ବରଗଡ଼: ବରଗଡ଼ରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀଙ୍କ ଆଖି ଆଗରେ ସ୍ୱାମୀ ପାଣିରେ ବୁଡ଼ିଯାଇଛନ୍ତି। ଏଭଳି ଅଘଟଣ ଘଟିଛି, ବରଗଡ଼ ଟାଉନ ଥାନା ଅନ୍ତର୍ଗତ ତୁରା ଗ୍ରାମ ପ୍ରଧାନ ଟିକ୍ରା ଗାଁର। ସେହି ଗ୍ରାମର ଦେବାନନ୍ଦ ସାହୁ ଓ ସ୍ତ୍ରୀ ମାନିତା ସାହୁ ଆଜି ସକାଳ ୬ ଟା ସମୟରେ ଗାଧୋଇବା ପାଇଁ ରୁଗୁଡି ବନ୍ଧ ନାମକ ପୋଖରୀକୁ ଯାଇଥିଲେ। ଉଭୟେ ଗାଧୋଇବା ସମୟରେ ଦେବାନନ୍ଦଙ୍କ ଗୋଡ଼ ପଦ୍ମନାଡ଼ରେ ଛନ୍ଦି ହୋଇ ପଙ୍କ ଭିତରେ ଦବି ଯାଇଥିଲା।
ଦେବାନନ୍ଦ ଉଦ୍ଧାର କରିବାକୁ ଚିତ୍କାର କରିବାରୁ ସ୍ତ୍ରୀ ମାନିତା ବହୁ ଚେଷ୍ଟାକରି ମଧ୍ୟ ସ୍ୱାମୀଙ୍କୁ ଉଦ୍ଧାର କରି ପାରିନଥିଲେ। ଫଳରେ ଘଟଣାସ୍ଥଳରେ ହିଁ ସ୍ତ୍ରୀଙ୍କ ଆଖି ଆଗରେ ସ୍ୱାମୀ ପାଣିରେ ବୁଡ଼ିଯାଇଥିଲେ। ପରେ ଖବର ପାଇ ଗାଁଲୋକେ ଦେବାନନ୍ଦଙ୍କୁ ପାଣି ଭିତରୁ ଉଦ୍ଧାର କରି ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ଦେବାନନ୍ଦଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ଦେବାନନ୍ଦଙ୍କ ମୃତ ଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/Husband-Died-in-Front-of-His-Wife_Thumbnail.jpg)