ତାଲପାଲି ଷ୍ଟେଟବ୍ୟାଙ୍କରେ ତାଲା:ଅଧିକାରୀଙ୍କ ଖାମଖିଆଲି ନୀତି

ଗାଇସିଲାଟ୍: ବ୍ୟାଙ୍କ ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁଁ ମଙ୍ଗଳବାର ଗାଇସିଲାଟ୍‌ ବ୍ଲକ ଟୁର୍ଚ୍ଚା ଗ୍ରାମର ୧୩ ଜଣ ଚାଷୀ ତାଲପାଲିସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କରେ ତାଲା ପକାଇ ଧାରଣାରେ ବସିଥିବାରୁ ବ୍ୟାଙ୍କ ସେବା ଠପ୍‌ ହୋଇଛି।
ଘଟଣାରୁ ପ୍ରକାଶ ଯେ, ଟୁର୍ଚ୍ଚା ଗ୍ରାମର ପାନା ସାହୁ, କୈନଳ ସାହ, ଇନିସ୍ପେକ୍ଟର ସାହୁ, ରସିକ ସାହୁ, ପବିତ୍ର ସାହୁ, ଡୋଳାମଣି ସାହୁ, ଲେକ୍ରୁ ସାହୁ, କର୍ପୁର ସାହୁ, ଜନତା ସାହୁ, ଲମ୍ବୋଦର ସାହୁ, ଉପେନ୍ଦ୍ର ସାହୁ, ଅଲେଖ ସାହୁ, ହେମକାନ୍ତ ସାହୁ କଠଉମାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଟୁର୍ଚ୍ଚା ଗ୍ରାମର ହୋଇଥିଲେ ସୁଦ୍ଧା ବ୍ୟାଙ୍କ ଅଧିକାରୀ ତାଙ୍କୁ ଫିରିଙ୍ଗିମାଲ ଗ୍ରାମପଞ୍ଚାୟତର ବୋଲି କାଗଜାତ କରିଥିଲେ। ଫଳରେ ୨୦୧୬ ମସିହାରେ ଇନ୍‌ସ୍ୟୁରାନ୍ସ କରିଥିଲେ ସୁଦ୍ଧା ସେମାନେ ଇନ୍‌ସ୍ୟୁରାନ୍ସ ପାଇବାରୁ ବଂଚିତ ହୋଇଥିଲେ।

ବାରମ୍ବାର ବ୍ୟାଙ୍କ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଏନେଇ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କୌଣସି ଫଳପ୍ରଦ ହୋଇନଥିଲା। ଶେଷରେ ଅତିଷ୍ଠ ହୋଇ ତାଲପାଲି ଷ୍ଟେଟବ୍ୟାଙ୍କ ଶାଖା ସମ୍ମୁଖରେ ଧାରଣା ବସିବାରୁ ବ୍ୟାଙ୍କ କାରବାର ବନ୍ଦ ହୋଇଥିଲା। ଘଟଣାସ୍ଥଳକୁ ବରଗଡ଼ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ମଦନ ଦୀପ ଆସି ବ୍ୟାଙ୍କର ଏଜିଏମ୍‌ ଓ ଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରିଥିଲେ। ସେହିପରି ଏଲଡିଏମ୍‌ ସୀତାରାମ ମେହେର ଘଟଣାସ୍ଥଳକୁ ଆସିଥିଲେ। ଆଲୋଚନା ପରେ ହିତାଧିକାରୀମାନଙ୍କୁ ଆଗାମୀ ଜାନୁଆରି ୩୧ ସୁଦ୍ଧା ତାଙ୍କ ପ୍ରାପ୍ୟ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଅନଶନ ସଂଧ୍ୟା ସାଢେ ୬ଟାରେ ବନ୍ଦ ହୋଇଥିଲା।

ସମ୍ବନ୍ଧିତ ଖବର