ହାଇକୋର୍ଟ ବେଞ୍ଚ ଦାବି:ତିନିଦିନିଆ ଆନ୍ଦୋଳନ ଜାରି

ବରଗଡ଼: ବୁଧବାର ଜିଲ୍ଲା ଓକିଲ ସଂଘର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଛି। ‌ବୈଠକରେ ସଂଘ ନିଜ ପୂର୍ବ ଆଭିମୁଖ୍ୟରେ କାଏମ୍‌ ରହିଛି। ଅର୍ଥାତ ପଶ୍ଚିମ ଓଡ଼ିଶାର ଯେକୌଣସି ସ୍ଥାନରେ ବେଞ୍ଚ ପ୍ରତିଷ୍ଠା ନେଇ ସରକାର ନି‌ଷ୍ପତ୍ତି ନେଲେ ହିଁ ସଂଘ ସମର୍ଥନ ଜଣାଇବ। କେଉଁ ସ୍ଥାନରେ ବେଞ୍ଚ ପ୍ରତିଷ୍ଠା ହେବ, ସେନେଇ ଅନ୍ୟ କୌଣସି ସଂଗଠନ କିମ୍ବା ସଂଘ ଚାପ ପକାଇଲେ ଏହାକୁ ବିରୋଧ ହେବ ବୋଲି ବୈଠକରେ ମତପ୍ରକାଶ ପାଇଛି। ଅନ୍ୟପକ୍ଷରେ ପ୍ରତି ମାସର ଶେଷ ତିନିଦିନ ଧରି ଚାଲୁଥିବା ଆନ୍ଦୋଳନ ପୂର୍ବଭଳି ଜାରି ରହିବ। ଆଗାମୀ ବୈଠକରେ ପରବର୍ତୀ ରଣନୀତି ସ୍ଥିର ହେବ ବୋଲି ସହମତି ପ୍ରକାଶ ପାଇଛି। ସଂଘର ସଭାପତି ବେଲାଲସେନ ସରାଫ, ଉପସଭାପତି ସରୋଜ ତ୍ରିପାଠୀ, ସାଧାରଣ ସଂପାଦକ ହେମନ୍ତ ପୁରୋହିତ, ସହସଂପାଦକ ଲଲାଟେନ୍ଦୁ ବେହେରା ପ୍ରମୁଖ ମଂଚାସୀନ ଥିଲେ। ହରିବନ୍ଧୁ ଦେବତା, ରାଜେଶ ଭୋଇ, ଲିପ୍‌ସିତ୍‌ ମିଶ୍ର, ଶଂକର୍ଷଣ ମିଶ୍ର, ବିମଳ କିଶୋର ଦେବତା, ରମେଶ ପତି, ରବିନାରାୟଣ ପଣ୍ଡା, ତୁରଜ ଚନ୍ଦ୍ର ତ୍ରିପାଠୀ, ଯୁଗଳ ପ୍ରସାଦ ସିଂହ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର