ଭୁଲ୍‌ ଜାଗାରେ ଓହ୍ଲାଇଲା ହେଲିକପ୍ଟର

ବରଗଡ଼,: ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରପାଲି ବଡ଼ଗାଁଠାରେ ନିର୍ବାଚନୀ ସଭାରେ ଯୋଗ ଦେବା ପାଇଁ ଆସିଥିଲେ। ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଭୁଲ୍‌ ଜାଗାରେ ଓହ୍ଲାଇବା ସବୁଠାରୁ ଚର୍ଚ୍ଚିତ ରହିଥିଲା। ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ସଭା ପାଇଁ ମଂଚର ଡାହାଣ ପଟେ କିଛି ଦିନ ପୂର୍ବରୁ ଗୋଟିଏ ଅସ୍ଥାୟୀ ହେଲିପ୍ୟାଡ୍‌ ତିଆରି ହୋଇଥିଲା। ଏହି ହେଲିପ୍ୟାଡ୍‌ ନିକଟରେ ଉଚ୍ଚକ୍ଷମତାସଂପନ୍ନ ବିଦ୍ୟୁତ୍‌ ତାର ରହିଥିଲା। ଫଳରେ ଯୁଦ୍ଧକାଳୀନ ଭିତ୍ତିରେ ମଂଚର ବାମପଟେ ଆଉ ଗୋଟିଏ ହେଲିପ୍ୟାଡ୍‌ ତିଆରି ହୋଇଥିଲା। କିନ୍ତୁ ପୂର୍ବ ହେଲିପ୍ୟାଡ୍‌ରେ ଥିବା ‘ଏଚ୍‌’ ସଂକେତକୁ ଦାୟିତ୍ୱରେ ଥିବା ଅଧିକାରୀମାନେ ଲିଭାଇ ନଥିଲେ। ତେଣୁ ପାଇଲଟ୍‌ ଏହି ଭୁଲ୍‌ ହେଲିପ୍ୟାଡ୍‌ରେ ହେଲିକପ୍ଟର ଓହ୍ଲାଇ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ନେତା, ମନ୍ତ୍ରୀ ଏବଂ ଶଂଖୁଆ ଦଳ ଠିକ୍‌ ହେଲିପ୍ୟାଡ୍‌ ନିକଟରେ ଛିଡା ହୋଇଥିଲେ। ନିଅାଁ ଲିଭା ଗାଡ଼ି ମଧ୍ୟ ସେଠାରେ ମୁତୟନ ରହିଥିଲା। ହେଲେ ହେଲିକପ୍ଟର ଅନ୍ୟଠି ଓହ୍ଲାଇବାରୁ ସମସ୍ତେ ସେଠାକୁ ଦୌଡି ଥିଲେ। ଭୁଲ୍‌ ଜାଗାରେ ହେଲିକପ୍ଟର ଓହ୍ଲାଇଥିବା ଜାଣି ପାଇଲଟ ପୁଣି ହେଲିକପ୍ଟରକୁ ସଠିକ୍‌ ସ୍ଥାନକୁ ନେଇଥିଲେ। ଏହି ସମୟରେ ହେଲିକପ୍ଟର ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବା ଭୟ ସୃଷ୍ଟି ହୋଇଥିଲା। ହେଲେ ପାଇଲଟ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ତାରଠାରୁ ହେଲିକପ୍ଟରକୁ ଦୂରକୁ ନେଇ ଠିକ୍‌ ସ୍ଥାନରେ ଅବତରଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ବେଳେ ଏଭଳି ଗୁରୁତର ବିଭ୍ରାଟକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଘଟଣା ନେଇ ତଦନ୍ତ ପରେ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବରଗଡ଼ ଏସ୍‌ପି ଜୟନାରାୟଣ ପଙ୍କଜ ସୂଚନା ଦେଇଛନ୍ତି।

ଟଙ୍କା ବାଣ୍ଟିବା ପାଇଁ ନବୀନ ରାତିରେ ରହୁଛନ୍ତି: ଧର୍ମେନ୍ଦ୍ର
ମଙ୍ଗଳବାର ବିଜେପୁର ଓ ବରପାଲିର ନିର୍ବାଚନୀ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, ରୀତା ସାହୁଙ୍କ ଅନୁରୋଧରେ ନବୀନ ବାବୁ କୁଆଡ଼େ ତାଙ୍କ ପାଇଁ ବିଧାୟକ ପଦ ଛାଡ଼ି ଦେଇଛନ୍ତି। ହେଲେ ଯେଉଁ ସୁବଳ ସାହୁ ଗତ ନିର୍ବାଚନରେ ନବୀନ ବାବୁଙ୍କ ଅର୍ଥ ମନ୍ତ୍ରୀଙ୍କୁ ଏହି ଆସନରୁ ହରାଇଥିଲେ ସେହି ଆସନକୁ ନବୀନ ବାବୁ ସୁବଳ ସାହୁଙ୍କ ପତ୍ନୀଙ୍କ ପାଇଁ ଛାଡ଼ି ଦେବା କଥା କହିବା ହାସ୍ୟାସ୍ପଦ। ନବୀନ ପଟ୍ଟନାୟକ ସୁବଳ ସାହୁଙ୍କ ପରିବାର ପ୍ରତି ଛଳନା କରିଛନ୍ତି। ଯଦି ନବୀନ ବାବୁ ଚାହିଁ ଥାଆନ୍ତେ ତାହେଲେ ରୀତା ସାହୁଙ୍କ ଦଳବଦଳ କରାଇ ଲଢ଼ାଇବା ବଦଳରେ ସେ କେମିତି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବେ ସେଥି ପାଇଁ ଉଦ୍ୟମ କରି ଥାଆନ୍ତେ। ନବୀନ ପୂର୍ବରୁ ତ କେବେ ଏଠାରେ ରାତ୍ରୀଯାପନ କରି ନଥିଲେ, ଏବେ କାହିଁକି କରୁଛନ୍ତି। ସେ ଟଙ୍କା ବାଣ୍ଟିବା ପାଇଁ ଏଥର ରାତିରେ ରହୁଛନ୍ତି ବୋଲି ଧର୍ମେନ୍ଦ୍ର ଅଭିଯୋଗ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଶବାସୀଙ୍କ ହଳିଆ ଆଖ୍ୟା ଦେଇ ଧର୍ମେନ୍ଦ୍ର କହିଲେ, ଭଲ ହଳିଆ ରଖିଲେ ଆପଣମାନଙ୍କ କ୍ଷେତରେ ଫସଲ ହସିବ, ଉନ୍ନତି ହେବ, ନବୀନଙ୍କ ଭଳି ନିସ୍ତେଜ, ଅଳସୁଆ ହଳିଆ ରଖିଲେ ନୁହେଁ ବୋଲି କହିଥିଲେ।

ସମ୍ବନ୍ଧିତ ଖବର