ମଥୁରାନଗରୀ/ଗୋପପୁର: କୃଷ୍ଣ-ବଳରାମଙ୍କୁ ଧରି ଅକ୍ରୂର ଗୋପପୁରରୁ ବିଦାୟ ନେବାବେଳେ ମା' ଯଶୋଦାଙ୍କ ସହ ଗୋପୀମାନେ ବିଳାପ କରୁଛନ୍ତି। ଗୋପପୁର ବେନି ଭାଇଙ୍କୁ ବିଦାୟ ଦେଇ କାନ୍ଦୁଛି। ଧନୁଯାତ୍ରା ମହୋତ୍ସବର ନବମ ଦିବସରେ ମଥୁରାନଗରୀରେ କଂସଙ୍କ ନଗରଭ୍ରମଣ, ମଥୁରା ଆମ୍ରବନରେ ଶ୍ରୀକୃଷ୍ଣ ଭକ୍ତିରେ ନିମଗ୍ନ ମୁନି ଋଷିଙ୍କ ଉପରେ କଂସଙ୍କ ଅତ୍ୟାଚାର ଏବଂ ଗୋପପୁରରୁ କୃଷ୍ଣ-ବଳରାମଙ୍କ ବିଦାୟ ଓ ମଥୁରାନଗରୀରେ କୃଷ୍ଣ-ବଳରାମ ଆଦିମାତା ମନ୍ଦିରରେ ବିଶ୍ରାମ ଦୃଶ୍ୟ ଅଭିନୀତ ହୋଇଛି। କୃଷ୍ଣ-ବଳରାମଙ୍କ ମଥୁରା ଆଗମନ ଖବର ପାଇ ଯୋଜନା ସାର୍ଥକ ହେଲା ଭାବି ଉଚ୍ଚ ଅଟ୍ଟହାସ୍ୟ କରୁଛନ୍ତି ମଥୁରା ନରେଶ ।
ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ କୃଷ୍ଣ-ବଳରାମଙ୍କ ଗୋପପୁରରୁ ବିଦାୟ ଦୃଶ୍ୟ ସବୁଠୁ ହୃଦୟ ବିଦାରକ ହୋଇଥାଏ। ମହାମନ୍ତ୍ରୀ ଅକ୍ରୂର ଗୋପପୁର ପହଞ୍ଚିବା ପରେ ତାଙ୍କୁ ଦେଖି ମୁରୁକି ମୁରୁକି ହସି ଉଠିଲେ ଭକ୍ତ ବତ୍ସଳ ଶ୍ରୀକୃଷ୍ଣ । ଅକ୍ରୂର ଜାଣି ପାରିଲେ ଏଇ ତାଙ୍କର ପରମ ଆରାଧ୍ୟ ଭଗବାନ ଶ୍ରୀକୃଷ୍ଣ। ଆନନ୍ଦରେ ତାଙ୍କ ଆଖିରୁ ବୋହି ଯାଇଛି ଲୋତକର ଧାରା। ପ୍ରଭୁଙ୍କ ପାଦ ପଦ୍ମରେ ପଡ଼ି କାନ୍ଦି ଉଠିଥିଲେ। ରାତ୍ରୀଯାପନ ପରେ ଅକ୍ରୂର କୃଷ୍ଣ-ବଳରାମଙ୍କୁ ନେଇ ମଥୁରା ଅଭିମୁଖେ ଯାତ୍ରା କରିବାକୁ ବାହାରିବା ସମୟରେ ବାଟ ଓଗାଳିଥିଲେ ଗୋପପୁରବାସୀ। କୃଷ୍ଣ ତାଙ୍କର ପ୍ରିୟ ସଖା ସଖୀ ଗୋପାଳ ଓ ଗୋପାଙ୍ଗନା ମାନଙ୍କ ଠାରୁ ବିଦାୟ ନେଇଛନ୍ତି। କୃଷ୍ଣପ୍ରେମରେ ବିଭୋର, କୃଷ୍ଣରସରେ ବିଗଳିତ ଗୋପପୁରବାସୀ କୃଷ୍ଣଙ୍କ ବିଚ୍ଛେଦ କଥା ସ୍ୱପ୍ନରେ ସୁଦ୍ଧା ଭାବି ପାରୁନାହାନ୍ତି। ତେଣୁକରି ଗୋପପୁରର ଆବାଳ ବୃଦ୍ଧ ବିନିତା କୃଷ୍ଣଙ୍କୁ ଦୃଷ୍ଟିରୁ ଅନ୍ତର କଥା ଭାବିଲା ମାତ୍ରେ କାନ୍ଦି ପକାଇଛନ୍ତି।
ଅନ୍ୟପଟେ ମଥୁରାରେ ମହାରାଜ କଂସ ଅପରାହ୍ନରେ ନଗର ଭ୍ରମଣରେ ବାହାରିଥିଲେ। ମୃତ୍ୟୁକୁ ନେଇ ଭୀତତ୍ରସ୍ତ କଂସ କୃଷ୍ଣ ନାମ ଶୁଣିଲେ ବିରକ୍ତି ପ୍ରକାଶ କରୁଛନ୍ତି। ତାଙ୍କର ଏହି ଭ୍ରମଣ ବେଳେ ମଥୁରାର ଆମ୍ର ବନରେ ପହଞ୍ଚି ସେଠାରେ କୃଷ୍ଣ ଭକ୍ତିରେ ନିମଗ୍ନ ଥିବା ମୁନିଋଷିଙ୍କ ଉପରେ କେ୍ରାଧାନ୍ୱିତ ହୋଇ ଉଠିଥିଲେ । ମହାରାଜାଙ୍କ ଆଦେଶକ୍ରମେ ଦୈତ୍ୟମାନେ ମୁନିଋଷିଙ୍କୁ ପ୍ରବଳ ଅତ୍ୟାଚାର କରିଥିଲେ। ଏଣେ କଂସ ସ୍ୱପ୍ନରେ କୃଷ୍ଣକୁ ଦେଖି ଚମକି ପଡ଼ିଥିଲେ। ସାରା ଦେହ ଝାଳନାଳ ହୋଇଯାଇଛି। ବାରମ୍ବାର ସେଇ ଦୈବବାଣୀ 'ଦେବକୀର ଅଷ୍ଟମ ଗର୍ଭ ସନ୍ତାନ ହେବ ମୃତ୍ୟୁ କାରଣ ଏବଂ ତୋତେ ମାରୁଛି ଯିଏ ଗୋପରେ ବଢୁଛି ସିଏ.. ' ଗୁଂଜରିତ ହେଉଛି। ହେଲେ କୃଷ୍ଣ-ବଳରାମଙ୍କ ମଥୁରା ଆସୁଥିବା ସୂଚନା ପାଇ ଉତ୍ଫୁଲ୍ଲିତ ହୋଇ ମହାରାଜା କଂସ ଅଟ୍ଟହାସ୍ୟ କରିଛନ୍ତି। ପୁଣି ନାଚଗୀତରେ ବିଭୋର ହୋଇ ଉଠିଛନ୍ତି। ରାଜଦରବାରରେ ଅତିଥି ଭାବରେ ମନ୍ତ୍ରୀ ଅଶୋକ ପଣ୍ଡା, ସମାଜର ଜିଏମ ଶିବରାମ ମିଶ୍ର ଯୋଗଦେଇଥିଲେ।