ଜେଲ୍‌ରେ ଜୟ: ଜୁହାର ଜଣାଇ ଭିତରକୁ ପଶିଲେ

ସୋହେଲା: ବନାବିରା ଗୁଳିକାଣ୍ଡ ଘଟଣାରେ ପୂର୍ବତନ ମନ୍ତ୍ରୀ ଜୟ ନାରାୟଣ ମିଶ୍ର ଓ ସହଯୋଗ ଶିବ ପ୍ରସାଦ ଦିଓ୍ଵାନଙ୍କୁ ଗିରଫ ପରେ ଅପରାହ୍ନ ଅଢ଼େଇଟାରେ କୋର୍ଟ ଚାଲାଣ କରାଯାଇ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର କରାଯାଇଥିଲା। ସେଠାରେ ମିଶ୍ରଙ୍କ ପକ୍ଷରୁ ଆଡଭୋକେଟ ଅଶୋକ ପଣ୍ଡା, କୁଂଜବିହାରୀ ସାହୁ, ଜୟରାମ ଦୀପ, ସୁଶାନ୍ତ ହୋତା, ଆରକେ ସାହୁ, ଦୟାନିଧି ସାହୁ, ବିକାଶ ଭୋଇ ଓ ରୁଦ୍ର ମେହେର ଜାମିନ ପାଇଁ ମାଜିଷ୍ଟ୍ରେଙ୍କଠାରେ ଆବେଦନ କରିଥିଲେ। ଆବେଦନପତ୍ରରେ ଶ୍ରୀ ମିଶ୍ର ଏମ୍ସ ଦିଲ୍ଲୀରୁ ଚିକିତ୍ସିତ ହୋଇ ଫେରିଥିବା ଦର୍ଶାଯାଇଥିଲା । କିନ୍ତୁ ଜେଏମଏଫସି ସସ୍ମିତା ମିଶ୍ର ଆବେଦନକୁ ଖାରଜ କରିଦେଇଥିଲେ। ଶ୍ରୀ ମିଶ୍ର ଏବଂ ଶିବ ଦିଓ୍ଵାନଙ୍କୁ ସୋହେଲା ଜେଲ ହାଜତକୁ ପଠାଇ ଦିଆଯାଇଥିଲା। କଡ଼ା ସୁରକ୍ଷା ବଳୟ ମଧ୍ୟରେ ଦୁହିଁଙ୍କୁ ସୋହେଲା ଉପକାରାଗାରକୁ ନିଆଯାଇଥିଲା। କାରଗାର ଭିତରକୁ ପ୍ରବେଶ ସମୟରେ ଶ୍ରୀ ମିଶ୍ର ସ୍ଥାନୀୟ ନେତା ଓ ସମ୍ବଲପୁରରୁ ଆସିଥିବା ସମର୍ଥକଙ୍କୁ ପ୍ରଣାମ କରି ଭିତରକୁ ପ୍ରବେଶ କରିଥିଲେ ।

ଜେଲ ଭିତରେ ଶ୍ରୀ ମିଶ୍ର ସାଧାରଣ ବିଚାରଧୀନ ବନ୍ଦୀ ରହୁଥିବା କକ୍ଷରେ ରହିବାକୁ ଇଚ୍ଛା ପ୍ରକାଶ କରିଥିଲେ। ନିୟମିତ ଖାଉଥିବା ଔଷଧ ଏବଂ ଇଂଜେକସନ ଦେବାର ବ୍ୟବସ୍ଥା କରିବାକୁ ସହକାରୀ ଜେଲରଙ୍କୁ ଅନୁରୋଧ କରିଥିବା ଜଣାପଡ଼ିଛି । ଶ୍ରୀ ମିଶ୍ରଙ୍କୁ ଗିରଫ କରାଯିବା ପରେ ସମ୍ବଲପୁରରୁ ତାଙ୍କର ସମର୍ଥକ ତଥା ମହିଳା ମୋର୍ଚ୍ଚାର ସଦସ୍ୟାମାନେ ସୋହେଲା କୋର୍ଟକୁ ଆସିଥିଲେ। ଜେଲ ହାଜତକୁ ଯିବା ପଯ୍ୟର୍ନ୍ତ ସମସ୍ତେ ସାଙ୍ଗରେ ଥିଲେ । ଗିରଫ ଖବର ପାଇ ବରଗଡ଼ ଓ ସ୍ଥାନୀୟ ନେତା ତଥା କର୍ମୀମାନେ କୋର୍ଟ ପରିସରରେ ଅପେକ୍ଷାରେ ରହିଥିଲେ। ସେଠାରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ, ଇଂ.ଦେବବ୍ରତ ମିଶ୍ର, ସୁଶାନ୍ତ ମିଶ୍ର, ଗିରିଜେଶ ଖାଡ଼ଙ୍ଗା, ଭାଗିରଥୀ ଭେସ୍ରା,ସଂଖ୍ୟାଲଘୁ ସେଲ ସଭାପତି ହାସିମ ରାଜା, ଉମେଶ ଚନ୍ଦ୍ର ଦେହେରୀ, ଗଣେଶ ଚନ୍ଦ୍ର ବେହେରା, ସୁଶୀଲ ସେନାପତି ତଥା ମହିଳା ମୋର୍ଚ୍ଚାର ସଭାନେତ୍ରୀ ମଂଜୁଳା ଓରାମ, ସେବତୀ ପଟ୍ଟନାୟକ,ମେଜ ସାହୁ, ରୁନୁ ପ୍ରଧାନ, ଅର୍ଚ୍ଚନା ସାହାଣୀ, ପୁଷ୍ପାଜଂଳୀ ଜେନା, ଅଂଜଳୀ ଛୁରା, ଜ୍ୟୋତି ତଲଓ୍ଵାର ପ୍ରମୁଖ କୋର୍ଟ ପରିସରରେ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର