ପ୍ରଚାରରେ ଗିରିରାଜ, ଜୁଏଲ

ବରଗଡ଼ : କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ବିଜେପୁର ନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ଶ୍ରୀ ସିଂହ ବିଜେପୁର ବ୍ଲକ ପଡ଼ା ଗାଁ, ପହଣ୍ଡି ଏବଂ ବୁଦାପାଲିରେ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ। ସଭାରେ ସେ ଧାନର ସର୍ବନିମ୍ନ ମୂଲ୍ୟକୁ ପ୍ରସଂଗ କରି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ଏହି ଅବସରରେ ସେ ଛତିଶଗଡ଼ ଏବଂ ଓଡ଼ିଶାରେ ଥିବା ପାର୍ଥକ୍ୟକୁ ଉପସ୍ଥାପନ କରିଥିଲେ। ଧାନର ଏମ୍‌ଏସ୍‌ପି ମୂଲ୍ୟ କ୍ୱିଣ୍ଟାଲ ପିଛା ୧୫୫୦ ଟଙ୍କା ଥିଲେ ହେଁ ଓଡ଼ିଶାରେ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ଚାଷୀ ୯ଶହ ଟଙ୍କାରେ ଧାନ ବିକୁଥିବା ନଜିର ରହିଛି। ହେଲେ ଛତିଶଗଡ଼ରେ ୧୫୫୦ ଟଙ୍କା ବ୍ୟତୀତ ଚାଷୀଙ୍କୁ ୩ଶହ ଟଙ୍କାର ଅତିରିକ୍ତ ବୋନସ ମିଳୁଛି। ଓଡ଼ିଶା ସରକାର ଚାଷୀଙ୍କ ପ୍ରାପ୍ୟକୁ ବାଟମାରଣା କରୁଛନ୍ତି ବୋଲି ଶ୍ରୀ ସିଂହ ଅଭିଯୋଗ କରିଥିଲେ। ଓଡ଼ିଶା ସରକାର କେନ୍ଦ୍ରରୁ ଆସୁଥିବା ଅନୁଦାନକୁ ଖର୍ଚ୍ଚ କରୁନାହାନ୍ତି। ନଚେତ ସବୁ ଚାଷ ଜମିରେ ନଦୀ ବୋହି ଯାଇଥାନ୍ତା। ତେଣୁ ବିଜେଡିକୁ ହଟାଇବାକୁ ହେଲେ ବିଜେପୁର ନିର୍ବାଚନରୁ ଏହାର ମୂଳଦୁଆ ପକାଇବାକୁ ସେ ଭୋଟର୍‌ଙ୍କୁ ନିବେଦନ କରିଥିଲେ। ସଭାରେ ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ, ବରିଷ୍ଠ ନେତା ସୁବାଷ ଚୌହାନ, ପୂର୍ବତନ ବିଧାୟକ ସୁବାଷ ପାଣିଗ୍ରାହୀ, ଗିରିଜେଶ ଖାଡ଼ଂଗା, ପ୍ରତାପ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଆଜି ବିଜେପୁର ବ୍ଲକର ରକ୍ସା ପଞ୍ଚାୟତ, ଚାରପାଲି ଏବଂ ସମଲେଇପଦର ଠାରେ ନିର୍ବାଚନୀ ସଭାରେ ଯୋଗ ଦେଇ ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ପାଇଁ ଭୋଟ୍‌ ଭିକ୍ଷା କରିଥିଲେ।

ସମ୍ବନ୍ଧିତ ଖବର