ମାଇକ୍ରୋ ଫାଇନାନ୍ସ କର୍ମଚାରୀ ଗିରଫ, ନିଜେ ଟଙ୍କା ଲୁଚାଇ ଲୁଟ୍‌ ନାଟକ ରଚିଥିଲେ

ଅତାବିରା : ଗ୍ରାହକଙ୍କଠାରୁ ଟଙ୍କା ଆଦାୟ କରି ସବୁତକ ଟଙ୍କା ନିଜେ ଲୁଚାଇଥିଲେ। କିନ୍ତୁ ଏହାକୁ ଏକ ଲୁଟ୍‌ ଘଟଣାର ରୂପ ଦେଇଥିଲେ। ନିଜେ ଥାନାରେ ଅଭିଯୋଗ କରିଥିଲେ। ଏଭଳି ଏକ ମାମଲାରେ ମାଇକ୍ରୋଫାଇନାନ୍ସ କର୍ମଚାରୀ ସୁବ୍ରତ ରାଜହଂସ (୨୨)ଙ୍କୁ ପୁଲିସ ଗିରଫ କରିଛି।

ଅତାବିରା ଥାନା ଗୋଡ଼ଭଗା ଫାଣ୍ଡି ଅଂଚଳରେ ଏହି ଘଟଣା ଘଟିଛି। ଏ ନେଇ ଏସ୍‌ଡିପିଓ ସୁଧାକର ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇ କହିଛନ୍ତି, ସମ୍ବଲପୁର ଅଇଁଠାପାଲିଠାରେ ସ୍ବତନ୍ତ୍ର ମାକ୍ରୋଫିନ୍ ପ୍ରାଇଭେଟ୍ ଲିମିଟେଡ୍‌ ନାମକ ମାଇକ୍ରୋ ଫାଇନାନ୍ସ କମ୍ପାନି ରହିଛି। ଏଥିରେ ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଗୌଡ଼ପଡ଼ାର ସୁବ୍ରତ କାମ କରୁଥିଲେ। ଗୋଡ଼ଭଗା ଫାଣ୍ଡି ଅଂଚଳରେ ଗ୍ରାହକଙ୍କଠାରୁ ନିୟମିତ ଟଙ୍କା ଆଦାୟ କରିବାକୁ ଆସୁଥିଲେ। ଗତ ୬ ତାରିଖ ଦିନ ସୁବ୍ରତ ସିନ୍ଦୁରବାହାଲ, କୁଲତାଟିକ୍ରା, ଘନାପାଲି ଗ୍ରାମରେ ବିଭିନ୍ନ ଏସ୍‌ଏଚ୍‌ଜି ଠାରୁ ୧ ଲକ୍ଷ ୭ ହଜାର ୭ଶହ ଟଙ୍କା ଆଦାୟ କରିଥିଲା। ତେବେ କାଦୋବାହାଲ ପାଖରେ ସବୁ ଟଙ୍କା କିଛି ଲୁଟେରା ଆସି ଲୁଟି ନେଇଥିବା ସୁବ୍ରତ କମ୍ପାନିର ଅଧିକାରୀଙ୍କୁ କହିଥିଲେ। ପରେ ଗୋଡ଼ଭଗା ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଥିଲା। ଅତାବିରା ଥାନାରେ ଏକ ଲୁଟ ମାମଲା ରୁଜୁ ହୋଇଥିଲା। ତେବେ ଜେରା ବେଳେ ଅଭିଯୋଗକାରୀ ସୁବ୍ରତର ବୟାନ ବାରମ୍ବାର ବଦଳୁଥିଲା। କିଛି ତାଳମେଳ ରହୁ ନଥିଲା। ପରେ ସୁବ୍ରତ ନିଜେ ଟଙ୍କାତକ ନେଇଥିବା ସ୍ବୀକାର କରିଥିଲେ। ଟଙ୍କା ତକ କାଦୋବାହାଲ ବାରହାମୁଣ୍ଡା ଛକ ନିକଟସ୍ଥ ଏକ ହନୁମାନ ମନ୍ଦିର ପଛ ବାଉଁଶ ବୁଦା ମୂଳେ ଲୁଚାଇ ଦେଇଥିଲେ। ସ୍ଥାନ ଚିହ୍ନଟ କରିବା ପାଇଁ ଏକ ମାଟି ଗୋଳା ଉପରେ ରଖି ଦେଇଥିଲା। ଦୁଇ ଦିନ ପରେ ଆସି ଟଙ୍କା ସେଠାରୁ ନେବା ସହ ବ୍ୟାଗ୍‌, ବାୟୋମେଟ୍ରିକ୍ସ ଯନ୍ତ୍ର, କାଗଜପତ୍ର ମୁଣ୍ଡଘାଟ ଚାଉଁରପୁର କେନାଲରେ ପିଙ୍ଗି ଦେଇଥିଲା। ଟଙ୍କାକୁ ବାଇକ(ଓଡି ୩୧ସି ୩୦୮୦)ର ଟୁଲ୍ ବକ୍ସରେ ଲୁଚାଇ ଦେଇଥିଲା। ସେଥିରୁ କିଛି ଟଙ୍କା ଖର୍ଚ୍ଚ କରି ଦେଇଥିଲା। ପୁଲିସ ଦଫା ୪୦୯, ୪୨୦ ରେ ମାମଲା ରୁଜୁ କରି ତାକୁ କୋର୍ଟ ଚାଲାଣ କରିଛି। ସୁବ୍ରତଠାରୁ ୮୨ହଜାର ଟଙ୍କା, କଳା ବ୍ୟାଗ, ବାଇମେଟ୍ରିକ ଯନ୍ତ୍ର, ମୋବାଇଲ, ବାଇକ ଜବତ ହୋଇଛି। ସାମ୍ବାଦିକ ସମ୍ମିଳନୀରେ ଥାନାଧିକାରୀ ପୁରୁ‌ଷୋତ୍ତମ ଭୋଇ, ଗୋଡ଼ଭଗା ଫାଣ୍ଡିଧିକାରୀ ବାଲୁଙ୍କେଶ୍ବର ନାଏକ ଉପସ୍ଥିତ ଥିଲେ। ଅଭିଯୁକ୍ତର ଜମିନ ନାମଂଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର