ଛାତ୍ରୀଙ୍କୁ ଅପହରଣ ଓ ଦୁଷ୍କର୍ମ, ଟ୍ୟୁସନ୍‌ ମାଷ୍ଟର ଗିରଫ

ସୋହେଲା: ସୋହେଲା ଥାନାଞ୍ଚଳର ଜଣେ ନାବାଳିକା ଛାତ୍ରୀ (୧୬)ଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ପୁଲିସ୍‌ ସୋମବାର ସଂପୃକ୍ତ ଛାତ୍ରୀଙ୍କ ଟ୍ୟୁସନ୍‌ ମାଷ୍ଟରକୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ୍‌ର ସୂଚନାନୁସାରେ ସଂପୃକ୍ତା ଛାତ୍ରୀ ଜଣକ ଗତ ବର୍ଷ ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ସୋହେଲା ଥାନା ଝର ଗ୍ରାମର ମହିପାଳ ଭୋସାଗର (୨୩) ତାଙ୍କୁ ଟ୍ୟୁସନ୍‌ ପଢ଼ଉଥିଲେ। ଏହା ଭିତରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିବା ସହ ସେମାନେ ଗତ ୫.୧.୨୦୧୭ ରାତିରେ ଘରୁ ଲୁଚି ଫେରାର୍‌ ହୋଇ ଯାଇଥିଲେ। ଫଳରେ ଝିଅ ଘର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା। ଉଭୟେ ଏଠାରୁ ଯାଇ ବାଙ୍ଗାଲୁରୁରେ କିଛି ଦିନ ରହିବା ପରେ ତାମିଲନାଡୁ ଚାଲି ଯାଇଥିଲେ। ପୁଣି ବାଙ୍ଗାଲୁରୁ ଫେରି ଆସି କିଛି ଦିନ ରହିବା ପରେ ଗାଁକୁ ଫେରିଥିଲେ। ସେମାନେ ଟ୍ରେନ୍‌ରେ ଆସୁଥିବା ସୂଚନା ପାଇ ସୋହେଲା ପୁଲିସ୍‌ ବରଗଡ଼ ଷ୍ଟେସନ୍‌ରେ ଜଗି ରହିଥିଲା। ଟ୍ରେନ୍‌ରୁ ଓହ୍ଲାଇବା ମାତ୍ରେ ପୁଲିସ୍‌ ସେମାନଙ୍କୁ ଧରି ଥାନାକୁ ଆଣିଥିଲା। ଥାନାରେ ଅଭିଯୁକ୍ତ ମହିପାଳ ଓ ଛାତ୍ରୀ ଜଣକୁ ପଚରାଉଚରା କରିବା ସହ ଝିଅର ବାପା ମା’ଙ୍କୁ ସୂଚନା ଦିଆଯାଇଥିଲା। ସେମାନେ ଆସିବା ପରେ ସୋମବାର ଉଭୟଙ୍କୁ ଡାକ୍ତରୀମାଇନା କରାଯିବା ସହ  ଝିଅକୁ ସେମାନଙ୍କୁ ହସ୍ତାନ୍ତର କରାଯାଇଥିଲା। ଏଥି ସହ ଅଭିଯୁକ୍ତ ମହିପାଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯଇଥିବା ଜଣାପଡ଼ିଛି। ଏ ନେଇ ଥାନା କସେ୍‌ ନଂ. ୨/୧୭, ଆଇପିସିର ଦଫା ୩୭୬ ଓ ୩୬୩ ତଥା ପୋକ୍‌ସୋ ଆଇନ୍‌ର ୨୦୧୨ ଧାରା ୬ରେ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧିତ ଖବର