ବିକାଶର ହିସାବ ଦେଲେ ମନ୍ତ୍ରୀ ସୁଶାନ୍ତ ସିଂ

ବରଗଡ଼: ମନ୍ତ୍ରୀ ସୁଶାନ୍ତ ସିଂ ରବିବାର ଏକ ସାଧାରଣ ସଭା‌ରେ ‌ଯୋଗ ଦେଇ ନିଜ ନିର୍ବାଚନମଣ୍ଡଳୀରେ ବିକାଶର ହିସାବ ପ୍ରଦାନ କରିଛନ୍ତି। ସେ କହିଛନ୍ତି, ତାଙ୍କ ଅମଳରେ ଚିଖିଲି, ତାମଦେଇ ଏବଂ ଅନ୍ତରାଡ଼ିରେ ତିନୋଟି ମେଗା ଜଳସେଚନ ପ୍ରକଳ୍ପ ହୋଇଛି। ଏହି ୧୨୧କୋଟି ଟଙ୍କାର ପ୍ରକଳ୍ପ ଗୁଡ଼ିକ ଦ୍ବାରା ୨୫ହଜାର ହେକ୍ଟର ଅଣଜଳସେଚିତ ଜମିକୁ ପାଣି ମିଳୁଛି। ପାଖାପାଖି ୧୫ଶହ କୋଟି ଟଙ୍କାରେ ଗଂଗାଧର ମେହେର ବୃହତ୍‌ ଜଳସେଚନ ପ୍ରକଳ୍ପ ଆରମ୍ଭ ହୋଇଛି। ନିର୍ବାଚନମଣ୍ଡଳୀରେ ୯ହଜାର ଗଭୀର ନଳକୂପ ଖନନ ହୋଇଛି। ଆଗକୁ ୬ହଜାର ନଳକୂପ ଖନନ କରାଯିବ। ୫୬କୋଟି ଟଙ୍କା ଲେଖାଏଁ ବ୍ୟୟରେ ଘେଁସ୍‌ ଏବଂ ଗ୍ରିଣ୍ଡୋଲାରେ ୧୩୨/୩୩ କେଭିର ଗ୍ରିଡ୍‌, ୭କୋଟି ଲେଖାଏଁ ଖର୍ଚ୍ଚରେ ୩୩/୧୧ କେଭି କ୍ଷମତାର ୯ଟି ଗ୍ରିଡ୍‌ ସ୍ଥାପନ ହୋଇଛି। ବରଗଡ଼ ଜିଲ୍ଲାକୁ ଝାରସୁଗୁଡ଼ାକୁ ସିଧା ଯୋଡ଼ିବା ପାଇଁ ୧୨୧କୋଟି ଟଙ୍କାରେ ମହାନଦୀ ଉପରେ ଉଚ୍ଚସ୍ତରର ବ୍ରିଜ୍‌ ନିର୍ମାଣ ଆରମ୍ଭ ହୋଇଛି। ଯାହା ଚିଖିଲିକୁ ମହୁଲପାଲିକୁ ସଂଯୋଗ କରିବ। ସେହିପରି ୫୬କୋଟି ଟଙ୍କାରେ ନିର୍ମିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତାଙ୍କରି ନିର୍ବାଚନମଣ୍ଡଳୀର ଟୁକୁର୍ଲାଠାରେ ଅବସ୍ଥିତ। ଏହାଦ୍ବାରା ଭଟଲି ଏବଂ ଅମ୍ବାଭୋନାର ଲୋକେ ସହଜ ଚିକିତ୍ସା ସୁବିଧା ପାଇବେ ବୋଲି ଶ୍ରୀ ସିଂ କହିଛନ୍ତି। ସେ ଆହୁରି କହିଲେ, ଗତ ୧୦ବର୍ଷରେ ରାଜ୍ୟରେ ଶ୍ରମିକଙ୍କୁ ବିଭିନ୍ନ ଯୋଜନାରେ ୩ଶହ କୋଟି ଟଙ୍କା ମିଳିଥିଲା। ହେଲେ ତାଙ୍କ ମନ୍ତ୍ରୀପଦ ବେଳେ ମାତ୍ର ଗୋଟିଏ ବର୍ଷରେ ୧୩ଶହ କୋଟି ଟଙ୍କା ସହାୟତା ଦିଆଯାଇଛି। ତାଙ୍କ ଅମଳରେ ୩୦୩ଟି ଗାଁକୁ ସଡ଼କ ସୁବିଧା, ସବୁ ବ୍ଲକରେ ଦମକଳ କେନ୍ଦ୍ର ଏବଂ ଆଦର୍ଶ ବିଦ୍ୟାଳୟ ଏବଂ ୧୩ଟି ବିଜୁ ସେତୁ ଯୋଜନା ନିର୍ମାଣ ହୋଇଥିବା ଶ୍ରୀ ସିଂ ନିଜ ଭାଷଣରେ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର