ସାଂଘାତିକ ବର୍ଷା: ଜନଜୀବନ ଅସ୍ତବ୍ୟସ୍ତ

ବରଗଡ଼: ଘଣ୍ଟା ଘଣ୍ଟା ଧରି ସାଂଘାତିକ ବର୍ଷା ବରଗଡ଼ ସହରବାସୀଙ୍କୁ ଅସ୍ତବ୍ୟସ୍ତ କରି ଦେଇଛି। ଦିନ ତମାମ ପାଗ ଶୁଖିଲା ରହିଥିଲା। ମେଘ ଭାସୁଥିଲେ ହେଁ ବର୍ଷା ନଥିଲା। କିନ୍ତୁ ସଂଧ୍ୟା ବେଳକୁ ସ୍ଥିତି ଉଗ୍ର ରୂପ ଧାରଣ କରିଥିଲା। ଅପରାହ୍ନ ୫ଟା ବେଳର ଅନ୍ଧାରୁଆ ପରିବେଶ ରାତି ୯ଟା ବେଳର ଭ୍ରମ ସୃଷ୍ଟି କରିଥିଲା। କେହି କିଛି ଅନୁମାନ କରିବା ପୂର୍ବରୁ ତୁହାକୁ ତୁହା ବର୍ଷା ସାଂଗକୁ ବିଜୁଳି, ଘଡ଼ଘଡ଼ି ଆତଙ୍କ ଖେଳାଇ ଦେଇଥିଲା। ସ୍ଥିତି ଏଭଳି ଥିଲା ଯେ, ଲୋକେ ଘରକୁ ଫେରିବାକୁ ବି ସୁଯୋଗ ପାଇନଥିଲେ। ଉଠାଦୋକାନୀଙ୍କ ବ୍ୟାପକ କ୍ଷୟକ୍ଷତି ହୋଇଛି। ପ୍ରବଳ ବର୍ଷା ଯୋଗୁଁ ସାମଗ୍ରୀ ତକ ଓଦା ହୋଇ ଯାଇଛି। ବିଭିନ୍ନ ସ୍ଥାନରେ ନର୍ଦ୍ଦମା ଜାମ୍‌ ହେବା ଯୋଗୁଁ ଅଳିଆ ଆବର୍ଜନା ପାଣି ରାସ୍ତା ଉପରେ ଛୁଟିଛି। କିଛି ଦିନ ତଳେ ବିଭିନ୍ନ ସ୍ଥାନରେ ନାଳନର୍ଦ୍ଦମାରୁ ମାଟି କଢ଼ାଯାଇ କଡ଼ରେ ରଖାଯାଇଥିଲା। ବର୍ଷା ଯୋଗୁଁ ମାଟିତକ ପୁଣି ନାଳନର୍ଦ୍ଦମାରେ ପଡ଼ିଯାଇଛି। ମୁଖ୍ୟ ରାସ୍ତାକଡ଼ରେ ଥିବା ଡ୍ରେନ୍‌ ଅବରୋଧ ହୋଇଥିବାରୁ ପାଣି ନିଷ୍କାସିତ ହୋଇପାରୁନାହିଁ। ଫଳରେ ରାସ୍ତା ଉପରେ ନର୍ଦ୍ଦମା ପାଣି ଭରି ରହିଛି। ତଳିଆ ଅଂଚଳରେ ପାଣି ଜମି ଥିବା ସୂଚନା ମିଳିଛି। ଜିଲ୍ଲାର ପ୍ରାୟତଃ ସମସ୍ତ ବ୍ଲକରେ ଉଣାଅଧିକେ ବର୍ଷା ଛିଞ୍ଚିଛି।

ସମ୍ବନ୍ଧିତ ଖବର