖରୀଗାଁରେ ଶାନ୍ତି କମିଟି ବୈଠକ ବସିଥିବା ବେଳେ ପୋଲସରାରେ ବୋମାମାଡ଼ ଘଟିବା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ନିଆଳି ଥାନା ଅଞ୍ଚଳରେ ବାରମ୍ବାର ଏଭଳି ବୋମାମାଡ଼ ଘଟଣା ଘଟୁଥିବା ବେଳେ ଅପରାଧୀଙ୍କୁ ସାବାଡ୍‌ କରିବାରେ ପୁଲିସର ପାରିବାପଣିଆ ନେଇ ପ୍ରଶ୍ନ ଉଠିଲାଣି। ଗଲା ସପ୍ତାହକ ମଧ୍ୟରେ ଏଠାରେ ଦୁଇଥର ବୋମାମାଡ଼ ଘଟିଲାଣି।

ପ୍ରାପ୍ତ ସୂଚନା ଅନୁସାରେ, ପୋଲସରା ଗ୍ରାମର ଅଲେଖଙ୍କ ଘରଠାରୁ କିଛି ଦୂରରେ ତାଙ୍କ ବୋଲେରୋ ଗାଡ଼ି(ଓଆର୦୫ଏଜି୮୪୧୩) ରଖା ହୋଇଥିଲା। ବୋମାମାଡ଼ରେ ଗାଡ଼ିଟି କ୍ଷତିଗ୍ରସ୍ତ ହୋଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସମ୍ବାଦ ଲେଖାଯିବା ପର୍ଯ୍ୟନ୍ତ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ପୁଲିସ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର