ବରଗଡ଼: ବିଗତ ଦିନରେ ସହରରେ ବଡ଼ ଧରଣ ଡକାୟତି ଘଟିଛି। ହେଲେ ଲଟେରାଙ୍କ ପତ୍ତା ମିଳିନାହିଁ। ପଡ଼ୋଶୀ ରାଜ୍ୟର କୁଖ୍ୟାତ ଅପରାଧୀ ବରଗଡ଼ରେ ସକ୍ରିୟ ରହୁଥିବା ଦେଖାଦେଇଛି। କେଇ ଦିନ ତଳେ ଲୁଟେରାମାନେ ଅର୍ଥଲଗାଣକାରୀ ସଂସ୍ଥାରେ ବି କଳାକନା ବୁଲାଇ ଦେଇଛନ୍ତି। ସହରରେ ଥିବା ବିଭିନ୍ନ ବ୍ୟାଙ୍କ କିମ୍ବା ଟଙ୍କା କାରବାର କରୁଥିବା ଘରୋଇ ସଂସ୍ଥାର ସୁରକ୍ଷା ବ୍ୟବସ୍ଥା ହୁଗୁଳା ରହିଛି। କିଛି ବ୍ୟାଙ୍କରେ ସୁରକ୍ଷା ଗାଇଡ୍ଲାଇନ୍କୁ ଠିକ୍ ଭାବେ ପାଳନ କରାଯାଉନାହିଁ। କୌଣସି ଲୁଟ୍ପାଟ୍ କିମ୍ବା ଅଘଟଣ ଘଟିଲେ ବ୍ୟାଙ୍କରେ ଲାଗିଥିବା ସାଇରନ୍ ସତର୍କ ସୂଚନା ଦେଇଥାଏ। ଏହି ସାଇରନ୍କୁ ନିୟମିତ ବ୍ୟବଧାନରେ ଯାଂଚ କରାଯିବା କଥା। ହେଲେ କିଛି ବ୍ୟାଙ୍କ କର୍ତୃପକ୍ଷ ଏହାକୁ ଅଣଦେଖା କରୁଛନ୍ତି।
କିଛି ବ୍ୟାଙ୍କରେ ସାଇରନ୍ର ତାରଗୁଡ଼ିକୁ ମୂଷା କାଟି ଦେଉଥିଲେ ବି ଏହାର ଉଚିତ ରକ୍ଷଣାବେକ୍ଷଣ ହେଉନାହିଁ। ସୁରକ୍ଷା ପାଇଁ ବ୍ୟାଙ୍କରେ ରାତ୍ର ଜଗୁଆଳୀ ରହୁଛନ୍ତି। ଡକାୟତମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରଖୁଥିବାବେଳେ ଜଗୁଆଳୀମାନେ ଠେଙ୍ଗା ଖଣ୍ଡିଏ ଧରି ଡ୍ୟୁଟି କରୁଥିବା ଦେଖିବାକୁ ମିଳୁଛି। ସହରରେ ୫୦ରୁ ଅଧିକ ଏଟିଏମ୍ କାଉଣ୍ଟର ରହିଛି। ହେଲେ ଅର୍ଧାଧିକ କାଉଣ୍ଟର ପରିତ୍ୟକ୍ତ ଅବସ୍ଥାରେ। ସୁରକ୍ଷା ଦୃଷ୍ଟିରୁ ପ୍ରତି କାଉଣ୍ଟରରେ ସିସିଟିଭି କ୍ୟାମେରା ଲଗାଇବା ନିହାତି ଜରୁରୀ। ଅଧିକାଂଶ ଏଟିଏମ୍ କାଉଣ୍ଟରରେ ସିସିଟିଭି ଲାଗିଥିଲା। କିନ୍ତୁ ଅଧିକାଂଶ ସିସିଟିଭି ସ୍ୱଚ୍ଛ ଛବି ଉତ୍ତୋଳନ କରିପାରୁନାହାନ୍ତି।
ତେଣୁ ଏଟିଏମ୍ରେ ଚୋରି ଲୁଟ୍ ହେଲେ ତଦନ୍ତ ପାଇଁ ପୁଲିସ୍କୁ ଲୁଟେରାଙ୍କ ଭଲ ଫଟୋଟିଏ ମିଳିପାରୁନାହିଁ। ବହୁ ଏଟିଏମ୍ କାଉଣ୍ଟରରେ ଗାର୍ଡ ମୁତୟନ ହୋଇନାହାନ୍ତି। ଫଳରେ ଏଟିଏମ୍ ଲୁଟ୍ ହେବା ଆଶଙ୍କା ଲାଗି ରହିଛି। ଏଟିଏମ୍ ବ୍ୟବହାର ନେଇ କିଛି ଆପତ୍ତି ଅଭିଯୋଗ ଶୁଣିବାକୁ ପାଖରେ କେହି ନାହାନ୍ତି। କାଉଣ୍ଟରର କବାଟ ଭାଂଗି ଯାଇଥିଲେ ମଧ୍ୟ ମରାମତି ହେଉନାହିଁ। ଫଳରେ ଏଟିଏମ୍ କାଉଣ୍ଟର ଭିତରକୁ କୁକୁର ପଶି ଯାଉଛନ୍ତି। ତେଣୁ ଏଟିଏମ୍ ଗୁଡ଼ିକରେ ନିୟମିତ ଗାର୍ଡ ବ୍ୟବସ୍ଥା ସହ ସୁରକ୍ଷା କଡ଼ାକଡ଼ି କରିବାକୁ ସାଧାରଣରେ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/brgh-1.jpg)