ବରଗଡ଼: ସହରବାସୀ ଧନୁଯାତ୍ରାରେ ମସଗୁଲ ଥିବାବେଳେ ଡିସେମ୍ବର ୨୬ ତାରିଖ ରାତିରେ ଭୁରସୁଂଗ ବନ୍ଧ ପାଖରେ ଘଟିଥିଲା ଜଘନ୍ୟ ହତ୍ୟାକାଣ୍ଡ। ହତ୍ୟାକାଣ୍ଡର ଶିକାର ହୋଇଥିଲେ ହାଟପଦାର କମଳ ବେହେରା। ଖୋଳତାଡ଼ ପରେ ବରଗଡ଼ ଟାଉନ ପୁଲିସ୍ ଏହି ଘଟଣାର ଦୁଇଜଣ ଅଭିଯୁକ୍ତ ଛୋଟୁ ମଟାରୀ (୧୯) ଏବଂ ସୁରଜ ସିଂହ (୨୬)ଙ୍କୁ ଗିରଫ କରିଛି। ଉଭୟେ ଭୁର୍ସୁଂଗବନ୍ଧ ପଡ଼ାର। ମଦ ପିଇବା ପରେ ଉତ୍ତେଜନା ଯୋଗୁଁ ଏହି ହତ୍ୟାକାଣ୍ଡ ହୋଇଥିବା ମଂଗଳବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସ୍ଡିପିଓ ସୁରେଶ ନାୟକ ସୂଚନା ଦେଇଛନ୍ତି। ଶ୍ରୀ ନାୟକଙ୍କ କହିବା ହେଲା, ଚେନ୍ନାଇରେ କାମ କରୁଥିବା ସୁରଜ ୨୬ ତାରିଖ ରାତି ପ୍ରାୟ ଦେଢ଼ଟା ବେଳେ ବରଗଡ଼ ରେଲେଓ୍ଵ ଷ୍ଟେସନରେ ପହଂଚିଥିଲା।
ତାକୁ ଆଣିବାକୁ ଛୋଟୁ ଗୋଟିଏ ଲୁନାରେ ଷ୍ଟେସନ ଯାଇଥିଲା। ଦୁହେଁ ପ୍ରଚୁର ମଦ ପିଇ ରାତି ଅଢ଼େଇଟାରେ ଭୁରସୁଂଗ ବନ୍ଧ ହିଡ଼ରେ ନିଆଁ ସେକି ହେଉଥିଲେ। ସେଠାରେ ନିଶାଶକ୍ତ ଅବସ୍ଥାରେ କମଳ ପହଂଚିଥିଲେ। କମଳ ସହ ଆଗରୁ ପରିଚୟ ଥିବାରୁ ତିନିଜଣ ମିଶି ନିଆଁ ପାଖରେ ବସିଥିଲେ। ଏହାପରେ ଛୋଟୁ ଏବଂ ସୁରଜଙ୍କ ପରିବାର ଲୋକଙ୍କ ବାବଦରେ କମଳ ଅସଭ୍ୟ ଭାଷା ପ୍ରୟୋଗ କରିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ଦୁହେଁ ଗୋଟିଏ ବେଟେନ୍ ଦ୍ୱାରା କମଳଙ୍କୁ ପିଟିଥିଲେ। କମଳ ବନ୍ଧ ହିଡ଼ରେ ଟଳି ପଡ଼ିଥିଲେ। କାଳେ ସେ ବଂଚିଥିବ ଭାବି ଅଭିଯୁକ୍ତ ଦ୍ୱୟ ପାଖରେ ପଡ଼ିଥିବା ଗୋଟିଏ ପଥରରେ ମୁଣ୍ଡ ଛେରି ଫେରାର୍ ମାରିଥିଲେ। ଉଭୟଙ୍କୁ ସହର ଭିତରୁ ଗିରଫ କରାଯାଇଥିଲା। ଜେରା ପରେ ଦୁହେଁ ହତ୍ୟା କଥା ସ୍ୱୀକାର କରିଛନ୍ତି ବୋଲି ପୁଲିସ୍ ସୂଚନା ଦେଇଛି। ସାମ୍ବାଦିକ ସମ୍ମିଳନୀରେ ଟାଉନ ଥାନାଅଧିକାରୀ ବିଭୂତି ଭୂଷଣ ଭୋଇ, ଏସ୍ଆଇ ସନୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/brgr.jpg)