ଫସଲବୀମା ଦାବିରେ ରାସ୍ତାରୋକ:ଅଧିକାରୀଙ୍କ ପ୍ରତିଶ୍ରୁତି ପରେ ପ୍ରତ୍ୟାହୃତ

ଭେଡ଼େନ: ଭେଡ଼େନ ବ୍ଲକ ଅନ୍ତର୍ଗତ ରେଶମ ତଥା ଅରେଇଗୁଡି ଗ୍ରାମପଞ୍ଚାୟତର ଶତାଧିକ ଚାଷୀ ସରକାରଙ୍କ ଘୋଷିତ ଫସଲବୀମା ତଥା ଇନ୍‌ପୁଟ ସବ୍‌ସିଡି ପାଇବା ଦାବିରେ ବୁଧବାର ଭେଡ଼େନସ୍ଥିତ ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ। ପ୍ୟାକ୍ସ ଅଫିସ୍‌ ସମ୍ମୁଖରେ ରାସ୍ତାରୋକ କରାଯିବାରୁ ଭେଡ଼େନ-ରେଶମ ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ରହିଥିଲା। ଖବର ପାଇ ସହକାରୀ ସମବାୟ ନିବନ୍ଧକ ଦିବାକର ଭୋଇ, ଭେଡ଼େନ ତହସିଲଦାର କୁଳମଣି ରଣବିଡା, ଭେଡ଼େନ ସମବାୟ ବ୍ୟାଙ୍କ ଶାଖା ପରିଚାଳକ ଶୁକମୁନି ଭୋଇ, ଭେଡ଼େନ ପ୍ୟାକ୍ସ ସଂପାଦକ ରବୀନ୍ଦ୍ର ଦାଶ ଆନ୍ଦୋଳନସ୍ଥଳକୁ ଆସି ଚାଷୀମାନଙ୍କ ସହ ଆଲୋଚନା କରିଥିଲେ।

ଖୁବଶୀଘ୍ର ସରକାରପ୍ରଦତ୍ତ ଇନ୍‌ପୁଟ ସବ୍‌ସିଡି ଚାଷୀମାନଙ୍କୁ ପ୍ରଦାନ କରାଯିବା, ବୀମା ସମସ୍ୟା ତଥା କ୍ଷତିପୂରଣ ପ୍ରାପ୍ତି ପାଇଁ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା, ବିଭାଗୀୟ ଅଧିକାରୀଙ୍କ ପରାମର୍ଶ ନେଇ ଚକଡ଼ାଜନିତ କ୍ଷୟକ୍ଷତି ଆକଳନ ରିପୋର୍ଟ ପଞ୍ଚାୟତଓ୍ଵାରୀ ସାର୍ବଜନୀନ କରାଯିବା ଆଦି ପ୍ରତିଶ୍ରୁତି ଅଧିକାରୀମାନେ ଦେବା ପରେ ରାସ୍ତାରୋକ ପ୍ରତ୍ୟାହାର ହୋଇଥିଲା। ଯଦି ଚଳିତ ବର୍ଷ ବୀମା କ୍ଷତିପୂରଣ ଅର୍ଥ ପ୍ରଦାନ କରାନଗଲେ ଫସଲବୀମା ପ୍ରିମିୟମ ଜମା କରିବା ବନ୍ଦ କରିବା ସହ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବାକୁ ଚାଷୀମାନେ ଚେତାବନୀ ଦେଇଛନ୍ତି। ରେଶମ ସମିତି ସଭ୍ୟ ନରେନ୍ଦ୍ର ଭୋଇ, ଉତ୍ପନ୍ନ ଭୋଇ, ସୁଦାମ ପାତ୍ର, ଧନପତି ରଣା, ପୂର୍ବତନ ସରପଂଚ ମହେଶ ପ୍ରଧାନ, ଭବାନୀ ପ୍ରଧାନ ପ୍ରମୁଖଙ୍କ ନେତୃତ୍ୱରେ ଏହି ଆନ୍ଦୋଳନରେ ରେଶମ, ପଧାନପାଲି, ସାଲେପାଲି, ସିଂହେନପାଲି, ଅରେଇଗୁଡି ଆଦି ବହୁ ଗ୍ରାମର ଶତାଧିକ ଚାଷୀ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର