ଘନଉଛି ଗୋଷ୍ଠୀ କନ୍ଦଳ

ବିଜେପୁର ବ୍ଲକ ବିଜେଡିର ବୈଠକ

ବିଜେପୁର: ବିଜେପୁର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହୋଇନାହିଁ। କିନ୍ତୁ, ନିର୍ବାଚନୀ ଉଷ୍ଣତା ବଢି ଚାଳିଛି। ଏଥିସହ ବିଜେଡିର ଗୋଷ୍ଠୀ କନ୍ଦଳ ମଧ୍ୟରେ ଦିନକୁ ଦିନ ପଦାରେ ପଡ଼ୁଛି। ଏହି ନିର୍ବାଚନମଣ୍ଡଳୀର ବରପାଲି, ଗାଇସିଲେଟ ଅପେକ୍ଷା ବିଜେପୁର ବ୍ଲକରେ ବିଜେଡି ଦଳର ଗୋଷ୍ଠୀ କନ୍ଦଳ ଘନେଇବାରେ ଲାଗିଛି। ଗୁରୁବାର ଖରମୁଣ୍ଡାଠାରେ ବ୍ଲକ ସଭାପତି ରାଧେଶ୍ୟାମ ମାହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ବୈଠକରେ ଏହି କନ୍ଦଳ ଓ ବିଭେଦ ପୁଣି ପଦାକୁ ଆସିଛି। ଗତ ରବିବାର ଡାକବଙ୍ଗଳା ପରିସରରେ କିଛି ବିଜେଡି କର୍ମୀଙ୍କ ବିଭ୍ରାନ୍ତିକର ବୟାନ ବିରୋଧରେ କ୍ଷୋଭ ପ୍ରକାଶ କରିବା ସହ ବୈଠକରେ ଏକ ନିନ୍ଦା ପ୍ରସ୍ତାବ ଆଗତ ହୋଇଥିଲା।

ସେହି ବୈଠକରେ ପୂର୍ବ ଜିଲ୍ଲା ସଭାପତି ପ୍ରଭାତ ଆଦିତ୍ୟ ମିଶ୍ରଙ୍କୁ ବିରୋଧ କରିବା ସହ ବର୍ତମାନର ବ୍ଲକ ସଭାପତି ରାଧେଶ୍ୟାମ ମହାପାତ୍ରଙ୍କୁ ପଦଚ୍ୟୁତ କରିବା ଦାବି କରାଯାଇଥିଲା। ଗୁରୁବାର ରାଧେଶ୍ୟାମ ମହାପାତ୍ରଙ୍କ ସମର୍ଥକ ଗୋଷ୍ଠୀ ଏକ ବୈଠକ କରି ବିପକ୍ଷ ଗୋଷ୍ଠୀ ବିରୋଧ ସ୍ୱର ଉତ୍ତୋଳନ କରିଛନ୍ତି। ଶ୍ରୀ ମହାପାତ୍ର କହିଛନ୍ତି ଯେ ବିଜେପୁର ଡାକ ବଙ୍ଗଳା ବୈଠକ ନିୟମ ଅନୁଯାୟୀ ହୋଇନାହିଁ। ବିଜେପୁର ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥିନୀ ରୀତା ସାହୁଙ୍କୁ ପୂର୍ଣ୍ଣ ସମର୍ଥନ ପୂର୍ବକ ବହୁ ସଂଖ୍ୟକ ଭୋଟରେ ବିଜୟ କରିବାକୁ ଉପସ୍ଥିତ କର୍ମୀମାନେ ଏହି ବୈଠକରେ ସଂକଳ୍ପ କରିଥିଲେ। ବୈଠକରେ ଯୁବନେତା ନରସିଂହ ପୂଜାରୀ, ବିଜେଡି ଜିଲ୍ଲା ସଂପାଦକ ଜୟକୃଷ୍ଣ ଡନସନା, ପୂର୍ବତନ ବ୍ଲକ ସଭାପତି କମଳାକାନ୍ତ ପଧାନ, ଗୈାରହରୀ ସେଠ, ବିବେକାନନ୍ଦ ମେହେର, ମଧୁସୂଦନ ଖମାରୀଙ୍କ ସମେତ ବିଭିନ୍ନ ପଂଚାୟତ କର୍ମୀ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର