ବିଜେପୁର : ବିଜେପିର ପୂର୍ବତନ ବରଗଡ଼ ଜିଲ୍ଲା ସଭାପତି ନାରାୟଣ ସାହୁ ରବିବାର ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। ଏଥିପାଇଁ ବିଜେପୁରଠାରେ ଦଳ ପକ୍ଷରୁ ଏକ ମହା ସମାବେଶ କରାଯାଇଥିଲା। ଏଥିରେ ଦଳର ବରିଷ୍ଠ ନେତାମାନେ ନାରାୟଣଙ୍କୁ ଦଳକୁ ସ୍ୱାଗତ କରିଥିବା ବେଳେ ଶନିବାର ନିଜ ପଦରୁ ଇସ୍ତଫା ଦେଇଥିବା ବିଜେଡି ବିଜେପୁର ବ୍ଲକ୍ ସଭାପତି ରାଧେଶ୍ୟାମ ମହାପାତ୍ର ସମାବେଶରେ ଯୋଗ ଦେଇ ନାହାନ୍ତି। ଏ ନେଇ ବିଜେପୁରରେ ରାଜନୈତିକ ଚର୍ଚ୍ଚା ଜୋର୍ ଧରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ରବିବାର ଦଳରେ ଅନୁଷ୍ଠାନିକ ଭାବେ ମିଶିବା ଅବସରରେ ନାରାୟଣ କହିଛନ୍ତି ଯେ ପୂର୍ବରୁ ସେ ବିଜେଡିରେ ଥିଲେ ଏବଂ ବିଜେପିରେ ତାଙ୍କୁ କୌଣସି ଗୁରୁତ୍ୱ ଦିଆ ନ ଯିବାରୁ ସେ ପୁଣି ନିଜର ଦଳକୁ ଅର୍ଥାତ ନିଜ ପରିବାରକୁ ଫେରିଛନ୍ତି। ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦଳର ପର୍ଯ୍ୟବେକ୍ଷକ ପ୍ରଫୁଲ୍ଲ ମଲ୍ଲିକ, ଲୋକସଭା ସାଂସଦ ଡ. ପ୍ରଭାସ ସିଂହ, ବୟନଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ବାଚସ୍ପତି ନିରଂଜନ ପୂଜାରୀଙ୍କ ସମେତ ବହୁସଂଖ୍ୟାରେ ଦଳୀୟ ନେତା ଓ କର୍ମୀ ଯୋଗ ଦେଇଥିଲେ।
ସୂଚନାଯୋଗ୍ୟ ଯେ ବିଜେଡିରେ ଅବେହଳା କରାଯାଉଥିବା ଅଭିଯୋଗ କରି ରାଧେଶ୍ୟାମ ପଦ ଛାଡ଼ିଥିବା ବେଳେ ବିଜେପିରେ ଅବହେଳା କରାଯାଉଛି ବୋଲି କହି ନାରାୟଣ ବିଜେଡିରେ ସାମିଲ ହୋଇଛନ୍ତି। ଉପନିର୍ବାଚନ ପୂର୍ବରୁ ଏଠାରେ ବିଜେପି ଓ ବିଜେଡି ନେତାଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି।