ବରଗଡ଼ ଜିଲ୍ଲାରେ ଆଲୋଡ଼ନ: ନକଲି ପଟ୍ଟାରେ ଉଠିଛି ଅସଲି ଋଣ

ବରଗଡ଼: ବରଗଡ଼ ଜିଲ୍ଲାରେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଋଣ ଜାଲିଆତି ମାମଲା।  ତେବେ, ସୀମା ଡେଇଁଛି ଜାଲିଆତି। ପୁଲିସ ଯଦି ମାମଲା ରୁଜୁ କରେ ତାହେଲେ ପାଖାପାଖି ୫୫୦ ଜଣଙ୍କୁ ଜେଲ୍‌ ଯିବାକୁ ପଡ଼ିବ। କାରଣ ୫୪୨ ଜଣ ବ୍ୟକ୍ତି ଜାଲ୍‌ ପଟ୍ଟା ଦାଖଲ କରି କିସାନ କ୍ରେଡିଟ୍‌ କାର୍ଡ ଋଣ ବ୍ୟାଙ୍କରୁ ଉଠାଇଛନ୍ତି। ଅନ୍ୟମାନଙ୍କ ଜମିକୁ ବନ୍ଧା ପକାଇ ମୋଟ ୫ କୋଟି ଟଙ୍କା ଋଣ ନେଇଛନ୍ତି। ଯେଉଁ ମାମଲା ବର୍ଷ ବର୍ଷ ହେଲା ପୁଲିସ ପାଖରେ ଥିଲେ ବି ତାହା ଫାଇଲ ଭିତରେ ରହିଛି। ଆଉ ଏବେ ମାମଲା କଥା ପୁଲିସକୁ ପଚାରିଲେ ପ୍ରତିକ୍ରିୟା ଦେଉ ନାହାନ୍ତି। ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ ଦାଖଲ କରିବାକୁ ପୁଲିସ କହିଥିବା ବ୍ୟାଙ୍କ ଅଧିକାରୀ ସୂଚନା ଦେଇଛନ୍ତି।
ଗତ ୨୦୨୨ର ଏକ ଋଣ ଜାଲିଆତି ମାମଲାରେ କିଛି ଦିନ ତଳେ ପୁଲିସ ୩ ଅଭିଯୁକ୍ତଙ୍କୁ ଜେଲ୍‌ ପଠାଇଥିଲା। ପୂରା ଜାଲିଆତି ମାମଲାରେ ଅଭିଯୁକ୍ତମାନେ ନକଲି ପଟ୍ଟା ଆହ୍ଲାବାଦ ବ୍ୟାଙ୍କରେ ଦାଖଲ କରିଥିଲେ। ଲକ୍ଷାଧିକ ଟଙ୍କା କିସାନ କ୍ରେଡିଟ୍‌ କାର୍ଡ ଋଣ ନେଇଥିଲେ। ଉକ୍ତ ମାମଲାର ଅଧିକ ଅନୁସନ୍ଧାନ କରିବାରୁ ଏଭଳି ୫୪୨ଟି ଋଣ ଜାଲ ପଟ୍ଟାରେ ଉଠିଥିବା ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ସୂଚନା ମିଳିଛି। ଯାହାକୁ ନେଇ ଗତ ୨୭.୮.୨୦୨୦ରେ ଇଣ୍ଡିଏନ୍‌ ବ୍ୟାଙ୍କ କର୍ତ୍ତୃପକ୍ଷ ଟାଉନ ଥାନାରେ ୫୪୨ ଜଣଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଏତଲା ଦେଇଥିଲେ। ବର୍ତ୍ତମାନର ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବାରୁ ଜଣାଯାଇଛି ଯେ, କିଛି ବର୍ଷ ତଳେ ଆହ୍ଲାବାଦ ବ୍ୟାଙ୍କ ଇଣ୍ଡିଏନ୍‌ ବ୍ୟାଙ୍କ ସହ ମିଶିଯାଇଥିଲା। ସେହି ସମୟରେ ଏହି ଘଟଣା ସାମ୍ନାକୁ ଆସିଥିଲା। ବରଗଡ଼ ଓ ନିକଟସ୍ଥ ଗାଁମାନଙ୍କର ଲୋକେ କିସାନ କ୍ରେଡିଟ କାର୍ଡ (କେସିସି) ଋଣ ପାଇଁ ଆହ୍ଲାବାଦ ବ୍ୟାଙ୍କରେ ଆବେଦନ କରିଥିଲେ। ପୂର୍ବରୁ ଅନଲାଇନରେ ପଟ୍ଟା ଉପଲବ୍ଧ ରହୁନଥିଲା। ଯାହାର ଫାଇଦା ଉଠାଇ ଅନ୍ୟଲୋକଙ୍କ ଖାତା ଖତିଆନ ନମ୍ବର ହାତେଇ ନାମ ବଦଳାଇ ଜାଲିଆତି ହୋଇଥିଲା।

ଏପରିକି ତହସିଲଦାରଙ୍କ ସିଲ୍‌ ସହ ଦସ୍ତଖତ ଜାଲ୍‌ କରାଯାଇ ନକଲି ପଟ୍ଟା ଦାଖଲ କରି ଅସଲି ଋଣ ଉଠାଇଥିଲେ। ଏହା ପରବର୍ତ୍ତୀ ସମୟରେ ଜଣାପଡ଼ିବା ପରେ ପୁଲିସରେ ଏତଲା ଦିଆଯାଇଥିବା ସୂଚନା ଦେଇଛନ୍ତି। ଫଳରେ ଅସଲି ଜମି ମାଲିକମାନଙ୍କ ନାଁରେ ଏବେବି ବ୍ୟାଙ୍କରେ ଉକ୍ତ ଜମିରେ ଋଣ ଗଡୁଛି। ଅନ୍ୟପଟେ ଟାଉନଥାନାର ବର୍ତ୍ତମାନ ଥାନାଧିକାରୀ ଭାତହାଣ୍ଡିରୁ ଗୋଟିଏ ମାମଲା ଭଳି ଅସଲି ଜମି ମାଲିକଙ୍କ ଏତଲା ଅନୁସାରେ ୩ ଜଣଙ୍କୁ କୋର୍ଟଚାଲାଣ କରିଛି। ବ୍ୟାଙ୍କ ଦେଇଥିବା ଏତଲାରେ ପୁଲିସ ହାତ ମାରୁନଥିବା ବେଳେ ବ୍ୟାଙ୍କ ଅଧିକାରୀ ଏହା ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ କରିବାକୁ ପୁଲିସ କହୁଥିବା ସୂଚନା ଦେଇଛନ୍ତି। ପୁଲିସ ଏହି ମାମଲାରେ ସବିଶେଷ ତଥ୍ୟ ବର୍ତ୍ତମାନ ପୁଣି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କଠାରୁ ନେଇଛି। ଏହି ଋଣ ଜାଲିଆତିରେ ପୂର୍ବରୁ ଏକ ବଡ଼ ରାକେଟ୍‌ କାମ କରୁଥିଲା। ବ୍ୟାଙ୍କ ଏବଂ ତହସିଲର କିଛି କର୍ମଚାରୀଙ୍କ ବି ହାତ ରହିଥିଲା। ଏହାର ଉପଯୁକ୍ତ ତଦନ୍ତ ହେଲେ ମୁଖ୍ୟ କାର୍ପଟଦାରମାନଙ୍କ ଅସଲ ଚେହେରା ପଦାକୁ ଆସିବ ଏଥିରେ ସନ୍ଦେହ ନାହିଁ। ଏଣୁ ପୁଲିସ ଏହି ମାମଲାର ଅଧିକ ତଦନ୍ତ କରୁ ବୋଲି ଦାବି ହେଉଛି।

ସମ୍ବନ୍ଧିତ ଖବର