ବରଗଡ଼: ଗତ ସପ୍ତାହ ଗୁରୁବାର ବିଳମ୍ବିତ ରାତିରେ ଟାଉନ ଥାନା ଅନ୍ତର୍ଗତ ଡାଂଗ ନଦୀପଡ଼ାରେ କାହ୍ନ ମେହେର (୨୫)ଙ୍କୁ ନିର୍ମମ ଭାବେ ହତ୍ୟା ହୋଇଥିଲା। ଘଟଣାର ପରଦିନ ସକାଳୁ କାହ୍ନଙ୍କ ରକ୍ତାକ୍ତ ଶବ ଗାଁର କେଶବ ସେଠ୍ଙ୍କ ଘର ସମ୍ମୁଖରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ପୁଲିସ୍ ଖୋଳତାଡ଼ ପରେ କେଶବ ହିଁ କାହ୍ନକୁ ହତ୍ୟା କରିଥିବା ଜାଣିବାକୁ ପାଇଛି। ଅଭିଯୁକ୍ତକୁ ପୁଲିସ୍ ଗିରଫ କରିଛି। କେଶବ ନିଜ ଦୋଷ ସ୍ୱୀକାର କରି ସାରିଛି। ଅନୈତିକ ସଂପର୍କ କାରଣରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ଏସ୍ଡିପିଓ ସୁରେଶ ନାୟକ ଏବଂ ଥାନାଧିକାରୀ ବିଭୂତି ଭୂଷଣ ଭୋଇ ଘଟଣାର ବିସ୍ତତ ସୂଚନା ଦେଇ କହିଛନ୍ତି ଯେ, ୨୯ ତାରିଖ ରାତିରେ କାହ୍ନ ଉକ୍ତ ଗାଁର ଜଣେ ବିବାହିତା ମହିଳାଙ୍କ ସହ ଅସଂଜତ ଅବସ୍ଥାରେ ଥିବା କେଶବ ଦେଖି ଦେଇଥିଲେ। କେଶବ ଏନେଇ ସଂପୃକ୍ତ ମହିଳାଙ୍କ ସ୍ୱାମୀଙ୍କୁ ଜଣାଇଥିଲେ।
ଖବର ଜାଣିବା ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ଏହା ପରେ ସଂପୃକ୍ତ ମହିଳା ଜଣକ କେଶବ ସବୁ କଥାର ମୂଳମଂଜି ବୋଲି କାହ୍ନକୁ କହିଥିଲେ। ଏହାପରେ କାହ୍ନ ପ୍ରତିଶୋଧ ପରାୟଣ ହୋଇଥିଲା। ୩୦ ତାରିଖ ରାତିରେ ସେ କେଶବଙ୍କ ଘରକୁ ଆସି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ। କେଶବ ବାରଣ କରିଥିଲେ ହେଁ କାହ୍ନ ଶୁଣିନଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ କେଶବ ଗୋଟିଏ ଠେଙ୍ଗାରେ କାହ୍ନକୁ ଆକ୍ରମଣ କରିଥିଲେ। କାହ୍ନ ତଳେ ପଡ଼ିଯିବା ପରେ ସେ ଗୋଟିଏ ଲୁହା ପାଇପ୍ରେ ମୁଣ୍ଡକୁ ଛେଚି ପକାଇଥିଲେ। ଘଟଣାସ୍ଥଳରେ କାହ୍ନର ପ୍ରାଣବାୟୁ ଉଡ଼ି ଯାଇଥିଲା। ଏନେଇ ଟାଉନ ଥାନା ପୁଲିସ୍ କେସ ନମ୍ବର ୧୩୭/୧୮ ଦଫା ୩୦୨/୩୪ ଆଇପିସିରେ ମାମଲା ରୁଜୁ କରି କେଶବଙ୍କୁ ଗିରଫ କରିଛି। ହତ୍ୟାକାଣ୍ଡରେ ବ୍ୟବହୃତ ଠେଙ୍ଗା ଏବଂ ଲୁହା ପାଇପ୍ ଜବତ ହୋଇଛି।