କାମରେ ଲାଗୁନି ଶୌଚାଳୟ: ଚିଠି ପାଇଁ ଅଟକିଛି ହସ୍ତାନ୍ତର

ବରଗଡ଼: ବରଗଡ଼ ସହରର ସୁନ୍ଦରତା ଏବଂ ପରିମଳ ବ୍ୟବସ୍ଥା ପାଇଁ ଗୁଡ଼ାଏ ଯୋଜନା ହାତକୁ ନିଆଯାଇଛି। ନୂଆ ଭିତ୍ତିଭୂମି ସୃଷ୍ଟି ହେଉଛି। କିନ୍ତୁ ଭିତ୍ତିଭୂମି ମହଜୁଦ ଥିଲେ ମଧ୍ୟ ତାହାର ବିନିଯୋଗ ନହେବା ଆଶ୍ଚର୍ଯ୍ୟର କଥା। ସହର ଆଧୁନିକତାର ପାହାଚ ଚଢ଼ୁଥିଲେ ହେଁ ଅଧିକାଂଶ ସହରବାସୀ ଖୋଲା ଶୌଚ କରିବା ଭଳି ଦୃଶ୍ୟ ଦେଖିବାକୁ ମିଳୁଛି। ସହରକୁ ଆସୁଥିବା ଅତିଥିଙ୍କ ସୁବିଧା ପାଇଁ ସ୍ଥାନୀୟ ସରକାରୀ ବସ୍‌ଷ୍ଟାଣ୍ଡ ଭିତରେ ଗୋଟିଏ ଶୌଚାଳୟ ତିଆରି ହୋଇଛି। ସାଂସଦ ପାଣ୍ଠିରୁ ଏହି ଶୌଚାଳୟ ନିର୍ମାଣ ହୋଇଥିଲା କିନ୍ତୁ କେଇ ଦିନ ଚାଲିବା ପରେ ଶୌଚାଳୟରେ ତାଲା ଝୁଲୁଛି। ବ୍ୟବହାର ହେଉନଥିବାରୁ ଶୌଚାଳୟରେ ଥିବା ସରଞ୍ଜାମ ମଧ୍ୟ ନଷ୍ଟ ହୋଇ ସାରିଲାଣି। ଏହାକୁ ଚାଲୁ କରିବା ପାଇଁ ସ୍ଥାନୀୟ ଓଏସ୍‌ଆର୍‌ଟିସି କର୍ତୃପକ୍ଷ କିଛି ପଦକ୍ଷେପ ନେଇ ନାହାନ୍ତି। ବରଂ ଲୋକବଳ ନଥିବାରୁ ଶୌଚାଳୟକୁ ଚାଲୁ ରଖିବା ସମ୍ଭବ ନୁହେଁ ବୋଲି ଯୁକ୍ତି ଦର୍ଶାଉଛନ୍ତି।

ତେବେ ସାମାନ୍ୟ ଚିଠି ଖଣ୍ଡିଏ ପାଇଁ ଏହି ଶୌଚାଳୟ ଠପ୍‌ ରହିଥିବା ଜଣାପଡ଼ିଛି। ପୂର୍ବରୁ ୩/୪ ଥର ଶୌଚାଳୟକୁ ହସ୍ତାନ୍ତର କରିବାକୁ ପୌର ପରିଷଦ ଓଏସ୍‌ଆର୍‌ଟିସି କର୍ତୃପକ୍ଷଙ୍କୁ ପ୍ରସ୍ତାବ ଦେଇଥିଲା। ହେଲେ ବିଧିବଦ୍ଧ ଭାବେ ଓଏସ୍‌ଆର୍‌ଟିସି କର୍ତୃପକ୍ଷ ଚିଠି ଟିଏ ନଦେବାରୁ ଶୌଚାଳୟ ଶୋଚନୀୟ ଅବସ୍ଥାରେ ପଡ଼ି ରହିଛି। ଚିଠି ମିଳିଲେ ଶୌଚାଳୟ କାର୍ଯ୍ୟକ୍ଷମ କରିବାରେ କିଛି ଅସୁବିଧା ନାହିଁ ବୋଲି ପୌରାଧ୍ୟକ୍ଷ ପ୍ରଶାନ୍ତ ବେହେରା ପ୍ରତିକ୍ରିୟା ରଖିଛନ୍ତି। ପୌର ପରିଷଦ ପକ୍ଷରୁ ସରକାରୀ ବସ୍‌ଷ୍ଟାଣ୍ଡ ପାଖ, ଘରୋଇ ବସ୍‌ଷ୍ଟାଣ୍ଡ, ହସ୍ପିଟାଲ ସମେତ ୪ଟି ସ୍ଥାନରେ ଶୌଚାଳୟ ରହିଛି। ଅନ୍ୟପକ୍ଷରେ ପ୍ରଥମ ପର୍ଯ୍ୟାୟରେ ସହରର ୨୬ଟି ବସ୍ତି ଅଂଚଳରେ ଶୌଚାଳୟ ନିର୍ମାଣ ଯୋଜନା ଥିବା ଜଣାପଡ଼ିଛି। ଏଥିପାଇଁ ୧୦ଟି ଶୌଚାଳୟ ପାଇଁ ଟେଣ୍ଡର ପ୍ରକ୍ରିୟା ସରିଛି। ଗୋବିନ୍ଦପାଲି, ନୂଆପଡ଼ା ଏବଂ ମଂଗଲାପଡ଼ାରେ ନିର୍ମାଣ ଶେଷ ପର୍ଯ୍ୟାୟରେ ରହିଛି। ଦାନୀକଁଟାର ପୁନୋରୁଦ୍ଧାର ସହିତ ହିଡ଼ରେ ଶୌଚାଳୟ ନିର୍ମାଣ ମଧ୍ୟ ଜାରି ରହିଛି। ବର୍ତ୍ତମାନ ଦାନୀକଁଟା ହିଡ଼ ଆଖପାଖ ଲୋକଙ୍କ ଖୋଲା ପାଇଖାନା ପାଲଟିଛି। ସ୍ଥାୟୀ ଶୌଚାଳୟ ନିର୍ମାଣ ସରିଲେ ଏଠାକାର ସମସ୍ୟା ସମାଧାନ ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର